ଭାରତର ଆଶ୍ଚର୍ଯ୍ୟ ଗାଁ । ଗାଁ ଭିତରକୁ ଔଷଧର ପ୍ରବେଶ ନିଷେଧ । କେବଳ ଚେରମୂଳୀରେ ହୋଇଥାଏ ଚିକିତ୍ସା ।

197

କନକ ବ୍ୟୁରୋ :  କରୋନା ଆସିବା ପରେ ଲୋକମାନଙ୍କ ଶରୀରରେ କେତେ ପରିମାଣର ରୋଗ ପ୍ରତିରୋଧ ଶକ୍ତି ରହିଛି ତାହା ପଦାକୁ ଆସିଛି । ଏହା ବ୍ୟତୀତ ଏବେ ସମୟରେ ପ୍ରତିଟି ଲୋକ ଔଷଧ ବ୍ୟବହାର ନ କଲେ ବଞ୍ଚିବା କଷ୍ଟକର । ହେଲେ ଆମେ ଆପଣଙ୍କୁ ଏମିତି ଏକ ଗାଁର କଥା କହିବାକୁ ଯାଉଛୁ ଯେଉଁଠି ଲୋକମାନେ କେଉଁ କାଳରୁ ଔଷଧ ବ୍ୟବହାର କରନ୍ତି ନାହିଁ । ଏଭଳି ଗାଁଟି ରହିଛି ଭାରତ-ତିବ୍ଦତ ସୀମାରେ ।  ତେହରୀ ଜିଲ୍ଲାରେ ଅବସ୍ଥିତ ଏହି ଗାଁର ନାମ ଗଙ୍ଗୀ । ଏହି ଜିଲ୍ଲାରେ ଏମିତି ଔଷଧୀୟ ଗଛ ରହିଛି ତାହା ଭାରତର ଅନ୍ୟ କୌଣସି ଅଞ୍ଚଳରେ ଦେଖିବାକୁ ମିଳି ନଥାଏ । ଏହି କାରଣରୁ ଏହି ଗାଁର ଲୋକେ ରୋଗରେ ପଡିଲେ ଔଷଧ ବଦଳରେ ଚେରମୂଳୀ ମାଧ୍ୟମରେ ଚିକିତ୍ସା କରାଇଥାନ୍ତି । ସବୁଠାରୁ ବଡକଥା ଏହି ଗାଁର ଲୋକେ କରୋନାରେ ସଂକ୍ରମିତ ହେବା ପରେ ବି ଔଷଧ ବଦଳରେ ଚେରମୂଳୀ ଖାଇ ସୁସ୍ଥ ହେଉଥିବା କୁହାଯାଉଛି ।

ସୂଚନା ମୁତାବକ ଭାରତ- ତିବ୍ଦତ ସୀମାରେ ଥିବା ତେହରୀ ଜିଲ୍ଲା ମୁଖ୍ୟାଳୟ ଠାରୁ ଏହି ଗ୍ରାମର ଦୂରତା ପାଖା ପାଖି ୧୨୦ କିଲୋମିଟର । ଏହି ଗ୍ରାମରେ ପାଖା ପାଖି ୧୫୦ ରୁ ଅଧିକ ଲୋକ ବାସ କରିନ୍ତି । ହେଲେ ସ୍ୱାଧିନତାର ୭ ଦଶନ୍ଧି ପରେ ବି ଏହି ଗ୍ରାମର ଲୋକମାନେ ମୌଳିକ ସୁବିଧାରୁ ବଂଚିତ । ହେଲେ ଏହି ଗାଁକୁ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଚେରମୂଳୀର ଖଚ୍ଚି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏଠିକାର ଲୋକ ଏପର୍ଯ୍ୟନ୍ତ ଏଲୋପାଥି ଔଷଧର ବ୍ୟବହାର କରନ୍ତି ନାହିଁ । ଏଠିକାର ଲୋକମାନେ ରୋଗରେ ପଡିଲେ ଚେରମୂଳୀରୁ ଔଷଧ ପ୍ରସ୍ତୁତ କରି ବ୍ୟବହାର କରନ୍ତି ଓ ଆରୋଗ୍ୟ ମଧ୍ୟ ହୋଇଥାନ୍ତି ।

ଏହି ଗ୍ରାମର ଲୋକମାନେ ମୁଖ୍ୟତ ଚାଷ ଓ ପଶୁ ପାଳନକୁ ନିଜର ଜୀବୀକା ଭାବେ ଗ୍ରହଣ କରିଛନ୍ତି । ଏଠିକାର ଲୋକମାନେ କହନ୍ତି କି ସେମାନେ ତାଙ୍କ ପୂର୍ବପରୁଷଙ୍କ ଠାରୁ ଏଭଳି ଚେରମୂଳୀରୁ ଔଷଧ ପ୍ରସ୍ତୁତ କରିବା ଶିଖିଛନ୍ତି । ଏବେ ବି ସେଠିକାର ଜଙ୍ଗଲମାନଙ୍କରେ ଏମିତି କିଛି ଜଡିବୁଟି ରହିଛି ଯାହାକୁ ବ୍ୟବହାର କରି ଲୋକମାନେ କରୋନାରୁ ସୁସ୍ଥ ହେଉଛନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ବି କହିଛନ୍ତି କି ଏଠାରେ ଏମିତି ଅନେକ ଜଡିବୁଟି ରହିଛି ଯାହାକୁ ବ୍ୟବହାର କରିବା ଦ୍ୱାରା ଅନେକ ରୋଗରୁ ଉପଷମ ମିଳିବ ।

ଅନ୍ୟପଟେ ବାହାର ଦୁନିଆ ଦେଖି ନଥିବା ଓ ଶିକ୍ଷାର ଅଭାବ ଦୃଷ୍ଟିରୁ ଏଠି ଆଧୁନିକତାର ଛାପ ବି ପଡି ନାହିଁ । ଏହାର ସୁଯୋଗ ନେଇ ସରକାର ବି ସେମାନଙ୍କୁ ଉପେକ୍ଷା କରିଛନ୍ତି ।