ଉତ୍ତରାଖଣ୍ଡ ହାଇକୋର୍ଟ ଏବେ ପର୍ଣ୍ଣ ସାଇଟ୍ ବନ୍ଦ କରିବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ପର୍ଣ୍ଣ ସାଇଟର ଖରାପ ପ୍ରଭାବ ପିଲାମାନଙ୍କ ଉପରେ ପଡ଼ିବାରୁ ଦୁଷ୍କର୍ମ ସଂଖ୍ୟା ବଢ଼ୁଥିବା କହି ହାଇକୋର୍ଟ ଏହି ରାୟ ଦେଇଛନ୍ତି । କେନ୍ଦ୍ର ସରକାର ଇଣ୍ଟରନେଟରେ ଉପଲବ୍ଧ ଥିବା ୮୫୯ ପର୍ଣ୍ଣ ସାଇଟକୁ ବନ୍ଦ କରିବା ପାଇଁ କଡ଼ା ପଦକ୍ଷପ ନିଅନ୍ତୁ ବୋଲି ହାଇକୋର୍ଟ କହିଥିବା ଜଣା ପଡ଼ିଛି । ଏହା ସହ ଇଣ୍ଟରନେଟ୍ ସର୍ଭିସ ପ୍ରୋଭାଇଡ଼ରମାନଙ୍କୁ ମଧ୍ୟ କେନ୍ଦ୍ର ସରକାରଙ୍କ ସୂଚୀ ଅନୁସାରେ ପର୍ଣ୍ଣ ସାଇଟକୁ ବନ୍ଦ କରିବା ପାଇଁ ଆଦେଶ ଦେଇଛନ୍ତି ହାଇକୋର୍ଟ ।
ସୂଚନା ମୁତାବକ, ଡ଼େରାଡୁନରେ ଥିବା ଏକ ସ୍କୁଲର କିଛି ଛାତ୍ର ପର୍ଣ୍ଣ ଫିଲ୍ମ ଦେଖି ନିଜ ସହପାଠୀଙ୍କ ଗଣଦୁଷ୍କର୍ମ ଘଟଣାର ଶୁଣାଣି କରିବା ସମୟରେ ହାଇକୋର୍ଟ ଏହି ଆଦେଶ ଦେଇଥିବା ଜଣା ପଡ଼ିଛି । ଛୋଟ ପିଲମାନଙ୍କୁ ପର୍ଣ୍ଣ ଫିଲ୍ମ ଠାରୁ ଦୂରରେ ରଖିବା ଦରକାର । କମ ବୟସରୁ ପର୍ଣ୍ଣ ଫିଲ୍ମ ଦେଖିବା ହେତୁ ସେମାନେ ଏପରି ଭୁଲ କରି ବସୁଛନ୍ତି ବୋଲି ମୁଖ୍ୟ ବିଚାରପତି ରାଜୀବ ଶର୍ମା ଏବଂ ବିଚାରପତି ମନୋଜ କୁମାରଙ୍କ ଖଣ୍ଡପୀଠ କହିବା ସହ ଏହାକୁ ସବୁ ଦିନ ପାଇଁ ବନ୍ଦ କରିବା ପାଇଁ ଆଦେଶ ଦେଇଥିଲେ । ଏହି ଆଦେଶ ଦେଇ କେନ୍ଦ୍ର ସରକାରଙ୍କ ତରଫରୁ ଜାରି କରାଯାଇଥିବା ଅଧିସୂଚନାକୁ ଟେଲିକମ କମ୍ପାନି ପାଳନ କରୁଛି କି ନାହିଁ ବୋଲି କେନ୍ଦ୍ର ସରକାରଙ୍କୁ ହାଇକୋର୍ଟ ପ୍ରଶ୍ନ କରିଛନ୍ତି।
୨୦୧୫ରେ କେନ୍ଦ୍ର ସରକାର ଅଧିସୂଚନା ଜାରି କରି ଟେଲିକମ କମ୍ପାନିଙ୍କୁ ଏହି ସାଇଟଗୁଡ଼ିକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ କଡ଼ା ନିର୍ଦ୍ଦେଶ ପରେ ମଧ୍ୟ କମ୍ପାନିମାନେ ଏହି ସାଇଟ୍ଗୁଡ଼ିକୁ ବ୍ଲକ୍ କରିନଥିବା ଦେଖା ଯାଇଛି ।