ଉତ୍ତରାଖଣ୍ଡ ଚମୋଲିର ଚିତ୍କାର ଦେଖି ମନେପଡିଗଲା ୮ ବର୍ଷ ତଳର କେଦାରନାଥ କଥା । ପ୍ରକୃତିର ପ୍ରଳୟଙ୍କାରୀ ତାଣ୍ଡବ ରୂପ ଦେଖିଥିଲା ଦେଶ ।

261

କନକ ବ୍ୟୁରୋ : ପ୍ରକୃତିର କରାଳ ରୂପ । ଉତରାଖଣ୍ଡରେ ଜଳପ୍ରଳୟ । ଚାରିଆଡେ କେବଳ ସୁ ସୁ ଗର୍ଜନ ଆଉ ମାଟି ପାଣି ଏକାକାର । ଏହି ଚିତ୍ରରୁ ହିଁ ଆପଣ ବୁଝିପାରୁଥିବେ ଏହା କେତେ ଭୟାନକ ହୋଇଥିବ । ଆଉ କେତେ ଲୋକ ଏଥିରେ ଜୀବନ ହାରିଥିବେ ।

ପାହାଡ ଉପରୁ ପବନ ବେଗରେ ମାଡି ଆସୁଛି ପାଣି । ଆଉ ଛାରଖାର ହେଇଯାଉଛି ଜନଜୀବନ । ଘର, ବାଡି ସବୁକିଛି ତା ଗର୍ଭରେ ଲୀନ ହେଇଯାଉଛି । ଏ ଦୃଶ୍ୟ ହେଇଛି ଉତରାଖଣ୍ଡର ଚମୋଲି ଜିଲ୍ଲା ଜୋସିମଠ ଅଂଚଳର । ଯେଉଁଠି ପ୍ରକୃତି ଦେଖାଇଛି ନିଜର ତାଣ୍ଡବ ରୂପ । ଆଉ ଜୀବନ ହାରିଛନ୍ତି ଏକାଧିକ ଲୋକ ।

ରବିବାର ଭୟଙ୍କର ହିମସ୍ପଳନ ଫଳରେ ଉତରାଖଣ୍ଡର ଜୋସିମଠ ନିକଟରେ ହଠାତ୍ ପାହାଡ ଉପରୁ କ୍ଷୀପ୍ର ବେଗରେ ଜୋଳସ୍ରୋତ ମାଡି ଆସିଥିଲା । ଆଉ ଭାସି ଯାଇଥିଲା ପୂରା ଗାଁ । ଏଥିରେ ରିଷିଗଙ୍ଗା ପାୱାର ପ୍ରୋଜେକ୍ଟ ମଧ୍ୟ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ସେଠାରେ କାମ କରୁଥିବା ଅନେକ ଶ୍ରମିକ ମଧ୍ୟ ଜୋଳସ୍ରୋତରେ ଭାସି ଯାଇଥିଲେ ।

କେବଳ ଏହିଥରକ ନୁହେଁ । ଏହାପୂର୍ବରୁ ମଧ୍ୟ ୨୦୧୩ ମସିହାରେ ଉତରାଖଣ୍ଡ ଜଳପ୍ରଳୟ ଦେଖିଥିଲା । ଘର, ଦ୍ୱାର, ବଡ ବଡ କୋଠା ଏପରିକି ଭଗବାନ ମଧ୍ୟ ଏହି ଜଳପ୍ରଳୟର ଶିକାର ହୋଇଥିଲେ । ପ୍ରକୃତିର ଏହି ତାଣ୍ଡବ ଯୋଗୁଁ ସେତେବେଳେ ପାଖାପାଖି ୫ ହଜାରରୁ ଅଧିକ ଲୋକ ନିଜର ପ୍ରାଣ ହରାଇଥିଲେ ।

ସେତେବେଳେ ପ୍ରବଳ ବର୍ଷା କାରଣରୁ ଉତରାଖଣ୍ଡରେ ଅଚାନକ ବନ୍ୟା ଭଳି ସ୍ଥିତି ଉପୁଜିଥିଲା । ଯାହା ଫଳରେ କେଦାରନାଥ ମନ୍ଦିର ଜଳରେ ବୁଡିବା ସହିତ ଏହାର ଆଖପାଖ ଅଞ୍ଚଳ ଛାରଖାର୍ ହୋଇଯାଇଥିଲା । ଏବେ ପୁଣିଥରେ ପ୍ରକୃତିର ଏହି ତାଣ୍ଡବ ରୂପକୁ ଦେଖିବାକୁ ମିଳିଛି । ଆଉ ଉତ୍ତରଖଣ୍ଡର ଏପରି ସ୍ଥିତିରେ ସାରା ଦେଶ ତା ସହ ଛିଡା ହୋଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

କେବଳ ସେତିକି ନୁହେଁ ଏହି ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ଉଭୟ ଉତରାଖଣ୍ଡ ସରକାର ଓ କେନ୍ଦ୍ର ସରକାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ପ୍ରତି ମୃତକଙ୍କ ପରିବାରକୁ ଉତ୍ତରାଖଣ୍ଡ ସରକାର ୪ ଲକ୍ଷ ଲେଖାଏଁ ଓ କେନ୍ଦ୍ର ସରକାର ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବେ ।