ଉତ୍ତରକାଶୀର ଟନେଲରେ ଫସିଥିବା ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଚାଲିଛି ପ୍ରାଣମୂର୍ଚ୍ଛା ପ୍ରୟାସ । ଆହୁରି ଲାଗିବ ୨୬ରୁ ୩୦ ଘଣ୍ଟା ।

130

କନକ ବ୍ୟୁରୋ: ଉତ୍ତରାଖଣ୍ଡ, ଉତ୍ତରକାଶୀରେ ଟନେଲ ମାଟି ଅତଡ଼ା ଖସିବା ଘଟଣାର ଆରମ୍ଭ ହେଲା ଅନୁସନ୍ଧାନ । ଭୁଶୁଡ଼ିବା କାରଣ ଅନୁସନ୍ଧାନ କରିବା ପାଇଁ ଉତ୍ତରାଖଣ୍ଡ ସରକାର ଗଠନ କଲେ ୬ ଜଣିଆ ବିଶେଷଜ୍ଞ କମିଟି । ଅନୁସନ୍ଧାନକାରୀ ଦଳ ଘଟଣାସ୍ଥଳ ଯାଞ୍ଚ କରିବ ଏବଂ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦାଖଲ କରିବେ ।

ସେପଟେ କନକ ନ୍ୟୁଜକୁ ଉତ୍ତରାଖଣ୍ଡ ବିପର୍ଯ୍ୟୟ ପରିଚାଳନା ସଚିବ ରଞ୍ଜିତ ସିହ୍ନା ସୂଚନା ଦେଇଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି, ୨୬ରୁ ୩୦ ଘଂଟା ଭିତରେ ଫଶିଥିବା ଶ୍ରମିକ ଉଦ୍ଧାର ହେବେ ବୋଲି କହିଛନ୍ତି । ୪୮ ଘଂଟାରୁ ଅଧିକ ସମୟ ଧରି ଫସିରହିଛନ୍ତି ୪୦ରୁ ଅଧିକ ଶ୍ରମିକ । ଶ୍ରମିକଙ୍କୁ ବାହାର କରିବା ପାଇଁ ଏକ ସୁରକ୍ଷିତ ମାର୍ଗ ପ୍ରସ୍ତୁତ କରାଯାଉଛି ।

ରବିବାର ମାଟି ଅତଡା ଭୁଷୁଡି ପଡିବାରୁ ନିର୍ମାଣାଧିନ ଟନେଲରେ ଫସି ଯାଇଥିଲେ ଶ୍ରମିକମାନେ । ତେବେ ସମସ୍ତ ଶ୍ରମିକ ସୁରକ୍ଷିତ ଥିବା ସୂଚନା ଦେଇଥିଲେ ଉତରାଖଣ୍ଡ ସରକାର । ଆଉ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବାକୁ ଜାରି ରହିଛି ପ୍ରୟାସ, ଟନେଲରୁ ମାଟି ଓ ପଥର ହଟାଇବାକୁ ବଡ ବଡ ବୁଲଡୋଜର ଲଗାଯାଇଛି । ଫସି ରହିଥିବା ଶ୍ରମିକଙ୍କ ମଧ୍ୟରେ ଅଛନ୍ତି ୫ ଓଡିଆ । ସେପଟେ ଉତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ ପୁଣି ଥରେ ଆଲୋଚନା କରି ସ୍ଥିତି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।