କନକ ବ୍ୟୁରୋ : କିଛି ଦିନର ଆଶ୍ୱସ୍ତି ପରେ ଉତରାଖଣ୍ଡରେ ପୁଣି ବନ୍ୟାସ୍ଥିତି ଦେଖିବାକୁ ମିଳିଛି । ଲଗାତର ଭାବେ ପ୍ରବଳ ବର୍ଷା ଯୋଗୁଁ ବେହାଲ ହୋଇପଡ଼ିଛି ଉତରାଖଣ୍ଡର ବିଭିନ୍ନ ସ୍ଥାନ । ଗାଁ ଠୁ ନେଇ ସହରର ଗଳି କନ୍ଦ ପର୍ଯ୍ୟନ୍ତ ଚାରିଆଡ଼େ ଚାଲୁଛି ପ୍ରଖର ସ୍ରୋତ । ମୁଖ୍ୟତଃ ଉତରାଖଣ୍ଡର ହଲଦ୍ୱାନୀ ସହରର ସ୍ଥିତି ବନ୍ୟା ଯୋଗୁଁ ସଙ୍ଗୀନ ହୋଇପଡ଼ିଛି । ସବୁଆଡ଼େ ଭରି ରହିଛି ଅକାତ କାତ ପାଣି । ବନ୍ୟାସ୍ଥିତିକୁ ବର୍ଷା ମଧ୍ୟ ଥମିବାର ନାଁ ନେଉ ନାହିଁ । ଯାହା ଲୋକଙ୍କ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି । ରାସ୍ତାଘାଟରେ ପ୍ରବଳ ପାଣି ଯୋଗୁଁ ଯାନବାହନ ମଧ୍ୟ ପ୍ରଭାବିତ ହୋଇଛି । ବନ୍ୟାଜଳର ପ୍ରଖର ସ୍ରୋତ ଯୋଗୁଁ ତଳିଆ ଅଂଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ବହୁ ଘର ଭାଙ୍ଗିଯିବା ଫଳରେ ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ।

Advertisment

ବହୁ ସଂଖ୍ୟକ ଲୋକେ ଜଳବନ୍ଦୀ ଜୀବନ କାଟୁଛନ୍ତି । ବନ୍ୟାଜଳ ଲୋକଙ୍କ ନିଦ ହଜାଇ ଦେଇଛି । ବନ୍ୟା ପ୍ରଭାବିତ ଲୋକଙ୍କୁ ଅନ୍ୟ ସ୍ଥାନକୁ ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ ଟିମ୍ । ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯାଇ ସେମାନଙ୍କ ଖାଇବା ପିଇବାର ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ସ୍ଥାନୀୟ ଶାଖା ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ହେବାରେ ଲାଗିଛି । ଡ଼େରାଡ଼ୁନ, ଟିହରି, ପୈାଡ଼ୀ, ନୈନିତାଲ ଏବଂ ଚମ୍ପାବତ ଆଦି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ଅରେଂଜ ୱାଣ୍ଣିଂ ଜାରି କରାଯାଇଛି ।

ଏପଟେ ଗଙ୍ଗା ନଦୀରେ ମଧ୍ୟ ଜଳସ୍ତର ବଢ଼ିବାରେ ଲାଗିଛି । ଫଳରେ ସ୍ଥାନୀୟ ବାସିନ୍ଦାଙ୍କ ଚିନ୍ତା ବଢିଯାଇଛି । ଲଗାତର ଭାବେ ଯଦି ଏପରି ଜଳସ୍ତର ବଢ଼େ ତେବେ ପୁଣି ଭୟାବହ ବନ୍ୟା ପରିସ୍ଥିତି ନେଇ ଆଶଙ୍କା କରିଛନ୍ତି ସ୍ଥାନୀୟ ବାସିନ୍ଦା ।