‘ତ୍ରିଶୁଲ’ ଅଭିଯାନ ବେଳେ ଅଘଟଣ, ହିମସ୍କଳନ ହେବାରୁ ନୌସେନାର ୫ ପର୍ବତାରୋହୀ ଯବାନ ନିଖୋଜ

120

କନକ ବ୍ୟୁରୋ : ଉତ୍ତରାଖଣ୍ଡରେ ଭାରତୀୟ ନୌସେନା ପକ୍ଷରୁ ଚାଲିଥିବା ‘ତ୍ରିଶୁଲ’ ଅଭିଯାନ ବେଳେ ଅଘଟଣ ଘଟିଛି । ନୌସେନାର ପର୍ବତାରୋହୀ ଯବାନ ମାନେ ଅଭିଯାନରେ ଯାଇଥିବା ବେଳେ ହିମସ୍କଳନ ହୋଇଥିଲା    । ଏଥିରେ ୫ ଜଣ ଯବାନ ନିଖୋଜ ହୋଇଥିବା କଥା ସୂଚନା ମିଳିଛି ।

ସୂଚନା ମୁତାବକ ଉତ୍ତରାଖଣ୍ଡର ତ୍ରିଶୁଲ ପର୍ବତର ଶିଖରରେ ପହଂଚିବାକୁ ଯାଇଥିବା ନୌସେନାର କିଛି ଯବାନ ସେଠାରେ ହିମସ୍କଳନ ହେବାରୁ ଅସୁବିଧାରେ ପଡିଥିଲେ । ଶୁକ୍ରବାର ସକାଳେ ଭାରତୀୟ ନୌସେନାର ୫ ଜଣ ଯବାନ ଓ ଜଣେ କୁଲି ନିଖୋଜ ହୋଇଥିବା ସୂଚନା ମିଳିଥିଲା ।

ଏଭଳି ସୂଚନା ପାଇବା ପରେ ନେହେରୁ ଇନଷ୍ଟିଚ୍ୟୁଟ୍ ଅଫ ମାଉଣ୍ଟେନିୟରିଂର ଏକ ଉଦ୍ଧାରକାରୀ ଦଳ ଓ ଏହାର ମୁଖ୍ୟ କର୍ଣ୍ଣେଲ ଅମିତ ବିଷ୍ଟଙ୍କ ନେତୃତ୍ୱରେ ନିଖୋଜଙ୍କ ସନ୍ଧାନରେ ହିମସ୍କଳନ ପ୍ରଭାବିତ ଅଞ୍ଚଳରେ ପହଂଚିଛନ୍ତି  ।

ସେପଟେ କୁହାଯାଇଛି କି ଉଦ୍ଧାରକାରୀ ଦଳ ଯୋଶୀମଠ ନିକଟରେ ପହଂଚିବା ପରେ ପାଗ ଖରାପ ଥିବାରୁ ସେମାନେ ଆଗକୁ ଯାଇପାରି ନାହାଁନ୍ତି । ଏଣୁ ହେଲିକପ୍ଟର ସହାୟତାରେ ଭାରତୀୟ ସେନା, ବାୟୁସେନା ଓ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀର ଏକ ମିଳିତ ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

ତ୍ରିଶୁଲ ପର୍ବତ ହେଉଛି ଉତ୍ତରାଖଣ୍ଡର ବାଗେଶ୍ୱର ଜିଲ୍ଲାରେ ଅବସ୍ଥିତ ତିନୋଟି ହିମାଳୟ ଶିଖରର ଏକ ସମଷ୍ଟି । ଭାରତୀୟ ବାୟୁସେନା ସକାଳ ୧୧ ଟା ସମୟରେ ଯବାନ ନିଖୋଜ ଥିବା ନେଇ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଥିଲା । ଏହାସହ ସେମାନଙ୍କୁ ଉଦ୍ଧାର କରିବାକୁ ବିଭାଗକୁ ସହାୟତା ମାଗିଥିଲା ।

ସୂଚନା ମୁତାବକ ଭାରତୀୟ ନୌସେନାର ପର୍ବତାରୋହୀଙ୍କ ଏକ ୨୦ ଜଣିଆ ଯିମ ୧୫ ଦିନ ପୂର୍ବେ ୭.୧୨୦ ମିଟର ମାଉଣ୍ଟ ତ୍ରିଶୁଲ ନାମରେ ଏକ ଅଭିଯାନ ଆରମ୍ଭ କରିଥିଲେ । ହେଲେ ଶୁକ୍ରବାର ସକାଳ ୫ ଟା ସମୟରେ ସେଠାରେ ଭୂସ୍କଳନ ହୋଇଥିଲା ।