ଜନସଂଖ୍ୟା ବିଧେୟକ ୨୦୨୧ ର ଡ୍ରାଫ୍ଟ ପ୍ରସ୍ତୁତ କଲେ ୟୁପି ସରକାର । ଦୁଇରୁ ଅଧିକ ପିଲା ଥିଲେ ମିଳିବ ନାହିଁ ଏହିସବୁ ସୁବିଧା

627

କନକ ବ୍ୟୁରୋ : ଉତ୍ତରପ୍ରଦେଶରେ ଜନସଂଖ୍ୟା ବିଧେୟକ ୨୦୨୧ ପ୍ରସ୍ତତ କରାଯାଇଛି । ରାଜ୍ୟ ବିଧି ଆୟୋଗ ଏହାକୁ ଶେଷ ପର୍ଯ୍ୟାୟରେ ଅନୁଧ୍ୟାନ କରିବା ପରେ ସରକାରଙ୍କ ନିକଟରେ ଦାଖଲ କରିବେ । ଏହି ବିଧେୟକ ମୁତାବକ ୨ ଅଧିକ ପିଲାଥିବା ଲୋକମାନେ ନା ସରକାରୀ ଚାକିରୀ କରିପାରିବେ ନା ନିର୍ବାଚନ ଲଢିପାରିବେ । ଏନେଇ ଆୟୋଗ ତରଫରୁ ଡ୍ରାଫ୍ଟକୁ ସରକାରୀ ୱେବସାଇଟରେ ପବ୍ଲିସ କରାଯାଇ ଜୁଲାଇ ୧୯ ତାରିଖ ମଧ୍ୟରେ ଲୋକଙ୍କ ମତ ଲୋଡାଯାଇଛି ।

ଉତ୍ତରପ୍ରଦେଶ ରାଜ୍ୟ ବିଧି ଆୟୋଗଙ୍କ ପ୍ରସ୍ତାବ ମୁତାବକ ରାଜ୍ୟରେ ୨ ରୁ ଅଧିକ ପିଲା ଥିବା ଲୋକମାନେ ସରକାରୀ ଚାକିରୀ ପାଇଁ ଆବେଦନ କରିପାରିବେ ନାହିଁ । ଚାକିରୀ କରିଥିଲେ ପ୍ରମୋସନ ମିଳିବ ନାହିଁ । ସରକାରଙ୍କର ୭୭ ଟି ଯୋଜନାର ଲାଭ ବି ସେମାନଙ୍କୁ ମିଳିବ ନାହିଁ । ଏହାସହ ସ୍ଥାନୀୟ ପଞ୍ଚାୟତ ନିର୍ବାଚନ ଲଢିବାକୁ ଅନୁମତି ମିଳିବ ନାହିଁ ।
ଏହି ବିଧେୟକ ଲାଗୁ ହେବା ପରେ ଏକ ବର୍ଷ ମଧ୍ୟରେ ସରକାରୀ ଅଧିକାରୀ ଓ କର୍ମଚାରୀମାନଙ୍କୁ ସରକାରଙ୍କୁ ଏକ ଶପଥ ପତ୍ର ଦେବାକୁ ହେବ । ଆଇନ ଲାଗୁ ହେବା ପରେ ଯଦି କେହି ଏହି ଆଇନର ଅବମାନନା କରନ୍ତି ତେବେ ତାଙ୍କ ନିର୍ବାଚିତ ପଦ ରଦ୍ଦ ହେବ ଓ ସରକାରୀ କର୍ମଚାରୀଙ୍କୁ ପ୍ରମୋସନ ମିଳିବ ନାହିଁ ।

ଅନ୍ୟପଟେ ରାଜ୍ୟରେ ଗୋଟିଏ ପିଲା ଥିବା ବାପା ଓ ମାଙ୍କୁ ସରକାର ସ୍ୱତନ୍ତ୍ର ସୁବିଧା ସୁଯୋଗ ଯୋଗାଇ ଦେବେ । ଯଦି ପରିବାରର ଅବିଭାବକ ସରକାରୀ ଚାକିରୀ କରୁଛନ୍ତି ତ ତାଙ୍କୁ ଇନକ୍ରିମେଣ୍ଟ, ପ୍ରମୋସନ ଭଳି ସୁବିଧାରେ ଅଗ୍ରାଧିକାର ଦିଆଯିବ । ଅନ୍ୟପଟେ ଯଦି ୨ ଟି ପିଲା ଥିବା ଅବିଭାବକ ସରକାରୀ ଚାକିରୀ କରୁଛନ୍ତି ତେବେ ତାଙ୍କୁ ବିଜୁଳି, ପାଣି, ହାଉସ୍ ଟ୍ୟାକ୍ସ ରେ କିଛି ଅର୍ଥ ଛାଡ କରାଯିବ ।

ସରକାରୀ ଚାକିରୀ କରୁଥିବା ଅବିଭାବକଙ୍କର ଗୋଟିଏ ପିଲା ଥିଲେ ପିଲାଟିକୁ ୨୦ ବର୍ଷ ହେବା ଯାଏଁ ସରକାର ମାଗଣା ଚିକିତ୍ସା ଯୋଗାଇ ଦେବେ । ଏହାସହ ଶିକ୍ଷା, ବୀମା ଓ ସରକାରୀ ଚାକିରୀରେ ଅଗ୍ରାଧିକାର ମିଳିବ ।