କନକ ବ୍ୟୁରୋ : ନାଚିଲେ ମୁଖ୍ୟମନ୍ତ୍ରୀ । ସୁଡଙ୍ଗ ଭିତରୁ ସମସ୍ତ ୪୧ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର ପରେ କିଛି ଏଭଳି ଖୁସିରେ ନାଚିଛନ୍ତି ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ । ବୁଧବାର ରାତିରେ ଡେହରାଡୁନ୍ ସ୍ଥିତ ମୁଖ୍ୟମନ୍ତ୍ରୀ ବାସଭବନରେ ଇଗାସ ପର୍ବ ପାଳିତ ହୋଇଛି । ଦୀପାବଳିର ୧୧ ଦିନ ପରେ ଉତରାଖଣ୍ଡରେ ପାଳିତ ହୁଏ ଇଗାସ ପର୍ବ । ଏହି ପର୍ବକୁ ଶ୍ରମିକଙ୍କ ପରିବାର ସହ ବେଶ ଧୁମ୍ ଧାମରେ ପାଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Advertisment

ଏହି ଅବସରରେ ଶ୍ରମିକଙ୍କ ପରିବାର ସଦସ୍ୟଙ୍କ ହାତରେ ହାତ ଧରି ନାଚୁ ଥିବାର ନଜର ଆସିଛନ୍ତି ଧାମୀ । ଏହାସହ ବାଣ ଫୁଟାଇ, ସେମାନଙ୍କ ସହ ଭୋଜନ କରି ଏହି ଇଗାସ ପର୍ବ ପାଳନ କରିଛନ୍ତି ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ । ୧୭ ଦିନର ପରିଶ୍ରମ ପରେ ମଙ୍ଗଳବାର ରାତିରେ ସମସ୍ତ ଶ୍ରମିକଙ୍କୁ ଟନେଲ ଭିତରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ଏବେ ସମସ୍ତ ୪୧ଜଣ ଶ୍ରମିକ ହୃଷିକେଶ ଏମ୍ସରେ ଚିକିତ୍ସିତ ହେଉଛନ୍ତି । ସମସ୍ତ ଶ୍ରମିକ ସୁସ୍ଥ ଥିବା କହିଛନ୍ତି ଚିକିତ୍ସା କରୁଥିବା ଡାକ୍ତର । ସେମାନଙ୍କୁ ବୁଧବାର ଅପରାହ୍ଣରେ ହୃଷିକେଶ ଏମ୍ସ ସ୍ଥାନାନ୍ତର କରାଯାଇଛି । ସେଠାରେ ୪୮ ଘଣ୍ଟା ଡାକ୍ତରଙ୍କ ତତ୍ୱାବଧାନରେ ରହିବେ ୪୧ ଶ୍ରମିକ ।