ଉତ୍ତରାଖଣ୍ଡ ଚମୋଲିରେ ଉଦ୍ଧାରକାର୍ଯ୍ୟ ଜାରି : ହିମସ୍ଖଳନ ଘଟିବାରୁ ବର୍ତ୍ତମାନ ସୁଦ୍ଧା ୨୬ମୃତଦେହ ଉଦ୍ଧାର; ଏବେ ବି ୧୭୧ ଜଣ ଲୋକ ନିଖୋଜ

Advertisment
ଉତ୍ତରାଖଣ୍ଡ ଚମୋଲିରେ ଉଦ୍ଧାରକାର୍ଯ୍ୟ ଜାରି : ହିମସ୍ଖଳନ ଘଟିବାରୁ ବର୍ତ୍ତମାନ ସୁଦ୍ଧା ୨୬ମୃତଦେହ ଉଦ୍ଧାର; ଏବେ ବି ୧୭୧ ଜଣ ଲୋକ ନିଖୋଜ

କନକ ବ୍ୟୁରୋ : ଉତ୍ତରାଖଣ୍ଡ ଚମୋଲିରେ ପ୍ରଳୟ ରଚିଛି ହିମସ୍ଖଳନ । ଗ୍ଲାସିୟର ଫାଟି ଆସିଥିବା ବିପର୍ଯ୍ୟୟରେ ଅନେକ ଅଂଚଳ ଛାରଖାର ହୋଇଯାଇଛି । ଏବେ ସୁଦ୍ଧା ୨୬ ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଥିବାବେଳେ ୨ଶହରୁ ଅଧିକ ଲୋକ ନିଖୋଜ ଅଛନ୍ତି । ଆଜି ବି ଫଶିରହିଥିବା ଲୋକଙ୍କୁ ବାହାର କରିବା ପାଇଁ ତପୋବନରେ ଥିବା ଦ୍ୱିତୀୟ ସୁଢ଼ଙ୍ଗରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । କିନ୍ତୁ କାଦୁଅ, ମାଟିରେ ଭର୍ତି ହୋଇଥିବାରୁ ସୁଢ଼ଙ୍ଗର ମାତ୍ର ଶହେ ମିଟର ପର୍ଯ୍ୟନ୍ତ ଯାଇ ପାରିଛନ୍ତି ଉଦ୍ଧାରକାରୀ ଦଳ । ତେଣୁ ଉଦ୍ଧାର କାର୍ଯ୍ୟ ବିଳମ୍ବିତ ହେଉଛି । ସମୟ ବଢ଼ିବା ସହ ମୃତକଙ୍କ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି ।

ପ୍ରାୟ ୫ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ଏବଂ ଜଳ ବିଦ୍ୟୁତ ପ୍ରକଳ୍ପର ଏକ ଟନେଲ୍‌ର ଧ୍ବଂସାବଶେଷ ଭିତରେ ପୋତି ହୋଇ ରହିଥିବା ୩୯ ଜଣଙ୍କୁ ଉଦ୍ଧାର କରିବା ପାଇଁ ବିଶାଳ ଅଭିଯାନ ଆରମ୍ଭ ହୋଇଛି । ଏଥିରେ ଆଇଟିବିପିର ୩ ଶହ ଯବାନ ଏବଂ ଏନ୍‌ଡିଆର୍‌ଏଫ୍‌ ଓ ଏସ୍‌ଡିଆର୍‌ଏଫ୍‌ର ୨ ଶହ ସଦସ୍ୟ ନିୟୋଜିତ ଅଛନ୍ତି । ପ୍ରାୟ ଅଢ଼େଇ କିମ୍ବ ଲମ୍ବ ଏହି ଟନେଲରେ ୧ କିମି ଅଂଚଳ ସଂପୂର୍ଣ୍ଣ ପୋତି ହୋଇଯାଇଛି । ଧ୍ବଂସାବଶେଷ ଭିତରୁ ଜୀବନର ସନ୍ଧାନ କରିବା ଉଦ୍ଧାରକାରୀ ଦଳ ପାଇଁ ବହୁତ ବଡ଼ ଚ୍ୟାଲେଂଜ ହୋଇଛି ।

ଗତକାଲି ପୂର୍ବାହ୍ନ ୧୧ଟା ବେଳେ ଚମୋଲି ଜିଲ୍ଲା ସ୍ଥିତ ନନ୍ଦା ଦେବୀ ‌ଗ୍ଲାସିୟରରେ ବିଶାଳ ବରଫ ଖଣ୍ଡ ଫାଟି ଯିବାରୁ ଅଳକନନ୍ଦା ଏବଂ ଧଉଳିଗଂଗାରେ ବଡ଼ ବନ୍ୟା ଆସିଥିଲା । ଏଥିରେ ତପୋବନ ଅଂଚଳ ଛାରଖାର ହୋଇଯିବା ସହ ଋଷିଗଂଗା ପ୍ରକଳ୍ପ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଗାତାର ଗୃହ ମନ୍ତ୍ରାଳୟ ଏବଂ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ସଂପର୍କରେ ଅଛନ୍ତି । ରାଜ୍ୟ ସରକାର ଉଦ୍ଧାର କାର୍ଯ୍ୟ ଓ ତତ୍କାଳ ସହାୟତା ପାଇଁ ୨୦ କୋଟି ଟଙ୍କା ମଂଜୁର କରିଛନ୍ତି ।

ତପୋବନ ଅଂଚଳରେ ଦୁଇଟି ଜଳ ବିଦ୍ୟୁତ ପ୍ରକଳ୍ପ ନଷ୍ଟ ହୋଇଯାଇଥିବାରୁ ଆଗକୁ ଏହି ପ୍ରକଳ୍ପର ଭବିଷ୍ୟତ ନେଇ ମଧ୍ୟ ଅନିଶ୍ଚିତତା ଦେଖାଦେଇଛି। ସ୍ଥାନୀୟ ଅଂଚଳର ବାସିନ୍ଦାମାନେ ମଧ୍ୟ ଏଭଳି ପ୍ରକଳ୍ପକୁ ବିରୋଧ କରିଛନ୍ତି। ପ୍ରକୃତିକୁ ଧ୍ବଂସ କରିବାର ପରିଣତି ଏବେ ଭୋଗିବାକୁ ପଡ଼ୁଛି ବୋଲି ସେମାନେ କହିଛନ୍ତି । ଅତି ସମ୍ବେଦନ ଅଂଚଳରେ ଏତେ ବଡ଼ ନିର୍ମାଣ କାର୍ଯ୍ୟକୁ ସରକାର କିଭଳି ମଂଜୁରି ଦେଲେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe