କେରଳ ପରେ ଉତ୍ତରାଖଣ୍ଡରେ ଜଳପ୍ରଳୟ । ବାଦଲ ଫାଟିଲା, ମାଟି ଖସିଲା, ଧୋଇଗଲା ରେଳଧାରଣା ।

135

କନକ ବ୍ୟୁରୋ : ଉତ୍ତରାଖଣ୍ଡରେ ଜଳ ପ୍ରଳୟ । ବାଦଲ ଫଟା ବର୍ଷା ସାଙ୍ଗକୁ, ଭୂସ୍ଖଳନ ଯୋଗୁଁ ରାଜ୍ୟର ବିଭିନ୍ନ ନଦୀରେ ବନ୍ୟା ହୋଇଛି । ଲଗାଣ ବର୍ଷା ରାଜ୍ୟବାସୀଙ୍କ ସମେତ ପର୍ଯ୍ୟଟକଙ୍କୁ ଅସୁବିଧାରେ ପକାଇ ଦେଇଛି । ସ୍ଥିତି ଏମିତି ହୋଇଛି ଯେ, ରାଜ୍ୟରେ ଜରୁରୀକାଳୀନ ପରିସ୍ଥିତିର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ । ଉଦ୍ଧାର କାମ ପାଇଁ ଏନଡିଆରଏଫ ସମେତ ଭାରତୀୟ ସେନାକୁ ନିୟୋଜିତ କରାଯାଇଛି ।

ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବ । ବାଦଲ ଫଟା ବର୍ଷା ହେଲା କାଳ । ଉତ୍ତରାଖଣ୍ଡରେ ଜାରି ରହିଛି ପ୍ରକୃତିର ତାଣ୍ଡବ । ବାଦଲ ଫଟା ବର୍ଷା ସାଙ୍ଗକୁ, ଭୂସ୍ଖଳନ ଉତ୍ତରାଖଣ୍ଡ ବାସୀଙ୍କ ପାଇଁ କାଳ ସାଜିଛି । ରାଜ୍ୟରେ ବନ୍ୟା ଆସି ପ୍ରଳୟ ରଚିଛି । ଲଗାଣ ବର୍ଷା ଫଳରେ ରାଜ୍ୟବାସୀଙ୍କ ସମେତ ବାହାର ରାଜ୍ୟରୁ ବୁଲିବାକୁ ଆସିଥିବା ପର୍ଯ୍ୟଟକ ବି ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଫଳରେ ରାଜ୍ୟରେ ଜରୁରୀକାଳୀନ ପରିସ୍ଥିତିର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ । ବନ୍ୟା ଓ ଭୂସ୍ଖଳନ ସହ ମୁକାବିଲା ପାଇଁ ଏନଡିଆରଏଫ ସମେତ ଭାରତୀୟ ସେନାକୁ ନିୟୋଜିତ କରାଯାଇଛି । ସେହିପରି ସେନାର ହେଲିକପ୍ଟର ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛି । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଆକାଶ ମାର୍ଗରୁ ସ୍ଥିତିର ସମୀକ୍ଷା କରି ଲୋକଙ୍କୁ ଭୟଭୀତ ନହେବାକୁ ଉପଦେଶ ଦେଇଛନ୍ତି ।

ଲଗାଣ ବର୍ଷାରେ ଉଛୁଳିଲା ନୈନି ହ୍ରଦ । ଲୋକଙ୍କ ଘରେ ପସିଲା ବନ୍ୟା ପାଣି । ଏ ଘଟଣା ହେଉଛି ଶନିବାର ନୈନି ହ୍ରଦର । ହେଲେ ମାତ୍ର ୨ ଦିନର ଲଗାଣ ବର୍ଷା ଫଳରେ ନୈନି ହ୍ରଦ ଉଛୁଳି ପଡିଛି । ଫଳରେ ହ୍ରଦର ପାଣି ନୈନିତାଲ ସହର ଭିତରେ ପଶିଛି । ରାସ୍ତା ଘାଟ ସମେତ ଲୋକଙ୍କ ଘରେ ମଧ୍ୟ ହ୍ରଦର ପାଣି ପଶିଛି ।

ଗାଡି, ମଟର, ରେଷ୍ଟୁରାଂଟ୍ ସବୁକିଛି ବର୍ଷା ପାଣିରେ ବୁଡି ଯାଇଥିବା ଦେଖିବାକୁ ମିଳିଛି । ସେପଟେ ପ୍ରଖର ସୁଅ ଓ ଲଗାଣ ବର୍ଷାରେ ଲୋକଙ୍କୁ ଉଦ୍ଧାର କରିବା ପାଇଁ ସେନା ଓ ଏନଡିଆରଏଫ କର୍ମୀ ନିୟୋଜିତ ହୋଇଛନ୍ତି । ନୈନିତାଲ ସହରରେ ବିଭିନ୍ନ ସ୍ଥାନରେ ଫସି ରହିଥିବା ଲୋକଙ୍କୁ ସେନାର ଯବାନମାନେ ଉଦ୍ଧାର କରିଛନ୍ତି । ବାଦଲ ଫଟା ବର୍ଷାରେ ନୈନିତାଲରେ ଭୟଙ୍କର ସ୍ଥିତି ଦେଖିବାକୁ ମିଳିଛି । ଭୁସ୍ଖଳନ ପାଇଁ ସହରରେ ୯ଜଣ ମାଟି ଅତଡା ତଳେ ଦବି ହୋଇଯାଇଥିଲେ । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଆହୁରି ୪ଜଣଙ୍କ ଉଦ୍ଧାର ଜାରି ରହିଛି ।

ଉତ୍ତରାଖଣ୍ଡରେ ଲଗାଣ ବର୍ଷା ପାଇଁ ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି । ଗୋଲା ନଦୀରେ ବନ୍ୟା ଆସିବା ଫଳରେ ଏକ ହାତୀ ଫସି ଯାଇଥିବା କ୍ୟାମେରାରେ କଏଦ ହୋଇଛି । ପରେ ହାତୀକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ସେହପରି ବଦ୍ରିନାଥ ଜାତୀୟ ରାଜପଥରେ ହଠାତ ଭୁସ୍ଖଳନ ହୋଇ ଏକ କାର ବର୍ଷା ପାଣିରେ ଧସିଯାଇଛି । ତେବେ ବର୍ଡର ରୋଡ୍ ଅର୍ଗାନାଇଜେସନ୍ ପକ୍ଷରୁ ଗାଡି ଓ ଏଥିରେ ଥିବା ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

ବର୍ଷା ଓ ବନ୍ୟାର ତାଣ୍ଡବ ଏପରି ରହିଛି ଯେ, କେଉଁଠି ପୋଲ ଭାସିଯାଇଛି ତ ପୁଣି କେଉଁଠି ଟ୍ରେନ୍ ଲାଇନ୍ ଧୋଇ ହୋଇଯାଇଛି । ପ୍ରକୃତିର ତାଣ୍ଡବ ଭିତରେ ଉତ୍ତରାଖଣ୍ଡକୁ ବୁଲିବାକୁ ଆସିଥିବା ଅନେକ ଯାତ୍ରୀ ଫସି ରହିଛନ୍ତି । କେଦାରନାଥ ଦର୍ଶନ ପାଇଁ ଆସିଥିବା ରାଜସ୍ଥାନର କିଛି ଶ୍ରଦ୍ଧାଳୁ ଫସି ରହିଥିବା ଦେଖିବାକୁ ମିଳିଛି । ଉତ୍ତରାଖଣ୍ଡରେ ଏଭଳି ପରିସ୍ଥିତିକୁ ନେଇ ରାଜ୍ୟ ସରକାର ବର୍ତ୍ତମାନ ପର୍ଯ୍ୟଟକଙ୍କୁ ଉତ୍ତରାଖଣ୍ଡ ଯାତ୍ରା ନକରିବା ପାଇଁ ପରାମର୍ଶ ଦେଇଛନ୍ତି ।