ଉତରାଖଣ୍ଡରେ ପ୍ରବଳ ଉତେଜନା । ମଦ୍ରାସ ଭଙ୍ଗାଯିବା ପରେ ହଲଦୱାନୀରେ ଜୋରଦାର ହଙ୍ଗାମା ସହ ହିଂସା,୫ରୁ ଅଧିକ ମୃତ

579

କନକ ବ୍ୟୁରୋ : ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଉତରାଖଣ୍ଡ ଜଳୁଛି । କେଉଁଠି ପୋଡ଼ାଜଳା ତ ପୁଣି କେଉଁଠି ଭଙ୍ଗାରୁଚା । କିଏ ଜୀବନ ବଂଚାଇବାକୁ ଏଠିସେଠି ଲୁଚୁଛି ତ ପୁଣି କିଏ ପ୍ରତିଶୋଧ ପରାୟଣ ହୋଇ ହତ୍ୟା କରିବାକୁ ପଛାଉନି । କିଛି ଘଂଟା ଭିତରେ ବଦଳିଛି ଉତରାଖଣ୍ଡ ହଲଦ୍ୱାନୀର ଚିତ୍ର । ହିଂସାରେ ଜର୍ଜରିତ ହୋଇଛି ପୂରା ଜିଲ୍ଲା । ସୂଚନା ଅନୁସାରେ ଏବେ ସୁଦ୍ଧା ୫ରୁ ଅଧିକ ମୃତ୍ୟୁ ହେବା ସହ ଶତାଧିକ ଆହତ ହୋଇଛନ୍ତି । ଗୁରୁବାର ଏଠାରେ ଥିବା ଏକ ବେଆଇନ ମଦ୍ରାସାକୁ ସ୍ଥାନୀୟ ପ୍ରଶାସନ ଭାଙ୍ଗିବାପରେ ସୃଷ୍ଟି ଉତେଜନାପୂର୍ଣ୍ଣ ମାହୋଲ ଏବେ ବି ଜାରି ରହିଛି ।

ହଲଦ୍ୱାନୀରେ ତ୍ରୀବ ଉତେଜନା ଓ ବ୍ୟାପକ ହିଂସା ଦେଖିବାକୁ ମିଳିଛି । ଘଟଣା ପଛରେ ପିଏଫଆଇ ଓ ବାଙ୍ଗଲାଦେଶୀ ଅନୁପ୍ରବେଶକାରୀଙ୍କ ହାତ ଥିବା ଦାବି କରଯାଉଛି । ଜିଲ୍ଲାପାଳଙ୍କ ବୟାନ ଅନୁସାରେ ହିଂସା ପାଇଁ ପୂର୍ବରୁ ଷଡ଼ଯନ୍ତ୍ର କରାଯାଇଛି । ମଦ୍ରାସା ଚାରିପାଖରେ ଥିବା ଘର ଛାତରୁ ପେଟ୍ରୋଲ ବୋମା, ଗୁଳି, ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ମଦ୍ରାସା ଭଙ୍ଗାଯିବା ପରେ ପୁଲିସ ଉପରକୁ ଉପଦ୍ରବକାରୀ ପେଟ୍ରୋଲ ବୋମା ଫିଙ୍ଗିବା ସହ ଗୁଳିମାଡ଼ କରିଥିଲେ । ମହିଳା କନେଷ୍ଟବଳଙ୍କୁ ପୋଡ଼ି ମାରିବାକୁ ଉଦ୍ୟମ କରାଯାଇଛି  । ପୁଲିସ ଥାନାକୁ ଶତାଧିକ ବିକ୍ଷୋଭକାରୀ ଘେରି ଆକ୍ରମଣ କରିଥିଲେ ।

ସେପଟେ ସ୍ଥିତିକୁ ଆୟତ କରିବା ପାଇଁ ପୂରା ଜିଲ୍ଲାରେ ପୁଲିସ ଛାଉଣୀ ହେବା ସହ କଫ୍ୟୁ ଲଗାଯାଇଛି । ହଲଦ୍ୱାନିରେ ଗୁରୁବାରଠୁ ଇଂଟରନେଟ ସେବା ବନ୍ଦ କରାଯିବା ସହ ସମ୍ବେଦନଶୀଳ ସ୍ଥାନରେ ୧୪୪ ଧାରା ବଳବତର ରହିଛି । ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଛି । ଉପଦ୍ରବକାରୀଙ୍କୁ ଦେଖିବାମାତ୍ରକେ ଗୁଳି କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି ।

ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ଓିଂ ଧାମୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ବସିଛି । ରାଜ୍ୟରେ ଶାନ୍ତି ରକ୍ଷା ପାଇଁ ରାଜ୍ୟବାସୀଙ୍କୁ ଅପିଲ କରାଯାଇଛି । ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରି କଡ଼ା କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଗୁରୁବାର ଯେଉଁସମୟରେ ମଦ୍ରାସା ଭାଙ୍ଗିଥିଲା ସେହି ସମୟରେ ଜୋରଦାର ବିରୋଧପ୍ରଦର୍ଶନ ଦେଖିବାକୁ ମିଳିଥିଲା । ସ୍ଥାନୀୟ ବାସିିନ୍ଦା, ପୁଲିସ ଓ ପ୍ରଶାସନ ମଧ୍ୟରେ ମୁହାଁମୁହିଁ ଘଟଣା କ୍ରମଶ ଉଗ୍ର ରୂପ ନେଇଥିଲା । ସ୍ଥିତି ଏପରି ହୋଇଥିଲା କି ଗୋଡାଇ ଗୋଡାଇ ପିଟିଥିବା ପୁଲିସ ଗାଡିରେ ନିଅାଁ ଲଗାଇବା ସହ ହଙ୍ଗାମା କରିଥିଲେ ବିକ୍ଷୋଭକାରୀ । ସ୍ଥିତି ବିଗୁଡୁଥିବାରୁ ପଡୋଶୀ ରାଜ୍ୟ ଉତରପ୍ରଦେଶ ମଧ୍ୟ ଆଲର୍ଟ ଜାରି କରାଯାଇଛି