ଉତ୍ତରାଖଣ୍ଡ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କ ଅଜବ ପ୍ରଚାର, ଭୋଟ ମାଗିବା ବେଳେ କରୁଛନ୍ତି ଏଭଳି ଅଭିନୟ

ଉତ୍ତରାଖଣ୍ଡ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କ ଅଜବ ପ୍ରଚାର, ଭୋଟ ମାଗିବା ବେଳେ କରୁଛନ୍ତି ଏଭଳି ଅଭିନୟ

କନକ ବ୍ୟୁରୋ : ଚଳିତମାସ ଦେଶର ୫ ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ପ୍ରାର୍ଥୀମାନଙ୍କର ଭୋଟ ମାଗିବାର ତରିକା ସେତେ ରୋଚକ ହେବାରେ ଲାଗିଛି । କ୍ଷମତାରେ ଥିବା ବେଳେ ଲୋକଙ୍କୁ ଭିକାରୀ ଭାବି ପିଣ୍ଢାରେ ବସାଇ ଦେଉନଥିବା ନେତା ଭୋଟ ମାଗିବା ବେଳେ ନିଜକୁ ଭିକାରୀ ବୋଲି କହିବାକୁ କୁଣ୍ଠାବୋଧ କରୁ ନାହାଁନ୍ତି । ୭୦ ଆସନ ବିଶିଷ୍ଟ ଉତ୍ତରାଖଣ୍ଡରେ ଫେବୃଆରୀ ୧୪ ତାରିଖରେ ଭୋଟଗ୍ରହଣ ହେବ । ଏହି କ୍ରମରେ ତେହରୀ ଗରହୱାଲ ଜିଲ୍ଲାରୁ ଜଣେ ପ୍ରାର୍ଥୀଙ୍କର ଭୋଟ ମାଗିବା ତରିକା ଏବେ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି ।

ସୂଚନା ମୁତାବକ ଘନଶାଲୀ ବିଧାନସଭା ଆସନରୁ କଂଗ୍ରେସ ଟିକେଟରେ ବିଧାୟକ ପ୍ରାର୍ଥୀଭାବେ ନିର୍ବାଚନ ଲଢୁଥିବା ଧନୀଲାଲ ସାହା ଲୋକଙ୍କ ପାଖରେ ପହଂଚି କହୁଛନ୍ତି କି ମୋତେ ଭିକାରୀ ଭାବି ଭୋଟ ଦିଅନ୍ତୁ । ଭିକ ରୂପେ ଭୋଟ ମାଗୁଥିବା ଧନୀଲାଲ ଲୋକମାନଙ୍କ ସହ ବିଭିନ୍ନ ଆଲୋଚନା କରୁଥିବା ବେଳେ ଘରକୁ ଘର ଯାଇ ଲୋକଙ୍କୁ ଅନୁରୋଧ କରୁଛନ୍ତି କି ଚଳିତ ନିର୍ବାଚନରେ ମୋତେ ଭୋଟ ଦେଇ ବିଧାନସଭାକୁ ପଠାନ୍ତୁ । ଯଦି ଆପଣ ମୋତେ ଭୋଟ ଦେବେ ନାହିଁ ତେବେ ମୋ ମୃତ୍ୟୁ ପରେ ମୋ ଶବ ଉପରେ ଗୋଟିଏ ଗୋଟିଏ କାଠ ଖଣ୍ଡ ପକାଇବାକୁ ନିଶ୍ଚିନ୍ତ ଆସିବେ ବୋଲି ସେ ଭୋଟରମାନଙ୍କୁ ଅନୁରୋଧ କରୁଛନ୍ତି ।

୭୦ ଆସନ ବିଶିଷ୍ଟ ଉତ୍ତରାଖଣ୍ଡ ବିଧାନସଭାର କାର୍ଯ୍ୟକାଳ ୨୦୨୨ ମାର୍ଚ୍ଚ ୨୩ ତାରିଖରେ ଶେଷ ହେବାକୁ ଯାଉଛି । ଏଥିରେ କଂଗ୍ରେସ ସହିତ ବିଜେପି, ଆମ ଆଦମୀ ପାର୍ଟି, ବହୁଜନ ସମାଜବାଦୀ ପାର୍ଟି ଓ ଅନ୍ୟ ଛୋଟ ଛୋଟ ଦଳମାନେ ନିର୍ବାଚନରେ ପ୍ରାର୍ଥୀ ଦେଇଛନ୍ତି । ହେଲେ ବିଜେପି ପାଇଁ ଏହି ନିର୍ବାଚନ ବେସ୍ ଗୁରୁତ୍ୱପୂର୍ଣ୍ଣ ରହିଛି । କାରଣ ଏଠାରେ ପ୍ରତି ୫ ବର୍ଷରେ ସରକାର ବଦଳାଇବା ସହ ଲୋକମାନେ ପାର୍ଟି ବି ବଦଳାଇ ଦେଉଥିବାର ଉଦାହରଣ ରହିଛି । ଏହି କ୍ରମରେ ଚଳିତ ପାଳି କଂଗ୍ରେସ ସରକାର କରିବ ବୋଲି ଦଳ ପୂର୍ଣ୍ଣ ଭରଶାରେ ରହିଛି ।

ଉତ୍ତରାଖଣ୍ଡରେ ବିଜେପି ଇତିହାସ ରଚିବାକୁ ପ୍ରୟାସ ଜାରି ରଖିଥିବା ବେଳେ ପୂର୍ବ ନିର୍ବାଚନରେ ବିଜେପିକୁ ୫୭ ଟି ଆସନ ମିଳିଥିଲା । ଏହି କ୍ରମରେ ବିଜେପି ସେଠାରେ ସରକାର ଗଠନ କରିବା ସହ ତ୍ରିବେନ୍ଦ୍ର ସିଂ ରାୱତ ମୁଖ୍ୟମନ୍ତ୍ରୀ ହୋଇଥିଲେ । ହେଲେ ୪ ବର୍ଷ ପରେ ଏକ ନାଟକୀୟ ଢଙ୍ଗରେ ବିଜେପି ତ୍ରିବେନ୍ଦ୍ର ସିଂଙ୍କୁ ହଟାଇ ତୀରର୍ଥ ସିଂଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe