କନକ ବ୍ୟୁରୋ: ସାରା ଦେଶରେ ଉତ୍ତରାଖଣ୍ଡର ଯୋଶୀମଠ ସହରକୁ ନେଇ ଚର୍ଚ୍ଚା । ଯୋଶୀ ମଠ ଏବେ ଗଭୀର ବିପଦ ଭିତରକୁ ଠେଲି ହୋଇଯାଇଛି । ସହର ଦବି ଚାଲିଥିବାରୁ ଭୟାନକ ଫାଟ ସୃଷ୍ଟି ହୋଇଛି । ଲୋକେ ଆତଙ୍କିତ ହୋଇପଡିଛି । ମାଟି ଧସିବା ସହ କୋଠାଗୁଡିକ ବି ଅସୁରକ୍ଷିତ ହୋଇପଡିଛି । ଶଙ୍କରାଚାର୍ଯ୍ୟ ମାଧବ ଆଶ୍ରମ ମନ୍ଦିରର ଶିବଲିଙ୍ଗରେ ଫାଟ ଦେଖାଦେଇଛି । ଆଶ୍ରମର କେତେକ ଅଂଶ ମଧ୍ୟ ଦବିବା ଆରମ୍ଭ କରିଛି । ଏହାକୁ ନେଇ ସେଠାରେ ସତର୍କତା ଅବଲମ୍ବନ କରାଯାଉଛି । ଏସବୁ ଭିତରେ ପ୍ରଧାନମନ୍ତ୍ରୀ ମୋଦି ଯୋଶୀମଠ ସ୍ଥିତି ନେଇ ଉଚ୍ଚସ୍ତରୀୟ ବୈଠକ କରି ସ୍ଥିତି ସମୀକ୍ଷା କରିଛନ୍ତି । ଏହାସହ ରାଜ୍ୟ ସରକାରଙ୍କୁ ସବୁପ୍ରକାର ସହାୟତା ଯୋଗାଇଦେବାକୁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଯୋଶୀମଠରେ ୬ଶହରୁ ଅଧିକ ଘରେ ଫାଟ ସୃଷ୍ଟି ହୋଇଛି । ଏଥିମଧ୍ୟରୁ ପ୍ରାୟ ଏକଶହରୁ ଅଧିକ ଘର କେବେ ବି ଭୁଶୁଡିବା ପରିସ୍ଥିତି ସୃଷ୍ଟି ହୋଇଛି । ଲୋକେ ଆତଙ୍କିତ ହୋଇପଡିଛନ୍ତି ।

Advertisment

ସହରରେ ପ୍ରାୟ ୬ ଶହରୁ ଅଧିକ ଘରେ ଫାଟ ହୋଇଗଲାଣି । ତେଣୁ ଏହି ଘରସବୁ ବିପଦଶଙ୍କୁଳ ହୋଇପଡ଼ିଛି । ଆଶଙ୍କା କରାଯାଉଛି, ଏସବୁ ଘର କୌଣସି ସମୟରେ ବି ଭାଙ୍ଗିପଡ଼ିବ । ୧୦ରୁ ଅଧିକ ଘର ଭୁଷୁଡ଼ି ପଡ଼ିଛି । ସହରର ପ୍ରଶାସନ ମଧ୍ୟ ସତର୍କ ହୋଇପଡ଼ିଛି । ଭାଙ୍ଗିପଡ଼ିଥିବା ଘରର ଲୋକମାନେ ବାହାରେ ଆଶ୍ରୟ ନେଇଛନ୍ତି । ତେଣୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ଉପରେ ଗୁରୁତ୍ୱ ଦିଆଯାଉଛି । ସହରର ବିଭିନ୍ନ ଜାଗାରେ ଫାଟ ଓ ଦବିବା ନେଇ ଭୟ ଖେଳିଯାଇଥିବା ବେଳେ ପ୍ରଭାବିତଙ୍କୁ ଭେଟିଛନ୍ତି ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି । ସହରର ବିପଦପୂର୍ଣ୍ଣ ଜାଗାରୁ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଚାଲିଥିବା ବେଳେ ବଡ଼ ଘୋଷଣା କରିଛନ୍ତି ଉରାଖଣ୍ଡ ମୁଖ୍ୟମନ୍ତ୍ରୀ । ଯୋଶୀମଠର ସ୍ଥିତି ଅନୁଧ୍ୟାନ ପାଇଁ କେନ୍ଦ୍ର ସରକାର ଏକ ବିଶେଷଜ୍ଞ କମିଟି ଗଠନ କରିଛନ୍ତି । ଯୋଶୀମଠରେ କାହିଁକି ଏମିତି ଘର ଓ ରାସ୍ତା ଘାଟ ଦବି ଯାଉଛି, ଏନେଇ ଅନୁଧ୍ୟାନ ପରେ କମିଟି ରିପୋର୍ଟ ଦେବ ।

ସେପଟେ ଯୋଶୀମଠ ସଙ୍କଟ ସୁପ୍ରିମକୋର୍ଟରେ ପହଞ୍ଚିଛି । ଏନେଇ କୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ଏଥିରେ ସୁପ୍ରିମକୋର୍ଟ ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ନେବା ପାଇଁ ଅନୁରୋଧ କରାଯାଇଛି ।