ଦେବଭୂମିରେ ପ୍ରକୃତିର ତାଣ୍ଡବ : ଉତ୍ତରାଖଣ୍ଡରେ ଲଗାଣ ବର୍ଷା ଯୋଗୁଁ ଗଲାଣି ୪୦ରୁ ଅଧିକ ଜୀବନ

ଆକାଶ ମାର୍ଗରୁ ଜାରି ରହିଛି ଉଦ୍ଧାର କାର୍ଯ୍ୟ; କୁମାଉଁ ଅଂଚଳ ସବୁଠୁ ଅଧିକ ପ୍ରଭାବିତ

68

କନକ ବ୍ୟୁରୋ : ଉତ୍ତରାଖଣ୍ଡରେ ଲଗାତାର ୩ ଦିନ ଧରି ଲଗାଣ ବର୍ଷା, ବାଦଲଫଟା ବର୍ଷା‌ ଏବଂ ବିଭିନ୍ନ ଅଞ୍ଚଳରେ ବନ୍ୟା ଯୋଗୁଁ ଅତି କମ୍‌ରେ ୪୦ରୁ ଅଧିକ ଜଣଙ୍କ ମୃତ୍ୟୁ ଘଟିଛି । ନୈନିତାଲ୍‌ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ଭୂସ୍ଖଳନ ଯୋଗୁଁ ନୈନିତାଲ୍‌କୁ ସଂଯୋଗ ହୋଇଥିବା ୩ଟି ରାସ୍ତା ବନ୍ଦ ହୋଇଯାଇଥିବାରୁ ନୈନିତାଲ ସହ କୌଣସି ସଡ଼କ ଯୋଗାଯୋଗ ନାହିଁ । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଆକାଶ ମାର୍ଗରୁ ବର୍ଷା ପ୍ରଭାବିତ ଅଞ୍ଚଳଗୁଡ଼ିକର ସ୍ଥିତି ସମୀକ୍ଷା କରିଛନ୍ତି । ପ୍ରବଳ ବର୍ଷା, ଭୂସ୍ଖଳନ ଏବଂ ବନ୍ୟା ଯୋଗୁଁ ଉତ୍ତରାଖଣ୍ଡ‌ରେ ମୃତ୍ୟୁ ସଂଖ୍ୟ ବୃଦ୍ଧି ପାଇଛି। ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାର ସଦସ୍ୟଙ୍କ ପାଇଁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି ।

ଯେଉଁମାନେ ବର୍ଷା ଏବଂ ବନ୍ୟା ଯୋଗୁଁ ଘର ହରାଇଦେଇଛନ୍ତି ସେମାନଙ୍କ ପାଇଁ ୧.୯ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା ହୋଇଛି । ବନ୍ୟା ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ଖାଲି କରିବାପାଇଁ ଏନ୍‌ଡିଆରଏଫ୍‌ର ୧୫ଟି ଟିମ୍‌ ମୁତୟନ ହୋଇଛନ୍ତି । ଉଧମ ସିଂହ ନଗର ଜିଲ୍ଲାରେ ୬ ଏନ୍‌ଡିଆରଏଫ୍‌ ଟିମ୍‌ ମୁତୟନ ହୋଇଥିବାବେଳେ ଉତ୍ତରକାଶୀ ଏବଂ ଚାମୋଲିରେ ୨ଟି ଲେଖାଏଁ ଟିମ୍‌ ଏବଂ ଡେରାଡୁନ, ପିଥୋରଗଡ଼ ଏବଂ ହରିଦ୍ବାରରେ ଗୋଟିଏ ଲେଖାଏଁ ଟିମ୍‌ ମୁତୟନ ହୋଇଛି । ଉଦ୍ଧାର କାର୍ଯ୍ୟ ଆଜି ବ୍ୟାପକ ହୋଇଛି ଏବଂ ଉଦ୍ଧମ ସିଂହ ନଗର ଜିଲ୍ଲା ଏବଂ ଅନ୍ୟ ବନ୍ୟା ପ୍ରଭାବିତ ଅଞ୍ଚଳରୁ ଏଯାବତ୍‌ ୩୦୦ରୁ ଅଧିକ ଲୋକଙ୍କୁ ଖାଲି କରାଯାଇଛି । ରିଲିଫ୍‌ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ତୁରନ୍ତ ସେନାର ୩ଟି ହେଲିକପ୍ଟର ମୁତୟନ କରାଯାଇଛି । ଲୋକେ ଭୟଭୀତ ନହୋଇ ପରିସ୍ଥିତିର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଉତ୍ତରପ୍ରଦେଶ ଏବଂ ଦିଲ୍ଲୀର ପ୍ରାୟ ୧୫୦ ଜଣ ପର୍ଯ୍ୟଟକ ରାମନଗର ଅଞ୍ଚଳର ‘ଲେମନ ଟ୍ରି’ ରିସୋର୍ଟରେ ଫସି ଯାଇଛନ୍ତି । କୋସୀ ନଦୀରେ ଜଳସ୍ତର ବଢ଼ିଥିବାରୁ ଉକ୍ତ ରି ସୋର୍ଟ ଜଳମଗ୍ନ ହୋଇଯାଇଛି । ସ୍ଥାନୀୟ ପୁଲିସ ରିସୋର୍ଟରୁ ପର୍ଯ୍ୟଟକମାନଙ୍କୁ ଉଦ୍ଧାର କରିଛି । ନୈନିତାଲର ନୈନି ହ୍ରଦ ଜଳ ବିପଦସଙ୍କେତ ଟପିଯାଇଛି ଏବଂ ହ୍ରଦ ଜଳ ରାସ୍ତା ଆଡ଼କୁ ମାଡ଼ି ଯାଇଛି । ଅନେକ ସ୍ଥାନରେ ଘରଦ୍ବାର ଭାଙ୍ଗି ଯାଇଛି । ଉତ୍ତରାଖଣ୍ଡ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ସଚିବଙ୍କ ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟାରେ ଉତ୍ତରାଖଣ୍ଡ ୨୦୦ ମିମି ବର୍ଷା ହୋଇଛି । ଚମ୍ପାୱତର ଚଲ୍‌ତି ନଦୀ ଉପରେ ଥିବା ଏକ ନିର୍ମାଣାଧୀନ ବ୍ରିଜ୍‌ ଧୋଇଯାଇଛି ।