ୟୁପି :ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବଡ ଉପହାର । ଜୁଲାଇ ୩୦ ରେ ୯ ଟି ମେଡିକାଲ କଲେଜର କରିବେ ଲୋକର୍ପଣ ।

186

କନକ ବ୍ୟୁରୋ :  ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ୟୁପିବାସୀଙ୍କୁ ପ୍ରଧାନମନ୍ତ୍ରୀ ବଡ ଉପହାର ଦେବାକୁ ଯାଉଛନ୍ତି । ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ଜୁଲାଇ ୩୦ ତାରିଖରେ ୟୁପିର ୯ ଟି ମେଡିକାଲ କଲେଜକୁ ଲୋକାର୍ପଣ କରିବେ । ଏନେଇ ସିଦ୍ଧାର୍ଥନଗର ଠାରେ ପ୍ରସ୍ତୁତି ଚାଲିଛି । ଆଗାମୀ ଦୁଇଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ସିଦ୍ଧାର୍ଥନଗର ଯାଇ କାର୍ଯ୍ୟକ୍ରମର ତଦାରଖ କରିବେ ବୋଲି କୁହାଯାଇଛି ।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ମେଡିକାଲ କଲେଜଗୁଡିକୁ ଲୋକର୍ପଣ କରିବା ପୂର୍ବରୁ ମେଡିକାଲ କର୍ମଚାରୀ ନିଯୁକ୍ତିକୁ ଗୁରୁତ୍ୱ ଦିଆଯାଇଛି । ଏହାସହ ଲୋକର୍ପଣ ଦିନ ନିଜେ ପ୍ରଧାନମନ୍ତ୍ରୀ ୪୫୦ ଜଣ ମେଡିକାଲ କର୍ମଚାରୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ ବୋଲି ସୂଚନା ମିଳିଛି । କେବଳ ସେତିକି ନୁହେଁ ରାଜ୍ୟସରକାର ଚଳିତ ବର୍ଷ ଆଉ ୧୩ ଟି ମେଡିକାଲ କଲେଜ ଆରମ୍ଭ କରିବେ ବୋଲି କୁହାଯାଇଛି ।

କୁହାଯାଇଛି କି ଏହି ୯ ଟି ମେଡିକାଲ କଲେଜ ବ୍ୟତୀତ ଅଯୋଧ୍ୟା, ବହରାଇଚ, ବସ୍ତି, ଫିରୋଜାବାଦ ଓ ଶାହାଜାହାଁପୁର ଜିଲ୍ଲାରେ ଥିବା ମେଡିକାଲଗୁଡିକୁ ଅପଗ୍ରେଡ କରି ମେଡିକାଲ କଲେଜ ଭାବେ ନିର୍ମାଣ କରାଯାଉଛି ।

କହିରଖୁ କି ଜାତୀୟ ରାଜନୀତିରେ ପ୍ରଭାବ ରଖୁଥିବା ଉତ୍ତରପ୍ରଦେଶରେ ଆଗାମୀ ବର୍ଷ ବିଧାନସଭା ନିର୍ବାଚନ ଅନୁ୍ଷ୍ଠିତ ହେବାକୁ ଯାଉଛି । ଏହାକୁ ନେଇ ରାଜ୍ୟ ଶାସନରେ ଥିବା ବିଜେପି ସହ ସମାଜବାଦୀ ପାର୍ଟି, ବହୁଜନ ସମାଜବାଦୀପାର୍ଟି ଓ କଂଗ୍ରେସ ବି ପ୍ରସ୍ତୁତି ଜୋରଦାର କରିଛି  ।