ରାଜନୀତିରେ ବିଜୁଳି ସାଜୁଛି ମୁଖ୍ୟ ମୁଦ୍ଦା । ୧୦୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ଛାଡ କରିବାକୁ ଘୋଷଣା କଲେ ଉତ୍ତରାଖଣ୍ଡ ଶକ୍ତିମନ୍ତ୍ରୀ

253

କନକ ବ୍ୟୁରୋ : ଉତ୍ତରାଖଣ୍ଡ ଶକ୍ତିମନ୍ତ୍ରୀ ହରକ୍ ସିଂ ରାୱତ ଶକ୍ତି ବିଭାଗର ପ୍ରଥମ ବୈଠକରେ ବଡ ଘୋଷଣା କରିଛନ୍ତି । ତାଙ୍କ ଘୋଷଣା ମୁତାବକ ଉତ୍ତରାଖଣ୍ଡ ରାଜ୍ୟର ପ୍ରତ୍ୟେକ ଘରୋଇ ବିଜୁଳି ଉପଭୋକ୍ତାଙ୍କୁ ୧୦୦ ୟୁନିଟ୍ ବିଜୁଳି ବ୍ୟବହାର ଉପରେ କୌଣସି ବିଲ୍ ଦେବାକୁ ପଡିବ ନାହିଁ । କେବଳ ସେତିକି ନୁହେଁ ମାସିକ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବ୍ୟବହାର କରୁଥିବା ଲୋକଙ୍କୁ ୫୦ ପ୍ରତିଶତ ଅର୍ଥାତ ଅଧା ବିଲ୍ ଦେବାକୁ ପଡିବ । ହରକ୍ ସିଂ ରାୱତ ତାଙ୍କ ପ୍ରଥମ ବୈଠକରେ ଏଭଳି ବଡ ଘୋଷଣା କରିବା ସହ ଏହି ପ୍ରସ୍ତାବକୁ ଖୁବ୍ ଶୀଘ୍ର କ୍ୟାବିନେଟରେ ଉପସ୍ଥାପନ କରାଯିବ ।

ଏହାସହ ଫାର୍ମ, ହର୍ଟିକଲଚର, ଏଗ୍ରିକଲଚର, ସେକ୍ଟରର ବ୍ୟବସାୟୀକ ଉପଭୋକ୍ତାଙ୍କୁ ବି ଘରୋଇ ଶ୍ରେଣୀରେ ସାମିଲ କରିବା କଥା କହିଛନ୍ତି । ଜୁଲାଇ ୭ ତାରିଖରେ ହରକସିଂ ରାୱତଙ୍କ ଅଧ୍ୟକ୍ଷତାରେ ବସିଥିବା ଶକ୍ତି ବିଭାଗର ପ୍ରଥମ ବୈଠକରେ ଏଭଳି ଘୋଷଣା କରିଛନ୍ତି । ଏହାସହ ଶକ୍ତି ବିଭାଗର ଅଧିକାରୀଙ୍କ ଏହି ବିଷୟରେ ପ୍ରସ୍ତାବ ପ୍ରସ୍ତୁତ କରିବାକୁ ହରକ୍ ସିଂ ନିର୍ଦ୍ଦେଶ ଦେଇଛନ୍ତି ।

କହିରଖୁ କି ଦିଲ୍ଲୀ ଭଳି ଉତ୍ତରାଖଣ୍ଡରେ ଘରୋଇ ଉପଭୋକ୍ତାଙ୍କୁ ମାଗଣା ବିଜୁଳି ଯୋଗାଇ ଦେବାକୁ ଆମ୍ ଆଦମୀ ପାର୍ଟି ଦାବି କରିଥିଲା । ଏନେଇ ବି ଅନେକବାର ଆମ୍ ଆଦମୀ ପକ୍ଷରୁ ବିଜୁଳି ବିଭାଗ କାର୍ଯ୍ୟାଳୟ ଓ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହାସହ ଉତ୍ତରାଖଣ୍ଡରେ ଆପ୍ ର ସରକାର ଆସିଲେ ଦିଲ୍ଲୀଭଳି ଘରୋଇ ଉପଭୋକ୍ତାଙ୍କୁ ମାଗଣାରେ ବିଜୁଳି ଦେବାକୁ ଘୋଷଣା କରିଥିଲା ଆପ୍ । ହେଲେ ଆଉ କିଛିମାସ ପରେ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଶକ୍ତିମନ୍ତ୍ରୀଙ୍କ ଏଭଳି ଘୋଷଣା ମାଷ୍ଟର ଷ୍ଟ୍ରୋକ ଠାରୁ କୌଣସି ଗୁୂଣରେ କମ୍ ନୁହେଁ ।