କନକ ବ୍ୟୁରୋ : ହସ ହସ ମୁହଁ । ଆତ୍ମବିଶ୍ୱାସ ଭରା ଚେହେରା । ଓଡ଼ିଶା ମାଟିରେ ପହଂଚିବା ପରେ, ଓଡ଼ିଆ ଶ୍ରମିକଙ୍କ ମୁହଁରେ ସ୍ପଷ୍ଟ ବାରି ହୋଇପଡ଼ୁଛି ଉତ୍ସାହ । ସଂକଟ ଟଳଛି, ଶ୍ରମିକ ଏବେ ସୁରକ୍ଷିତ । କିନ୍ତୁ ସେଦିନର ସେଇ ଅଘଟଣ ଏବଂ ୧୭ ଦିନର ସଂଘର୍ଷ, ହୁଏତ ଏହି ଶ୍ରମିକମାନେ ଜୀବନ ଥିବା ଯାଏଁ କେବେ ଭୁଲିପାରିବେ ନାହିଁ ।

Advertisment

ଓଡ଼ିଶା ଫେରିବା ପରେ ସୁଡ଼ଙ୍ଗ ଭିତରର ଅନୁଭୂତି ବଖାଣିଛନ୍ତି ଶ୍ରମିକ । ପ୍ରଥମେ ୧୦ଦିନ କେମିତି ବିତିଥିଲା, ପରବର୍ତୀ ସମୟରେ କେମିତି ପାଇପ ଯୋଗେ ଖାଦ୍ୟ ଓ ସାମଗ୍ରୀ ପହଂଚିଲା, ତାହା ବଖାଣିଛନ୍ତି ।

ଓଡ଼ିଶା ଫେରିଛନ୍ତି, ଉତରକାଶୀ ଟନେଲରୁ ଉଦ୍ଧାର ହୋଇଥିବା ୪ ଶ୍ରମିକ । ପ୍ରଥମ ପର୍ଯ୍ୟାୟରେ ଭଗବାନ ଭତ୍ରା, ଧୀରେନ ନାୟକ, ରାଜୁ ନାୟକ ଏବଂ ବିଶ୍ୱେଶ୍ୱର ନାୟକ ଓଡ଼ିଶା ଫେରିଥିବା ବେଳେ ଭଦ୍ରକର ତପନ ମଣ୍ଡଳ ପରବର୍ତୀ ସମୟରେ ଓଡ଼ିଶା ଫେରିବେ । ଶ୍ରମ ମନ୍ତ୍ରୀ ସାରଦା ନାୟକ ସମସ୍ତ ଶ୍ରମିକଙ୍କ ସହ ଦିଲ୍ଲୀରୁ ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିଥିଲେ । ଭୁବନେଶ୍ୱରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରମିକଙ୍କୁ ସ୍ୱାଗତ କରାଯାଥିଲା । ସମସ୍ତ ଶ୍ରମିକଙ୍କୁ ସୁରକ୍ଷିତ ପହଁଚାଇବାର ଦାୟିତ୍ୱ ନେଇଛନ୍ତି ସରକାର ।

ବିମାନ ବନ୍ଦରରୁ ଶ୍ରମିକମାନଙ୍କୁ ସର୍କିଟ ହାଉସକୁ ନିଆଯାଇଥିଲା । ସେଠାରେ ଶ୍ରମିକମାନେ ମଧ୍ୟାହ୍ନ ଭୋଜନ କରିଥିଲେ । ଏହି ସମୟରେ ଶ୍ରମ ମନ୍ତ୍ରୀ ସାରଦା ନାୟକ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଏହାପରେ ଶ୍ରମିକ ମାନେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ।

ସୁଡ଼ଙ୍ଗ ଭିତରେ ୧୭ ଦିନ । ଉଦ୍ଧାର ହେବା ପରେ ୩ ଦିନ । ସୁଡ଼ଙ୍ଗ ଅଘଟଣର ୨୦ ଦିନ ପରେ ନିଜ ଜନ୍ମମାଟି ଓଡ଼ିଶାରେ ପହଂଚିଛନ୍ତି ୪ ଓଡ଼ିଆ ଶ୍ରମିକ । ଆଉ ଶ୍ରମିକମାନେ ଓଡ଼ିଶା ଫେରିବା ପରେ ପରିବାର ଲୋକଙ୍କ ଖୁସି ମଧ୍ୟ ନକହିଲେ ସରେ ।