୨୦୦୮ ମସିହାର ହତ୍ୟା ମାମଲାରେ ଉତରପ୍ରଦେଶର ସବନମଙ୍କୁ ହେବ ଫାଶୀ । ନିଜ ପରିବାରର ୭ଜଣ ସଦସ୍ୟଙ୍କୁ ହତ୍ୟା କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ସବନମ 

1,087

କନକ ବ୍ୟୁରୋ: ହତ୍ୟାକାଣ୍ଡର ଇଏ ଏକ ଏମିତି କାହାଣୀ ଯାହା ଶୁଣିଲେ ଆପଣଙ୍କ ଛାତି ଥରିଉଠିବ । ଏକ ଏମିତି ଲୋମଟାଙ୍କୁରା କାହାଣୀ ଯାହା ହୁଏତ କେହି କେବେ ଚିନ୍ତା କରିନଥିବେ । ଜନ୍ମ କଲା ବାପା ମା କେବେବି ଭାବିନଥିବେ, ଦିନେ ତାଙ୍କର ଝିଅ ହିଁ ସେମାନଙ୍କୁ ଜୀବନରେ ମାରିଦେବ । 

୨୦୦୮ ମସିହାର ଘଟଣା । ଅମରୋହା ଜିଲ୍ଲାର ହସନପୁର କ୍ଷେତ୍ରରେ ଥିବା ବାବନଖେଡି ଗାଁରେ ରୁହନ୍ତି ଶିକ୍ଷକ ଶୌକତ ଅଲି । ଶୌକତ ଅଲ୍ଲୀଙ୍କ ଏକ ମାତ୍ର ଝିଅ ସବନମ । ସବନମ ସହିତ ସଲିମର ପ୍ରେମ ସମ୍ପର୍କ ଥିଲା । ସୁଫି ପରିବାରର ସବନମ ଇଁରାଜୀ ଏବଂ ଭୁଗୋଳରେ ଡବଲ ଏମଏମ କରିଥିଲେ । ସବନମଙ୍କ ପରିବାର ପାଖରେ ପ୍ରଚୁର ମାତ୍ରାରେ ଜମିବାଡି ଥିଲା । ଆଉ ସଲିମ ପଂଚମ ଫେଲ । ଏବଂ ଜଣେ ଦିନ ମଜୁରିଆ ଭାବେ କାମ କରୁଥିଲା । ତେଣୁ ଦୁଇଜଣଙ୍କ ସମ୍ପର୍କକୁ ନେଇ ପରିବାର ଲୋକେ ବିରୋଧ କରୁଥିଲେ । 

ପରିବାରଲୋକଙ୍କ ଏହି ବିରୋଧାଭାଷକୁ ବରଦାସ୍ତ କରିପାରିଲେ ନାହିଁ ସବନମ । ନିଜ ପ୍ରେମ ସମ୍ପର୍କକୁ ଆଗକୁ ବଢାଇବା ପାଇଁ ତିଆରି କଲେ ହତ୍ୟାକାଣ୍ଡର ନିଳ ନକ୍ସା । ନିଜ ପ୍ରେମିକ ସଲିମ ସହିତ ମିଶି ରଚିଲେ ହତ୍ୟା ଷଡଯନ୍ତ୍ର । ସେଦିନ ରାତିରେ ଯାହା ଘଟିଥିଲା ହୁଏତ ଶୁଣିଲେ ଆପଣ କହିବେ ଏହା ବିଶ୍ୱାସରେ ବିଷ ଦେଲା ପରି । ପରିବାରର ସମସ୍ତ ସଦସ୍ୟଙ୍କୁ ପ୍ରଥମେ ବେହୋଷ କରିବା ପାଇଁ ଯୋଜନା କଲେ ସବନମ । କ୍ଷୀରରେ କିଛି ମିଶାଇ ଦେଇ ସମସ୍ତଙ୍କୁ ପାନ କରାଇଥିଲେ । ଏହା ପଛରେ ଯେ ହତ୍ୟାକାଣ୍ଡର ଏତେବଡ ଷଡଯନ୍ତ୍ର ରହିଛି ଏକଥା କେହି ଜାଣି ବି ପାରିନଥିଲେ । ଜଣ ଜଣ କରି ସମସ୍ତେ ବେହୋଷ ହୋଇଗଲେ । ପରେ ଏକ କୁରାଢି ଆଣି ସମସ୍ତଙ୍କୁ ହତ୍ୟା କରିଥିଲେ । 

ସବନମ ଏମିତି ରକ୍ତର ହୋଲି ଖେଳିଥିଲେ ଯାହା ସାରାଦେଶକୁ ସ୍ତବ୍ଧ କରିଦେଇଥିଲା । ସବନମ ନିଜ ବାପା, ମା, ୧୦ମାସର ଭଣଜା ସମେତ ପରିବାରର ୭ଜଣ ଲୋକଙ୍କୁ ହତ୍ୟା କରିଥିଲେ । କେହି କିଛି ବୁଝିବା ଆଗରୁ ଚାଲିଗଲା ସାତ ସାତଟି ଜୀବନ । ଏସବୁ କରିବା ପଛର କାରଣ ଥିଲା ନିଜ ପ୍ରେମ ସମ୍ପର୍କକୁ ଆଗକୁ ନେବା । ସମ୍ପର୍କରେ ବାଧା ଦେଉଥିବା ପରିବାରକୁ ଏମିତି ଛାରଖାର କଲେ ସବନମ ହୁଏତ କେହିକେବେ ଅନୁମାନ ବି କରିପାରିବେ ନାହିଁ ।