ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶ ଜନତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଭେଟି । ୯,୮୦୦ କୋଟିର ସରାୟୁ କେନାଲ ପ୍ରକଳ୍ପର ଉଦଘାଟନ କଲେ ମୋଦୀ ।

147

କନକ ବ୍ୟୁରୋ : ଉତ୍ତରପ୍ରଦେଶ ଜନତାଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଉ ଏକ ଉପହାର । ଆଜି ଉତ୍ତରପ୍ରଦେଶ ବଳରାମପୁରରେ ପହଞ୍ଚି ଆଉ ଏକ ବଡ ପ୍ରକଳ୍ପର ଉଦଘାଟନ କରିଛନ୍ତି ମୋଦୀ । ବଳରାମପୁର ଜିଲ୍ଲାରେ ୯ ହଜାର ୮୦୦ କୋଟିର ମେଗା ପ୍ରୋଜେକ୍ଟକୁ ଲଞ୍ଚ କରିଛନ୍ତି ମୋଦୀ । ଏହି ଅବସରରେ ୟୁପିର ପୂର୍ବତନ ଅଖିଳେଶ ସରକାରଙ୍କୁ ସମାଲୋଚନା କରିବାକୁ ପଛାଇ ନାହାନ୍ତି ମୋଦୀ । ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତ୍ୟେକ ବୟାନର ଜବାବ ରଖିଛନ୍ତି ସପା ମୁଖ୍ୟ ଅଖିଳେଶ ଯାଦବ ।

ଉତ୍ତରପ୍ରଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆସନ୍ତା ନିର୍ବାଚନକୁ ନଜରରେ ରଖି ତୁହାକୁ ତୁହା ୟୁପି ଗସ୍ତ କରୁଛନ୍ତି ମୋଦୀ । ଶନିବାର ବଳରାମପୁର ଜିଲ୍ଲାରେ ପହଞ୍ଚି ଏକ ବଡ ପକଳ୍ପର ଉଦଘାଟନ କରିଛନ୍ତି ମୋଦୀ । ୯ ହଜାର ୮୦୦ କୋଟିର ସରୟୁ କେନାଲ ପ୍ରକଳ୍ପକୁ ପୂର୍ବ ଉତ୍ତରପ୍ରଦେଶବାସୀଙ୍କ ନିମନ୍ତେ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ପ୍ରକଳ୍ପର ଦ୍ୱାରା ୯ଟି ଜିଲ୍ଲାର ୨୫ ରୁ ୩୦ ଲକ୍ଷ ଚାଷୀ ଉପକୃତ ହେବେ ବୋଲି ମୋଦୀ ଏହି ଅବସରରେ କହିଛନ୍ତି । ସରାୟୁ କେନାଲ ପ୍ରକଳ୍ପକୁ ଉଦଘାଟନ କରି ମୋଦୀ କହିଛନ୍ତି ଆଉ ଚାଷୀଙ୍କ ପାଇଁ ପାଣିର ସମସ୍ୟା ରହିବ ନାହିଁ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଯୋଗ ଦେଇଛନ୍ତି ।

ମୋଦୀ ବନାମ ଅଖିଳେଶ । ଚାଲିଛି ପ୍ରଧାନମନ୍ତ୍ରୀ ଓ ସପା ମୁଖ୍ୟଙ୍କ ବୟାନବାଜି । ପ୍ରଧାନମନ୍ତ୍ରୀ ମୋଦୀ ବଳରାମପୁରରେ ପହଞ୍ଚି ପ୍ରକଳ୍ପର ଉଦଘାଟନ କରିବା ପରେ ତାଙ୍କୁ କଟାକ୍ଷ କରିଛନ୍ତି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ତଥା ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ । ଉଦଘାଟିତ କରାଯାଉଥିବା ପ୍ରକଳ୍ପ ଗୁଡିକ ମଧ୍ୟରୁ ଅଧିକାଂଶ ସମାଜବାଦୀ ପାର୍ଟି ଆରମ୍ଭ କରିଥିଲା ବୋଲି କହିଛନ୍ତି ଅଖିଳେଶ ଯାଦବ । ସେହିପରି ସମାଜବାଦୀ ପାର୍ଟି ଭୂମି ନଦେଇଥିଲେ ଗୋରଖପୁରରେ ଏମ୍ସ ହସ୍ପିଟାଲ ହୋଇପାରିନଥାନ୍ତା ବୋଲି କହିଛନ୍ତି ସପା ନେତା । ଏହା ସହ ଉତ୍ତରପ୍ରଦେଶ ଜନତା ଯୋଗୀ ସରକାର ନୁହେଁ ଯୋଗ୍ୟ ସରକାର ଚାହେଁ ବୋଲି କହି ବିଜେପିକୁ କଡା ଜବାବ ଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ । ଅଖିଳେଶ ଯାଦବଙ୍କ ଏହି ବୟାନରେ କଟାକ୍ଷ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ମୁଁ ଜାଣିଥିଲି କିଏ ଆସି ଏପରି କହିବ ବୋଲି । କିଛି ଲୋକ କେବଳ ସ୍ୱପ୍ନ ଦେଖନ୍ତି, ହେଲେ ବିଜେପି କାମରେ କରି ଦେଖାଏ ।

ନିର୍ବାଚନ ପାଖେଇ ଆସୁଛି । ଏହାରି ଭିତରେ ଉତ୍ତରପ୍ରଦେଶକୁ ପ୍ରଧାନମନ୍ତ୍ରୀ ତୁହାକୁ ତୁହା ଗସ୍ତ କରୁଛନ୍ତି । ଅନ୍ୟ ପ୍ରମୁଖ ବିରୋଧି ଦଳ ନିଜର ରାଜନୈତିକ କାର୍ଡ ଖେଳି ଆସନ୍ତା ନିର୍ବାଚନରେ ଭାଜପାକୁ ଚେକ୍ ଦେବା ପାଇଁ କରୁଛନ୍ତି ପ୍ରସ୍ତୁତି । ଏହାରି ଭିତରେ ୨୦୨୪ ନିର୍ବାଚନ ପୂର୍ବରୁ ୟୁପି ଫଳାଫଳ ଏକ ବଡ ସଙ୍କେତ ହେବାକୁ ଥିବାବେଳେ କିଏ ଏହି ଗଡ ଦଖଲ କରୁଛି ଦେଖିବାକୁ ବାକି ରହିଲା ।