ଟନେଲ୍ ଭିତରେ କେମିତି ଅଛନ୍ତି ଫସିଥିବା ଶ୍ରମିକ ? ଖାଦ୍ୟ, ପାନୀୟ, ଔଷଧ ସହ ପାଇପ ଦ୍ୱାରା ଦିଆଯାଉଛି ଅକ୍ସିଜେନ ।

250

କନକ ବ୍ୟୁରୋ: ଟନେଲ ଭିତରେ ଫସିଥିବା ଶ୍ରମିକଙ୍କୁ ଖାଦ୍ୟ, ପାନୀୟ, ଔଷଧ ଓ ଅକ୍ସିଜେନ, ପାଇପ ସାହାଯ୍ୟରେ ପଠାଯାଉଛି । ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଭିଟାମିନ ଯୁକ୍ତ ଖାଦ୍ୟ ଓ ଡ୍ରାଏଫୁଡ ମଧ୍ୟ ପଠାଯାଉଛି । ଯାହା ସେମାନଙ୍କୁ ଦୀର୍ଘ ଘଂଟା ପାଇଁ ସତେଜ ଓ ସୁସ୍ଥ ରଖିବ । ସ୍ଥାନୀୟ ପ୍ରଶାସନ କହିଛି ଯଥା ସମ୍ଭବ ଚେଷ୍ଟା କରାଯାଉଛି କିଭଳି ସମସ୍ତ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବ । ରେସକ୍ୟୁ ଅପରେସନ ଜାରି ରହିଛି । ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଅଗର ଡ୍ରିଲିଂ ମେସିନ୍ ପହଂଚିଛି । ଏହି ମେସିନ୍ ଟନେଲ ଜଲଦି ଖୋଳିବାକୁ ସାହଯ୍ୟ କରିବ ।

ସେପଟେ ନିଜ ସର୍ମ୍ପକୀୟଙ୍କ ଫେରିବା ବାଟକୁ ଚାହିଁବସିଛନ୍ତି ଶ୍ରମିକଙ୍କ ପରିବାର-ପରିଜନ । ଟନେଲ ବାହାରେ ଫସିଥିବା ଶ୍ରମିକଙ୍କ ସର୍ମ୍ପକୀୟ ଚାତକ ପରି ଚାହିଁବସିଛନ୍ତି । ସ୍ଥାନୀୟ ପ୍ରଶାସନ ଓ ଉତରାଖଣ୍ଡ ସରକାରଙ୍କ ଚେଷ୍ଟା ଉପରେ ଭରସା ରଖିଛନ୍ତି ଶ୍ରମିକଙ୍କ ସର୍ମ୍ପକୀୟ ।

ଟନେଲ ଭିତରେ ଫସିଥିବା ଶ୍ରମିକଙ୍କ ସୁରକ୍ଷିତ ଫେରିବା ପାଇଁ ସ୍ଥାନୀୟ ବାସିନ୍ଦା, ପରିବାର ସର୍ମ୍ପକୀୟ ପୂଜାର୍ଚ୍ଚନା ଜାରି ରଖିଛନ୍ତି । ଘଟଣାସ୍ଥଳରେ ମଙ୍ଗଳବାର ଜଣେ ପୂଜକ ପହଁଚି ଶ୍ରମିକଙ୍କ ସୁରକ୍ଷିତ ଲେଉଟାଣି ପାଇଁ ପୂଜା ମଧ୍ୟ କରିଛନ୍ତି । ୪୦ଜଣ ଶ୍ରମିକ ସୁରକ୍ଷିତ ଥିବା ସ୍ଥାନୀୟ ପ୍ରଶାସନ ଓ ଉଦ୍ଧାରକାରୀ ଦଳ ସୂଚନା ଦେଇଛନ୍ତି ।