କନକ ବ୍ୟୁରୋ : ଯୁଦ୍ଧକାଳୀନ ଭିତିରେ ଚାଲିଛି ଉତରକାଶୀ ସିଲକ୍ୟାରା ଟନେଲ ଉଦ୍ଧାର କାମ । ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା କାମ ୧୬ ଦିନରେ ପହଁଚିଲାଣି । କିନ୍ତୁ ଏବେବି ସୁଡଙ୍ଗ ଭିତରେ ଫସି ରହିଛନ୍ତି ୪୧ ଶ୍ରମିକ । ଅଗର୍ ମେସିନ୍ ଭାଙ୍ଗିବା ପରେ ଏବେ ଭର୍ଟିକାଲ ଡ୍ରିଲିଂ ବା ଭୂଲମ୍ବ ଖନନ ପ୍ରକ୍ରିୟା ଜାରି ରହିଛି । ସୁଡଙ୍ଗର ଉପର ପଟୁ ଖନନ କାମ ଦୃତ ବେଗରେ ଆଗେଇ ଚାଲିଛି । ଭୂଲମ୍ବ ଖନନ ବେଳେ ସୁଡ଼ଙ୍ଗରେ ଯେଉଁ ମେସିନ୍ର ଅଂଶ କିଛି ଫସିରହିଥିଲା, ତାକୁ କାଢ଼ି ଦିଆଯାଇଛି । କିନ୍ତୁ ଅଗର ମେସିନର ଉପରି ଭାଗ ଏବେବି ପାଇପ୍ ଲାଇନ୍ ତଳେ ଫସି ରହିଛି । ଏହି କ୍ଷତିଗ୍ରସ୍ତ ଅଂଶକୁ କାଟିବା ପରେ ପାଇପ୍ ଭିତରକୁ ଯାଇପାରିବ । ମୋଟ ୮୬ ମିଟର୍ ଭୂଲମ୍ବ ଖନନ କରାଯିବ । ଆଉ ଏପର୍ଯ୍ୟନ୍ତ ୩୦ ମିଟର୍ ଡ୍ରିଲିଂ ଶେଷ ହୋଇଛି । ଏହାରି ଭିତରେ କିଛି ପାଣି, ଟାଣ ପଥର ମିଳିଥିଲା । ଏସବୁକୁ ହଟାଯିବା କାମ ଜାରି ରହିଛି । ଯଦି ଏହି ଭଳି ଭାବେ କାମ ଜାରି ରହେ, ତାହାଲେ ଆସନ୍ତା ୩୦ ତାରିଖ ସୁଦ୍ଧା ଶ୍ରମିକଙ୍କୁ ଉଦ୍ଧାର କରାଯାଇ ପାରିବ ବୋଲି ଏନ୍ଏଚ୍ଆଇଡିସିଏଲ ନିର୍ଦ୍ଦେଶକ ମେହମୁଦ୍ଦ ଅହମ୍ମଦ୍ କହିଛନ୍ତି ।

Advertisment

ସେପଟେ ଉତରକାଶୀ ସିଲ୍କ୍ୟାରା ଟନେଲରେ ଉଦ୍ଧାର କାମ ତ୍ୱରାନ୍ୱିତ କରିବା ପାଇଁ ପହଁଚିଥିଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ ମିଶ୍ର । ଟନେଲରେ ପହଁଛି ଫସିରହିଥିବା ଶ୍ରମିକଙ୍କ ସହ ଆଲୋଚନା କରିଛନ୍ତି । କିଭଳି ଅଛନ୍ତି, ଶ୍ରମିକମାନେ ସେମାନଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା କିଛି ଉପୁଜିଛି କି ନାହିଁ, ସେନେଇ ପଚାରି ବୁଝିଛନ୍ତି ପି.କେ ମିଶ୍ର । ଏହାସହ କିଭଳି ଉଦ୍ଧାର କାମ ଚାଲିଛି, ସେକଥା ମଧ୍ୟ ବୁଲି ଦେଖିଛନ୍ତି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ।

ସେପଟେ ସୁଡ଼ଙ୍ଗରେ ଫସିଥିବା ୪୧ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ପୁଣିଥରେ ପୁରୁଣା ଫର୍ମୂଲା ଆପଣା ଯାଇପାରେ । ମାନୁଆଲ ଡ୍ରିଲିଂ ଜରିଆରେ ପାହାଡ଼କୁ କାଟି ଶ୍ରମିକଙ୍କୁ ବାହାରକୁ ଅଣାଯିବା ପାଇଁ ବ୍ୟବସ୍ଥା କରାଯାଉଥିବା ସୂଚନା ଦେଇଛନ୍ତି ଏନ୍ଏଚ୍ଏଆଇର ଅଧିକାରୀ ବିଶାଲ ଚୌହାନ । ତେବେ ଏହି ପ୍ରକ୍ରିୟା କୌଣସି ମୁହୂର୍ତରେ ଆରମ୍ଭ ହୋଇପାରେ । ଏଥିରେ ଗୋଟିଏ ଟିମ୍ରେ ରହିବେ ୬ଜଣ ସଦସ୍ୟ । ଯେଉଁମାନେ ତିନୋଟି ଲେଖାଏଁ ପର୍ଯ୍ୟାୟରେ କାମ କରିବେ ।