ଆଶଙ୍କା ଭିତରେ ଆଶାର କିରଣ । ସୁଡ଼ଙ୍ଗ ଭିତରୁ ଶ୍ରମିକଙ୍କ ପ୍ରଥମ ଭିଡିଓ, ସମସ୍ତ ଶ୍ରମିକ ସୁସ୍ଥ ଓ ସୁରକ୍ଷିତ

175

କନକ ବ୍ୟୁରୋ : ସୁଡ଼ଙ୍ଗ ଭିତରେ ୧୦ ଦିନ । ଚିନ୍ତା କଲେ ବି ଲୋମଟାଙ୍କୁରୀ ଉଠୁଛି । ଥରେ ଚିନ୍ତା କରନ୍ତୁ ସେହି ସମସ୍ତ ୪୧ଜଣ ଶ୍ରମିକଙ୍କ ବିଷୟରେ । ଯେଉଁମାନେ ୧୦ଦିନ ହେବ ସୁଡ଼ଙ୍ଗ ଭିତରେ ଫସିରହିଛନ୍ତି । ଏକଥା କାହାକୁ ବି ଜଣାନାହିଁ ଏହି ସୁଡ଼ଙ୍ଗ ଭିତରୁ କେବେ ଶ୍ରମିକମାନେ ସୁରକ୍ଷିତ ଉଦ୍ଧାର ହେବେ ? ତଥାପି ସମସ୍ତଙ୍କ ପ୍ରାର୍ଥନା କଳେବଳେ କୌଶଳେ ସମସ୍ତ ୪୧ ଶ୍ରମିକ ମୃତ୍ୟୁର ଫାଶରୁ ମୁକୁଳିବେ । ଆଶଙ୍କା ଭିତରେ ଗୋଟିଏ ଆଶାର କିରଣ ଦେଖାଦେଇଛି । ୯ଦିନ ପରେ ପ୍ରଥମ ଥର ପାଇଁ ସେହି ଶ୍ରମିକମାନଙ୍କ ପ୍ରଥମ ଝଲକ ଦେଖିବାକୁ ମିଳିଛି ।

୬ଇଂଚ ପାଇପରେ ପଠାଯାଇଥିବା କ୍ୟାମେରା ଶ୍ରମିକମାନଙ୍କୁ ଫଟୋ ଓ ଭିଡିଓ ଉତୋଳନ କରାଯାଇଛି । ସମସ୍ତ ଶ୍ରମିକ ସୁସ୍ଥ ଓ ସୁରକ୍ଷିତ ଅଛନ୍ତି । ୱାକିଟକିରେ କଥା ହୋଇ ସେଠାକାର ସ୍ଥିତି କ’ଣ ରହିଛି? କ’ଣ ସୁବିଧା ଅସୁବିଧା କଥା ପ୍ରକାଶ କରିଛନ୍ତି ଫସିଥିବା ଶ୍ରମିକ । ସୁଡ଼ଙ୍ଗକୁ ଏଣ୍ଡୋସ୍କୋପି କ୍ୟାମେରା ଫ୍ଲେକ୍ସି କ୍ୟାମେରା ପାଇପଲାଇନ ଜରିଆରେ ଏହାକୁ ପଠାଯାଇଛି । କ୍ୟାମେରାରରେ ଉପରେ ଲାଗିଛି ଛୋଟ ଲାଇଟ । ଦୁଇଟି ଚାର୍ଜର ଲଗାଇ ପଠାଯାଇଛି ।

ସୁଡ଼ଙ୍ଗ ଭିତରେ ଶ୍ରମିକମାନେ ଏକାଠି ଛିଡା ହୋଇଛନ୍ତି । ସୁଡ଼ଙ୍ଗ ବାହାରେ ରହି କ୍ୟାମେରାରେ ଶ୍ରମିକଙ୍କ ସହ ଯୋଗାଯୋଗ କରିଥିବା ଉଦ୍ଧାରକାରୀ ଦଳ ସେମାନଙ୍କ ମନୋବଳ ବୃଦ୍ଧି କରିବା ସହ ଖୁବ ଶିଘ୍ର ସେମାନଙ୍କୁ ଉଦ୍ଧାର କରାଯିବ ବୋଲି ଆଶ୍ୱସନା ଦେଇଛନ୍ତି । ସେପଟେ ଶ୍ରମିକଙ୍କ ଫେରିବା ବାଟକୁ ଚାହିଁବସିଛନ୍ତି ପରିଜନ ।

ଫସି ରହିଥିବା ଶ୍ରମିକଙ୍କୁ ଏହା ସାହାଯ୍ୟରେ ପ୍ଲାଷ୍ଟିକ୍ ବୋତଲରେ ପୁଷ୍ଟିକର ରନ୍ଧାଖାଦ୍ୟ ପଠାଯାଇଛି । ସେଓ, ଦଲିଆ, ଖେଚୁଡି ଭଳି ହାଲୁକା ଖାଦ୍ୟ ପଦାର୍ଥ ଯୋଗାଇ ଦିଆଯାଇଛି । ସକାଳୁ ମଧ୍ୟ ଶ୍ରମିକଙ୍କ ପାଇଁ ହାଲୁକା ଖାଦ୍ୟ ପ୍ରସ୍ତୁତ କରାଯାଉଛି । ଗତକାଲି ମଧ୍ୟ ରନ୍ଧା ଖାଦ୍ୟ ସହ ପାଣି , ଚାପମୁକ୍ତ ରହିବାକୁ ଔଷଧ ମଧ୍ୟ ଏହି ପାଇପ୍ ସାହାଯ୍ୟରେ ଶ୍ରମିକଙ୍କ ପାଖକୁ ପଠାଯାଇଛି । ସେପଟେ ଉତରାଖଣ୍ଡ ସରକାରଙ୍କ ସହ କଥା ହୋଇ ପ୍ରଧାନମନ୍ତ୍ରୀ ସ୍ଥିତି ସମ୍ବନ୍ଧରେ ପଚାରିବୁଝିଛନ୍ତି ।

ବର୍ତମାନ ୫ ସୂତ୍ରୀ ଯୋଜନାରେ ଉଦ୍ଧାର ଅଭିଯାନ ଜାରି ରହିଛି । ଏହି ଅନୁସାରେ ୩ ପଟୁ ଡ୍ରିଲିଂ କରାଯାଉଛି । ଅତ୍ୟାଧୁନିକ ଡ୍ରିଲିଂ ମେସିନ ଟନେଲ ନିକଟରେ ପହଁଚୁଛି । ସେପଟେ ଶ୍ରମିକଙ୍କ ଉଦ୍ଧାର ପ୍ରକିୟାରେ ଡିଆରଡିଓର ରୋବଟ ଦକ୍ଷକୁ ମଧ୍ୟ ନିୟୋଜିତ କରାଯାଇଛି । ଆଶା କରାଯାଉଛି ଖୁବ ଶିଘ୍ର ସମସ୍ତ ଶ୍ରମିକ ସୁରକ୍ଷିତ ଟନେଲରୁ ଉଦ୍ଧାର ହେବେ