ସୁଡ଼ଙ୍ଗରୁ ଶୀଘ୍ର ବାହାରିବେ ଶ୍ରମିକ । ଉଦ୍ଧାର ପାଇଁ ଆଜି ରାତିକ ଅପେକ୍ଷା!

322

କନକ ବ୍ୟୁରୋ : ଉତରକାଶୀର ସିଲକ୍ୟାରା ସୁଡ଼ଙ୍ଗ ସାମ୍ନାରେ ପ୍ରସ୍ତୁତ ହୋଇ ରହିଛି ଆମ୍ବୁଲାନ୍ସ, ବଡ଼ ଆଶ୍ୱସ୍ତି ଆଣିଦେଇଛି । ଫସିରହିଥିବା ଶ୍ରମିକମାନେ ଶୀଘ୍ର ଉଦ୍ଧାର ପାଇବେ ବୋଲି ଆଶା ସଂଚାର ହୋଇଛି । ସୁଡ଼ଙ୍ଗର ଭଗ୍ନାବଶେଷ ଦେଇ ସମାନ୍ତରାଳ ଭାବେ ଯେଉଁ ପାଇପ ଖଞ୍ଜା ଯାଉଛି, ତାହା ପ୍ରାୟ ୬୭ ପ୍ରତିଶତ ପ୍ରବେଶ କରିସାରିଛି । ଆଉ ମାତ୍ର କିଛି ମିଟରେ ପରେ ଶ୍ରମିକଙ୍କ ପାଖରେ ଏହି ପାଇପ ପହଂଚିଯିବ । ଏବଂ ପ୍ରାୟ ୯୦୦ ମିଟର ଗୋଲେଇର ଏହି ପାଇପ୍ ଦେଇ ସୁଡଙ୍ଗ ଭିତରେ ଫସିରହିଥିବା ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇପାରିବ । ତେଣୁ ଆଗାମୀ କିଛି ଘଂଟା ଉଦ୍ଧାରକାରୀ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ସଡକ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ମହମୁଦ ଅହମ୍ମଦ ।

ବଡକଥା ହେଉଛି ଶ୍ରମିକମାନଙ୍କ ସହ ଯୋଗାଯୋଗ ଆହୁରି ସହଜ ହୋଇଛି । ମଙ୍ଗଳବାରଠାରୁ ଶ୍ରମିକମାନଙ୍କ ପାଖରେ ପହଂଚିସାରିଥିବା ୬ ଇଂଚ୍ ଓସାରର ଏକ ପାଇପ ଜରିଆରେ ଅତ୍ୟାବଶ୍ୟକ ସାମଗ୍ରୀ ପହଂଚିପାରୁଛି । ଯାହାକୁ କୁହାଯାଉଛି ଦ୍ୱିତୀୟ ଲାଇଫ ଲାଇନ୍ । ଏହି ପାଇପ ଜରିଆରେ ଶ୍ରମିକଙ୍କୁ ରୁଟି, ତରକାରୀ, ଖେଚେଡି଼, ଦଲିଆ, କମଳା, କଦଳି ଭଳି ଖାଦ୍ୟ ସାମଗ୍ରୀ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯେପରିକି ଟି-ସାର୍ଟ, ଅନ୍ତଃବସ୍ତ୍ର, ଟୁଥପେଷ୍ଟ ଓ ସାବୁନ ଆଦି ଯୋଗାଇ ଦିଆଯାଇଛି । ଗତ ୧୨ ତାରିଖରୁ ଉତରାଖଣ୍ଡର ଏହି ସୁଡଙ୍ଗ ଭିତରେ ୪୧ ଜଣ ଶ୍ରମିକ ଫସିରହିଛନ୍ତି । ଏମାନଙ୍କ ଉଦ୍ଧାର ନେଇ ସାକାରାତ୍ମକ ଖବର ଆସିବା ପରେ ଆଶ୍ୱସ୍ତ ହୋଇଛନ୍ତି ଓଡିଶାରୁ ଯାଇଥିବା ୫ ଶ୍ରମିକଙ୍କ ପରିବାର ।

ଗୋଟିଏ ପଟେ ଆମେରିକାରୁ ଅଣାଯାଇଥିବା ଆର୍ଥ ଅଗର ମେସିନ୍ ସାହାଯ୍ୟରେ ଏକ ପାଇପ ସୁଡଙ୍ଗର ସମାନ୍ତରାଳ ଭାବେ ଖଞ୍ଜା ଯାଉଛି । ଅନ୍ୟପଟେ ସୁଡଙ୍ଗର ଉପରପଟୁ ତେରେଛା ଭାବେ ଆଉଏକ ବିକଳ୍ପ ବାଟ ମଧ୍ୟ କରାଯାଉଛି । ଏଥିପାଇଁ ବର୍ଡର ରୋଡ ଅର୍ଗାନାଇଜେସନ୍- ବିଆରଓ ଏକ ରାସ୍ତା ତିଆରି କରିଥିଲା । ଏହାଫଳରେ ଶ୍ରମିକଙ୍କ ସୁରକ୍ଷିତ ଉଦ୍ଧାର ସମ୍ଭବ ହେବ । ବିଭିନ୍ନ ପ୍ରକାର ବାଧା ଓ ବାରମ୍ବାର ଯୋଜନା ପରିବର୍ତନ ସତ୍ୱେ ଏବେ ଶ୍ରମିକଙ୍କ ମୁକ୍ତି ନେଇ ଆଶା ଦେଖା ଦେଇଛି । ଶୀଘ୍ର ଶ୍ରମିକମାନେ ବାହାରକୁ ବାହାରିଲେ ଚିକିତ୍ସା ପାଇଁ ଏକ ଡାକ୍ତରୀ ଟିମ୍ ମଧ୍ୟ ପ୍ରସ୍ତୁତ ହୋଇ ରହିଛନ୍ତି ।