ଉତରାଖଣ୍ଡ ଚମୋଲିରେ ପ୍ରଳୟର ୩ ଦିନ ପରେ ବି ଜାରି ରହିଛି ଉଦ୍ଧାରକାର୍ଯ୍ୟ : ଏବେବି ଫସିଛନ୍ତି ୩୦ରୁ ଅଧିକ ଶ୍ରମିକ, ଶତାଧିକ ନିଖୋଜ

ସେପଟେ ରେଡିଓ ଆକ୍ଟିଭ୍ ଡିଭାଇସ୍ରୁ ବିକିରଣ ହୋଇ ହିମଖଣ୍ଡ ତରଳିଥିବା ଆଶଙ୍କା ପ୍ରକାଶ କଲେ ସ୍ଥାନୀୟ ଲୋକ

53

କନକ ବ୍ୟୁରୋ : ହିମସ୍ଖଳନର କାରଣ କ’ଣ ? କାହିଁକି ଘଟିଲା ଏହି ପ୍ରଳୟ ? ଏହାର କାରଣ ଖୋଜା ଚାଲିଥିବା ବେଳେ ଏକ ଚର୍ଚ୍ଚା ଏବେ ସାମ୍ନାକୁ ଆସିଛି । ରେଡିଓ ଆକ୍ଟିଭ୍ ଡିଭାଇସ୍ ଅର୍ଥାତ୍ ବିକିରଣ ଛାଡ଼ୁଥିବା କୌଣସି ଯନ୍ତ୍ର ପ୍ରଭାବରେ ହିମଖଣ୍ଡ ତରଳି ଏପରି ଘଟିଥାଇପାରେ ବୋଲି ଆଶଙ୍କା କରାଯାଉଛି । ଆଉ ଏହି ଆଶଙ୍କା କରିଛନ୍ତି ଚମୋଲିର ତପୋବନ ଅଂଚଳର ରାଇନି ଗାଁର ଲୋକ । ସେମାନଙ୍କ କହିବା କଥା ୧୯୬୫ରେ ଏପରି ଏକ ରେଡିଓ ଆକ୍ଟିଭ୍ ଡିଭାଇସକୁ ନନ୍ଦା ଦେବୀ ଶୃଙ୍ଗରେ ରଖାଯାଇଥିଲା । ଆମେରିକୀୟ ଗୁଇନ୍ଦା ଏଜେନ୍ସି ଏଫବିଆଇ ଓ ଭାରତୀୟ ଗୁଇନ୍ଦା ଏଜେନ୍ସି ଆଇବିର ଏକ ମିଳିତ ଟିମ୍ ସେତେବେଳେ ଏହି ରେଡିଓ ଆକ୍ଟିଭ୍ ଡିଭାଇସକୁ ରଖିବାକୁ ଯାଇଥିଲେ ବୋଲି ସେମାନେ କହିଛନ୍ତି ।

ଚୀନ୍ ଉପରେ ନଜର ରଖିବା ଏହି ଯନ୍ତ୍ରର ଉଦ୍ଦେଶ୍ୟ ଥିଲା । ହେଲେ ସେଠାକୁ ଯାଇଥିବା ଟିମ୍ ନିର୍ଦ୍ଧାରିତ ଜାଗାରେ ଏହାକୁ ରଖିପାରି ନଥିଲେ । ପ୍ରତିକୂଳ ପରିବେଶ ଯୋଗୁଁ ଯାଇଥିବା ଦଳ ଯନ୍ତ୍ରକୁ ଛାଡ଼ି ଫେରିଆସିବାକୁ ବାଧ୍ୟ ହୋଇଥିଲା । ଫଳରେ ସେହି ଯନ୍ତ୍ରଟି ନନ୍ଦା ଦେବୀ ନିକଟରେ କେଉଁଠି ରହିଯାଇଥିଲା । ପରେ ଏହାକୁ ଉଦ୍ଧାର କରିବା ପାଇଁ ଅନ୍ୟ କିଛି ଟିମ୍ ଯାଇଥିଲେ ବି ଖୋଜି ପାଇନଥିଲେ । ଏହି ରେଡିଓ ଆକ୍ଟିଭ ଡିଭାଇସର ଜୀବନକାଳ ପ୍ରାୟ ଶହେ ବର୍ଷ ଆକଳନ କରାଯାଇଥିଲା । ତେଣୁ ରାଇନି ଗାଁ ଲୋକଙ୍କ କହିବା କଥା ହେଲା ସେହି ଯନ୍ତ୍ରଟି ଏବେବି ସେଠାରେ ରହିଛି ।

ଆଉ ଏଥିରୁ ବାହାରୁଥିବା ବିକିରଣ ଯୋଗୁଁ ହୁଏତ ବରଫ ଖଣ୍ଡ ତରଳିଛି, ଆଉ ହଠାତ୍ ଜଳ ପ୍ରଭାବିତ ହୋଇ ପ୍ରଳୟ ରଚାଇଛି । ସେମାନେ ଆଉ ଏକ କାରଣ ମଧ୍ୟ ଦର୍ଶାଇଛନ୍ତି । ଯେତେବେଳେ ହଠାତ୍ ଜଳ ପ୍ରଭାବିତ ହୋଇ ତଳକୁ ଆସୁଥିଲା, ସେମାନେ ଏକ ଅଜବ ପ୍ରକାର ଗନ୍ଧ ବାରିଥିଲେ, ଯାହା ସାଧାରଣତଃ ପାଣି, ମାଟି କିମ୍ବା ପାଣିରେ ଭାସିଆସିଥିବା ଜିନିଷର ଗନ୍ଧ ନଥିଲା । ତେଣୁ ବିକିରଣ ପ୍ରଭାବରେ ଆସି ଏପରି ହୋଇଥାଇପାରେ ବୋଲି ସେମାନେ ଆଶଂକା ପ୍ରକାଶ କରିବା ସହ ନିଖୋଜ ଯନ୍ତ୍ରଟିକୁ ଖୋଜି ତୁରନ୍ତ ଉଦ୍ଧାର କରାଯିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି ।