ଉଦ୍ଧାର ହେବା ପରେ ଶ୍ରମିକମାନଙ୍କର କଣ ହେବ? ସୁଡଙ୍ଗ ବାହାରେ ପ୍ରସ୍ତୁତ ୪୧ ଆମ୍ବୁଲାନ୍ସ । ଏୟାରଲିଫ୍ଟ ପାଇଁ ପ୍ରସ୍ତୁତ ଚିନୁକ୍ ହେଲିକପ୍ଟର….

223

କନକ ବ୍ୟୁରୋ: ଉତ୍ତରକାଶୀର ସିଲକ୍ୟାରା ଟନେଲରେ ଆଜିକୁ ୧୭ ଦିନ ହେଲା ଫସି ରହିଛନ୍ତି ୪୧ ଜଣ ଶ୍ରମିକ । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଲଗାତାର ଉଦ୍ୟମ ଚାଲିଥିବା ବେଳେ, ମଙ୍ଗଳବାର ସେମାନଙ୍କୁ କୌଣସି ମୁହୂର୍ତ୍ତରେ ବି ଉଦ୍ଧାର କରାଯିବ ବୋଲି କୁହାଯାଉଛି । ତେବେ ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ୮୦୦ ମିଲିମିଟର ମୋଟା ପାଇପ୍ ସୁଡଙ୍ଗ ଭିତରକୁ ପଠାଯାଇଛି । ଆଉ ଏନଡିଆରଏଫ୍ ଟିମ ମଧ୍ୟ ସୁଡଙ୍ଗ ଭିତରେ ପହଞ୍ଚି ସାରିଛି ।

ସୂଚନାଯୋଗ୍ୟ ଯେ, ଗତ ନଭେମ୍ବର ୧୨ ତାରିଖରେ ୪୧ ଜଣ ଶ୍ରମିକ ଏହି ଟନେଲ ଭିତରେ ଫସିଯାଇଥିଲେ । ଯାହା ପରେ ତାଙ୍କୁ ଉଦ୍ଧାର କରିବାକୁ ଲଗାତାର ଉଦ୍ୟମ କରାଯାଇଥିଲା । ଏମିତି କି ଆମେରିକାରୁ ଆସିଥିବା ଅଗର ମେସିନ୍ ସାହାଯ୍ୟରେ ଡ୍ରିଲିଂ କରାଯାଇଥିଲା ।

କେମିତି ବାହାରକୁ ଆସିବେ ଶ୍ରମିକ?

ସୁଡଙ୍ଗ ଭିତରୁ ଏନଡିଆରଏଫ୍ ଟିମ୍ ସାହାଯ୍ୟରେ ଜଣକ ପରେ ଜଣେ ଶ୍ରମିକଙ୍କୁ ବାହାରକୁ ଅଣାଯିବ । ଏଥିପାଇଁ ଏକ ଖାସ୍ ଷ୍ଟ୍ରେଚର ପ୍ରସ୍ତୁତ କରାଯାଇଛି । ଏହି ଷ୍ଟ୍ରେଚରରେ ଶୁଆଇ ରେସ୍କ୍ୟୁ ପାଇପ୍ ଜରିଆରେ ଶ୍ରମିକମାନଙ୍କୁ ବାହାରକୁ ବାହାର କରାଯିବ । ତେବେ ଏହା ପୂର୍ବରୁ ରେସ୍କ୍ୟୁ ପାଇପକୁ ଭଲ ଭାବରେ ସଫା କରାଯିବ । ରେସ୍କ୍ୟୁ ପାଇପରେ ଯେଭଳି ମାଟି କିମ୍ବା ଅନ୍ୟ କିଛି ସାମଗ୍ରୀ ରହିଯିବନି, ସେ ଉପରେ ବେଶ୍ ଧ୍ୟାନ ଦିଆଯାଉଛି । ତେବେ ରେସ୍କ୍ୟୁ ପାଇପକୁ ସଫା କରିବା ପରେ ଜଣକ ପରେ ଜଣେ ଶ୍ରମିକଙ୍କୁ ଏହି ପାଇପ୍ ଜରିଆରେ ଉଦ୍ଧାର କରାଯିବ ।

ମିଳିଥିବା ସୂଚନା ମୁତାବକ, ଜଣେ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ୩ରୁ ୫ ମିନିଟ୍ ସମୟ ଲାଗିବ । ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ମୋଟ୍ ଉପରେ ୩ରୁ ୪ ଘଣ୍ଟା ସମୟ ଲାଗିପାରେ । ସ୍ପେଶାଲ ଷ୍ଟ୍ରେଚର ପ୍ରଥମେ ଜଣେ ଶ୍ରମିକଙ୍କୁ ନେଇ ଆସିଲା ପରେ, ପୁଣିଥରେ ଟନେଲ ଭିତରକୁ ଯିବ । ଏହାପରେ ଆଉ ଜଣେ ଶ୍ରମିକଙ୍କୁ ଉଦ୍ଧାର କରିବ । ଏହିଭଳି ଭାବେ ସମସ୍ତ ୪୧ ଜଣ ଶ୍ରମିକଙ୍କୁ ଟନେଲ ଭିତରୁ ଉଦ୍ଧାର କରାଯିବ ବୋଲି ସୂଚନା ମିଳିଛି ।

ସୁଡଙ୍ଗ ଭିତରେ ଅସ୍ଥାୟୀ ହସ୍ପିଟାଲ

ଉତ୍ତରକାଶୀ ସିଲକ୍ୟାରା ଟନେଲ ଭିତରେ ଏକ ଅସ୍ଥାୟୀ ହସ୍ପିଟାଲ ନିର୍ମାଣ କରାଯାଇଛି । ଶ୍ରମିକମାନଙ୍କୁ ଉଦ୍ଧାର କରାଯିବା ପରେ ଏହି ମେଡିକାଲରେ ତାଙ୍କର ଚେକଅପ୍ କରାଯିବ । ଜରୁରୀକାଳୀନ ସ୍ଥିତି ପାଇଁ ଏହି ହସ୍ପିଟାଲରେ ୮ଟି ବେଡ୍ ବ୍ୟବସ୍ଥା କରାଯାଇଛି । ଡାକ୍ତରମାନଙ୍କର ଏକ ଏକ୍ସପର୍ଟ ଟିମ୍ ମଧ୍ୟ ଏଠାରେ ନିୟୋଜିତ ହୋଇଛନ୍ତି ।

ସୁଡଙ୍ଗରୁ ହସ୍ପିଟାଲ ଦୂରତା ୩୦ କିମି

ସୁଡଙ୍ଗରୁ ଉଦ୍ଧାର ହେବା ପରେ ଶ୍ରମିକମାନଙ୍କ ପାଇଁ ମୋଟ ୪୧ଟି ଆମ୍ବୁଲାନ୍ସ ପ୍ରସ୍ତୁତ ରଖାଯାଇଛି । ଟନେଲ ଭିତରୁ ଉଦ୍ଧାର ପାଇବା ପରେ ତୁରନ୍ତ ସେମାନଙ୍କୁ ହସ୍ପିଟାଲ ନିଆଯିବ । ଚିନ୍ୟାଲିସୌର କମ୍ୟୁନିଟି ହେଲଥ ସେଣ୍ଟରରେ ଏଥିପାଇଁ ୪୧ଟି ବେଡ୍ ପ୍ରସ୍ତୁତ ରଖାଯାଇଛି । ଆମ୍ବୁଲାନ୍ସ ଭଲ ଭାବେ ହସ୍ପିଟାଲରେ ପହଞ୍ଚିବା ପାଇଁ ନୂଆ ରାସ୍ତାର ମଧ୍ୟ ନିର୍ମାଣ ହୋଇଛି । ତେବେ ସୁଡଙ୍ଗଠାରୁ ହସ୍ପିଟାଲର ଦୂରତା ୩୦ କିଲୋମିଟର ବୋଲି ଜଣାପଡିଛି ।

ସୁଡଙ୍ଗ ଭିତରେ ୧୭ ଦିନ ହେଲା ଫସି ରହିଛନ୍ତି ଶ୍ରମିକ । ସେମାନଙ୍କୁ ଉଦ୍ଧାର କରିବା ପରେ ତୁରନ୍ତ ହସ୍ପିଟାଲ ନିଆଯିବ । ତେବେ ମିଳିଥିବା ସୂଚନା ମୁତାବକ, ଆବଶ୍ୟକ ପଡିଲେ ଶ୍ରମିକମାନଙ୍କୁ ଏୟାରଲିଫ୍ଟ ମଧ୍ୟ କରାଯିବ । ଏଥିପାଇଁ ବାୟୁସେନାର ଚିନୁକ ହେଲିକପ୍ଟରକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି । ତେବେ ଉଦ୍ଧାର ହେବା ପରେ ଶ୍ରମିକମାନଙ୍କୁ ଆଗାମୀ ୪୮ରୁ ୭୨ ଘଣ୍ଟା ପର୍ଯ୍ୟନ୍ତ ନଜରରେ ରଖାଯିବ ।