ବିତିଲାଣି ୬ ଦିନ, ହେଲେ ଏବେ ବି ୪୦ ଶ୍ରମିକଙ୍କୁ ମିଳୁନି ମୁକ୍ତିର ବାଟ । ଉତରକାଶୀ ଟନେଲରେ ଫସିଥିବା ଓଡ଼ିଆ ଶ୍ରମିକ ସହ କଥା ହେଲେ ରାଜ୍ୟ ଶ୍ରମ ଅଧିକାରୀ

353

କନକ ବ୍ୟୁରୋ : ଉତରକାଶୀରେ ଭାଙ୍ଗିପଡିଥିବା ସିଲକ୍ୟାରା ଟନେଲରେ ଫସିରହିଥିିିବା ଓଡ଼ିଆ ଶ୍ରମିକଙ୍କ ସହ କଥା ହୋଇଛନ୍ତି ଭୁବନେଶ୍ୱର ଶ୍ରମ ଅଧିକାରୀ । ପାଇପ ସାହାଯ୍ୟରେ ଓଡ଼ିଆ ଶ୍ରମିକ ବିଶ୍ୱେଶ୍ୱରଙ୍କ ସହ କଥା ହୋଇଛନ୍ତି ସତ୍ୟନାରାୟଣ ଆଚାର୍ଯ୍ୟ । ନିଜ ମୋବାଇଲ ଫୋନରେ କଥାବାର୍ତାକୁ ରେକର୍ଡ କରିଛନ୍ତି । ଟନେଲ ଭିତରେ ସମସ୍ତେ ସୁସ୍ଥ ଥିବା ସୂଚନା ଦେଇଛନ୍ତି ଓଡିଆ ଶ୍ରମିକ ବିଶ୍ୱେଶ୍ୱର । ଆଉ ତାଙ୍କୁ ଆଶ୍ୱାସନା ଦେବା ସହ, ବ୍ୟସ୍ତ ନହେବା ପାଇଁ କହିଛନ୍ତି ଶ୍ରମ ଅଧିକାରୀ । ଓଡ଼ିଶାର ୫ ଜଣ ଶ୍ରମିକ ଏହି ଟନେଲ ଭିତରେ ଗତ ରବିବାରଠାରୁ ଫସି ରହିଛନ୍ତି ।

ଆଶ୍ୱସ୍ତିର କଥା ହେଉଛି, ଟନେଲରେ ଫସିଥିବା ୫ ଓଡ଼ିଆଙ୍କ ସହ ସମସ୍ତ ୪୦ ଜଣ ଶ୍ରମିକ ସୁସ୍ଥ ଥିବା ସୂଚନା ଦେଇଛନ୍ତି ଉତରକାଶୀ ଜିଲ୍ଲାପାଳ । ଟନେଲରୁ ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି । ଏଥିପାଇଁ ବିଦେଶର ବିଶେଷଜ୍ଞଙ୍କ ପରାମର୍ଶ ନିଆଯାଉଛି । ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ ମୁଖ୍ୟ ଅତୁଲ କରୱାଲଙ୍କ ସହ ମଧ୍ୟ ଆଲୋଚନା କରାଯାଇଛି ।

ଆମେରିକାରୁ ଅଣାଯାଇଥିବା ଅଗର ମେସିନ ମାଟିଖୋଳା କାମରେ ନିୟୋଜିତ ହୋଇଥିବାବେଳେ ଶୁକ୍ରବାର ଅପରାହ୍ଣରେ ପୁଣି ମାଟି ଅତଡା ଓ ପଥର ଖସିଛି । ଡ୍ରିଲିଂ ମେସିନ ପଟକୁ ଅତଡା ଖସିବାରୁ ବାଧାପ୍ରାପ୍ତ ହୋଇଛି ମାଟିଖୋଳା କାମ । ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ କେତେକ ପାଇପ ଖଞ୍ଜା ଯାଉଛି । ୯୦୦ ମିଟର ଗୋଲେଇ ଏବଂ ୬ ମିଟର ଲମ୍ବର ୪ଟି ପାଇପ ଖଞ୍ଜା ସରିଛି । ଏହି ପାଇପ ଦେଇ ପଦାକୁ ବାହାରିଥାନ୍ତେ ଫସିରହିଥିବା ଶ୍ରମିକ । ହେଲେ ପଂଚମ ପାଇପଟି ଖଞ୍ଜିବାକୁ ଉଦ୍ୟମ ବେଳେ ଅଚାନକ ଖସିଥିଲା ମାଟି । ପ୍ରାୟ ୨୬ ମିଟର ଖୋଳା ସରିଥିବାବେଳେ ଆଉ ୪୦ରୁ ୫୦ ମିଟର ପର୍ଯ୍ୟନ୍ତ ଖୋଦେଇ ବାକି ରହିଛି ।

ସାଢ଼େ ୪ କିଲୋମିଟରର ଲମ୍ବା ସୁଡ଼ଙ୍ଗ । ଏହି ସୁଡ଼ଙ୍ଗର ଗୋଟିଏ ପଟେ ସିଲକ୍ୟାରା ଏବଂ ଆଉ ଗୋଟିଏ ପଟେ ଦଣ୍ଡଲଗାଁଓ । ସିଲକ୍ୟାରା ପଟୁ ପ୍ରାୟ ଅଢ଼େଇ କିଲୋମିଟର ଖୋଳା ସରିଥିଲା । ଦଣ୍ଡଲଗାଁଓ ପଟେ ୪୪୧ ମିଟର ନିର୍ମାଣ କାମ ଚାଲିଛି । ନିର୍ମାଣ କାମ ଚାଲିଥିବା ବେଳେ ସୁଡ଼ଙ୍ଗର ଗୋଟିଏ ଅଂଶ ଭୁଷୁଡ଼ି ପଡ଼ିଛି । ଭୁଷୁଡି ପଡ଼ିଥିବା ଅଂଶରେ ୬୦ ମିଟର ପର୍ଯ୍ୟନ୍ତ ମାଟି-ପଥର ଓ ଅତଡ଼ା ରହିଛି । ଏଥିରୁ ୨୦ ମିଟର ସଫା କରାଯାଇଛି । ଅତଡ଼ାର ଠିକ୍ ଆଗରେ ୫ ଦିନ ହେଲାଣି ଫଶୀ ରହିଛନ୍ତି ୪୦ ଜଣ ଶ୍ରମିକ ।