ନିର୍ବାଚନ ପାଇଁ ଉଠୁଛି ପଡୁଛି ଉତରପ୍ରଦେଶରେ: ବିଜେପି ପାଇଁ ଘର ଘର ବୁଲି ପ୍ରଚାର କଲେ ଗୃହମନ୍ତ୍ରୀ ଅମିତ ଶାହ

187

କନକ ବ୍ୟୁରୋ: ନିର୍ବାଚନ ତାରିଖ ଯେତିକି ନପାଖେଇ ଆସୁଛି, ଉତର ପ୍ରଦେଶରେ ସେତିକି ତେଜୁଛି ରାଜନୀତି । ପ୍ରତ୍ୟେକ ଦିନ ନେତାଙ୍କ ଭିନ୍ନ ଭିନ୍ନ ମତ ସାମ୍ନାକୁ ଆସୁଛି । କଂଗ୍ରେସ ନେତ୍ରୀ ତଥା ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ, ଉତର ପ୍ରଦେଶରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରା ବୋଲି ସାମ୍ବାଦିକଙ୍କୁ ଦେଇଥିଲେ ପ୍ରତିକ୍ରିୟା । ହେଲେ ନିଜର ଏହି କଥାରୁ ଏବେ ସେ ପଲଟି ଯାଇଛନ୍ତି । ସେପଟେ ବାପା ମୁଲାୟମ ସିଂହଙ୍କ ଆସନରୁ ନିର୍ବାଚନ ଲଢିବେ ସପା ମୁଖ୍ୟ ଅଖିଳେଶ ଯାଦବ । ଏହାରି ଭିତରେ ସତାକୁ ଫେରିବା ପାଇଁ ବିଜେପି ଚଳାଇଛି ଜୋରଦାର ନିର୍ବାଚନ ପ୍ରଚାର ।

ଆସନ୍ତା ବିଧାନସଭା ନିର୍ବାଚନରେ ପୁଣିଥରେ ବାଜି ମାରିବା ଲକ୍ଷ ନେଇ ଉତର ପ୍ରଦେଶରେ ଜୋର ଦାର ପ୍ରଚାର ଚଳାଇଛି ବିଜେପି । ଶନିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଘର ଘର ବୁଲି ପାମ୍ପଲେଟ୍ ବାଂଟିବା ସହ ଲୋକଙ୍କୁ ବିଜେପିକୁ ଭୋଟ ଦେବା ପାଇଁ କହୁଛନ୍ତି ଅମିତ ଶାହ । ଉତରପ୍ରଦେଶର କିରାନାରେ ବିଜେପି ପକ୍ଷରୁ ଡୋର ଟୁ ଡୋର କ୍ୟାମ୍ପେନ୍ କରାଯାଇଛି । ନିର୍ବାଚନ କମିଶନ ପ୍ରଚାରର ଶେଷ ତାରିଖ ଘୁଂଚାଇଥିବାବେଳେ ଏବେ ଭୋଟରକୁ ପ୍ରଭାବିତ କରିବା ପାଇଁ ଲାଗି ପଡିଛନ୍ତି ନେତା ।

ସେପଟେ କଂଗ୍ରେସ କ୍ୟାମ୍ପରେ ବି ଦେଖିବାକୁ ମିଳୁଛି ନୂଆ କଥା । ଉତରପ୍ରଦେଶରେ କିଏ ହେବେ କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । ଶୁକ୍ରବାର ଯୁବବର୍ଗଙ୍କ ପାଇଁ ନିର୍ବାଚନୀ ଇସ୍ତାହାର ଘୋଷଣା ବେଳେ ସାମ୍ବାଦିକଙ୍କ ପ୍ରଶ୍ନର ଉତରରେ ନିଜକୁ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପିତ କରିଥିଲେ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ । ହେଲେ ଆଜି ପ୍ରିୟଙ୍କା ଓଲଟା ଉତର ଦେଇଛନ୍ତି । କହିଛନ୍ତି, ସେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନୁହନ୍ତି । ସାମ୍ବାଦିକମାନେ ମୁଖ୍ୟମନ୍ତ୍ରୀ କିଏ ବୋଲି ବାରମ୍ବାର ପ୍ରଶ୍ନ କରିବାରୁ ଚିଡିଯାଇ ସେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି କହିଥିଲେ ।

ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ନେତା ନିଜ ବାପା ମୁଲାୟମ ସିଂହଙ୍କ ଆସନ କାରହାଲରୁ ପ୍ରତିଦ୍ୱନ୍ଦିତା କରିବେ ବୋଲି ଘୋଷଣା କରିଛନ୍ତି । ସମାଜବାଦୀ ପାର୍ଟି ଗଠନ ହେବା ପରଠାରୁ ଏହି ଆସନରୁ ଦଳ ୭ ଥରରୁ ୬ଥର ବିଜୟ ଲାଭ କରିଛି । ଗତ ତିନି ଦଶନ୍ଧି ଧରି ମଣିପୁରି ଜିଲ୍ଲାର କାରହାଲ ଆସନ ସମାଜବାଦୀ ପାର୍ଟିର ଗଡ ହୋଇ ରହିଛି । ତେଣୁ ପୂର୍ବରୁ ଆଜମଗଡରୁ ନିର୍ବାଚନ ଲଢିବେ ବୋଲି କହୁଥିବା ଅଖିଳେଷ ଏବେ ସପା ଗଡରୁ ନିର୍ବାଚନ ଲଢିବେ ବୋଲି ସ୍ପଷ୍ଟ କରିଛନ୍ତି ।

କରୋନା ପାଇଁ ଏବେ ର୍ୟାଲି ଓ ରୋଡ୍ ଶୋ ଉପରେ କଟକଣା ଲଗାଇଛନ୍ତି କଟକଣା । ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ଏହି କଟକଣା ବଳବତର ରହିବ । ଯାହା ଫଳରେ ଲୋକଙ୍କ ପାଖରେ ପହଁଚିବାକୁ ଚେଷ୍ଟା ଚଳାଇଛନ୍ତି ନେତା ।