ମୋ ମାଟି କାନ୍ଥରେ ମହାମାରୀ ମୁକାବିଲାର ମହାବୀର । ମୁଁ ଦେଖିବି, କରୋନା ତୁ କେମିତି ଆସିବୁ…? ଘର କାନ୍ଥରେ ସୋନୁଙ୍କ ସହ କରୋନା ଯୋଦ୍ଧାଙ୍କ ଚିତ୍ର ଆଙ୍କି ସଲାମ କଲେ ଚିତ୍ରକର । ଟ୍ୱିଟ୍ କରି ସୋନୁ କହିଲେ ଭାଇ ଗଜବ ଘର, ମୁଁ ନିଶ୍ଚୟ ବୁଲିଯିବି ତୁମ ଘରକୁ…

ଦୁଆର ମୁହଁରେ କବାଟ ଯେତେ ଠକ ଠକ କଲେ ବି ତୁ ଘରକୁ ପଶି ପାରିବୁନି କାରଣ ତତେ ଜଗିଛନ୍ତି କରୋନା ଯୋଦ୍ଧା ।

170

କନକ ବ୍ୟୁରୋ: କରୋନା ତୁ କିଛି କରିପାରିବୁନି । ଦୁଆର ମୁହଁରେ କବାଟ ଯେତେ ଠକ ଠକ କଲେ ବି ତୁ ଘରକୁ ପଶି ପାରିବୁନି… କାରଣ ତତେ ଜଗିଛନ୍ତି କରୋନା ଯୋଦ୍ଧା । ଘରକୁ ଆସିବା ଆଗରୁ ତତେ ପ୍ରଥମେ ଶ୍ରମିକଙ୍କ ଭଗବାନଙ୍କୁ ସାମ୍ନା କରିବାକୁ ପଡିବ, କାନ୍ଥରେ ଥିବା କରୋନା ଯୋଦ୍ଧାଙ୍କ ସହ ଯୁଦ୍ଧ କରିବାକୁ ପଡିବ । ତୋ ଭୟଙ୍କର ଜିଭକୁ ଛେଦନ କରିବା ପାଇଁ ମୋ ଘର ବାହାରେ ମହାମାରୀର ମହାବୀରମାନେ ଛିଡା ହୋଇଛନ୍ତି, ତତେ ହରାଇବାକୁ ରିଅଲ ହିରୋ ତୀକ୍ଷ୍ଣ ନଜର ରଖିଛନ୍ତି । ତୁ କିଛି କରିପାରିବୁନି କରୋନା… କିଛି କରି ପାରିବୁନି…

ଡର କାହାକୁ ଭୟ କାହାକୁ, କରୋନା ଯୋଦ୍ଧା ଅଛନ୍ତି ସାହା ହେବାକୁ । ମହାମାରୀ ହାରିବ, ମଣିଷ ଜିତିବ । କରୋନାକୁ ତଡିତଡି ବିଶ୍ୱରୁ ବିତାଡିତ କରିବେ କରୋନା ଯୋଦ୍ଧା । ଆଉ ଏହି ସଂକ୍ରମଣ ବେଳେ ଆଗ ଧାଡିର ସିପାହୀ ସାଜିଥିବା କୋଭିଡ୍ ଯୋଦ୍ଧାଙ୍କୁ ଦିଆଯାଇଛି ଏମିତି ସମ୍ମାନ । ନିଜେ ଚାଳ, ଖପର ଘରେ ରହି ବି ଯୋଦ୍ଧାଙ୍କୁ ଦେଇଛନ୍ତି ହୃଦୟଖୋଲା ସମ୍ମାନ । ଯାହା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଗଛ ମୂଳେ ଏକ ମାଟିର ଘର, ଉପରେ ଚାଳ ଛପର । ଆଉ କାନ୍ଥର ଅଙ୍କା ହୋଇଛି କରୋନା ଯୋଦ୍ଧାଙ୍କ ଚିତ୍ର । ଡାକ୍ତରଙ୍କଠୁ ନର୍ସ, ପୋଲିସଠୁ ପୋଷ୍ଟମ୍ୟାନ୍, ଆଉ ସାମ୍ବାଦିକଙ୍କ ଠାରୁ ସଫେଇ କର୍ମୀଯାଏ । ସମସ୍ତଙ୍କ ଚିତ୍ର ଆଙ୍କି ସିପାହୀଙ୍କୁ ସଲାମ ଜଣାଇଛନ୍ତି ଉତ୍ତର ପ୍ରଦେଶ ଜାନସୀ ଅଞ୍ଚଳର ଜଣେ ଚିତ୍ରକର ପୁଷ୍ପେନ୍ଦ୍ର କୁମାର । ମାଟିଆ ରଙ୍ଗ, ଚୁନ ଏବଂ କୋଇଲାରେ କରୋନାର କରାଳ ରୂପ ସହ କରୋନା ଯୋଦ୍ଧାଙ୍କୁ ନିଜ ଘର କାନ୍ଥରେ ସ୍ଥାନ ଦେଇଛନ୍ତି ପୁଷ୍ପେନ୍ଦ୍ର । ଖାଲି ସେତିକି ନୁହେଁ କରୋନା ନିୟମ ମାନିବାକୁ ବି ବାର୍ତ୍ତା ଦେଇଛନ୍ତି ।

ତେବେ ଲୋକଙ୍କୁ ସଚେତନ ଓ ସତର୍କ କରିବା ସହ କରୋନା ଯୋଦ୍ଧାଙ୍କ ପାଇଁ ଏ ନିଆରା ସମ୍ମାନ ଦେଖି ଖୁସିରେ ଗଦଗଦ ହୋଇଛନ୍ତି ସୋନୁ ସୁଦ୍ । ଘର ଆଗରେ ସୋନୁଙ୍କ ଚିତ୍ର ଆଙ୍କି ରିଅଲ ହିରୋ ଲେଖି ସମ୍ମାନ ଜଣାଇଥିବାରୁ ସୋନୁ ଏଭଳି ଏକ ଘର ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି । ଆଉ ନିଜ ଟୁଇଟରରେ ଲେଖିଛନ୍ତି, ଭାଇ କି ଗଜବ୍ ଘର । ଆପଣଙ୍କ ପ୍ରେମ ପାଇଁ ଅନେକ ଅନେକ ଧନ୍ୟବାଦ । ଏ ଘର ଦେଖିବାକୁ ମୁଁ ନିଶ୍ଚୟ ଆପଣଙ୍କ ଗାଁକୁ ଯିବି… ତେବେ ସୋନୁଙ୍କ ଟ୍ୱିଟ୍ ପରେ ଏବେ ଏହି ଘରର ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ସବୁ ସମସ୍ୟାର ସମାଧାନ କରି, ସଙ୍କଟ ସମୟରେ ସାମ୍ନାକୁ ଆସି ଲୋକଙ୍କୁ ସବୁବେଳେ, ସବୁ ମୁହୂର୍ତ୍ତରେ ସାହାଯ୍ୟ କରି ଶ୍ରମିକଙ୍କ ଭଗବାନ ସାଜିଥିବା ସୋନୁ ସୁଦଙ୍କୁ ସବୁଠାରୁ ପ୍ରଶଂସା ମିଳୁଛି । ଏମିତି ତାଙ୍କ କାମ ପାଇଁ କିଏ ତାଙ୍କୁ ଆଦର୍ଶ ମାନୁଛି ତ କିଏ ତାଙ୍କ ଚିତ୍ର ଆଙ୍କି ନିଜ ସବୁ କାମକୁ ଉତ୍ସର୍ଗ କରୁଛି ।