ମନ୍ତ୍ରୀଙ୍କୁ ବିରୋଧ କରିବା ପଡିଲା ମହଙ୍ଗା, କାର ମଡାଇ ଦୁଇଚାଷୀଙ୍କୁ ହତ୍ୟା ଅଭିଯୋଗ

93

କନକ ବ୍ୟୁରୋ : ଦେଶରେ ଗୋଟିଏ ବର୍ଷ ହେବ ଏକ ନୂଆକଥା ଦେଖିବାକୁ ମିଳିଛି । ସ୍ୱାଧୀନତା ପରେ ପ୍ରଥମଥର ପାଇଁ ଦେଶର ବିଭିନ୍ନ ପ୍ରାନ୍ତରେ ଚାଷୀମାନେ ସେମାନଙ୍କ ସମସ୍ୟାକୁ ନେଇ ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି । ଗତକାଲି ଖରିଫ୍ ଧାନ କିଣିବା ପ୍ରସଙ୍ଗରେ ପଞ୍ଜାବ ଓ ହରିଆଣା ଚାଷୀଙ୍କ ଆଗରେ ସରକାର ମୁଣ୍ଡ ନୁଆଁଇଥିଲେ । ହେଲେ ଆଜି ଉତ୍ତରପ୍ରଦେଶରେ ଜଣେ ମନ୍ତ୍ରୀଙ୍କ ପ୍ରସେଶନ ଗାଡି ମାଡିଯିବାରୁ ୨ ଜଣ ଚାଷୀଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ରୁ ଅଧିକ ଚାଷୀ ଆହତ ହୋଇଥିବା ସୂଚନା ମିଳିଛି ।

ସୂଚନା ମୁତାବକ ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖୋରୀ ନିକଟ ତିକୁନିଆ ଅଞ୍ଚଳରେ ଏବେ ହଇଚଇ ସୃଷ୍ଟି ହୋଇଛି । ଏଠାରେ ଏକ କାର ମାଡିଯିବା ଫଳରେ ୨ ଜଣ ଚାଷୀଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଚାଷୀ ଆହତ ହୋଇଛନ୍ତି । କୁହାଯାଇଛି କି ଏହି କୃଷକମାନେ ସେଠାରେ ବିରୋଧ ପ୍ରଦର୍ଶନ କରୁଥିଲେ । ଏଭଳି ଦୁର୍ଘଟଣା ପରେ ସେଠାରେ ଚାଷୀମାନେ ତାତିଛନ୍ତି । ଏହି କ୍ରମରେ ୩ ଟି ଗାଡିରେ ନିଆଁ ଲଗାଇ ଦେଇଥିବା କୁହାଯାଇଛି ।

କହିରଖୁ କି ଆଜି ଲକ୍ଷ୍ମୀପୁର ଖୋରୀ ଠାରେ ଉପମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ଥିଲା । ଏହାକୁ ନଜରରେ ରଖି ମନ୍ତ୍ରୀଙ୍କୁ ବିରୋଧ କରି କୃଷକମାନେ ଆନ୍ଦୋଳନ ଚଳାଇଥିଲେ । ହେଲେ ଉପମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବାକୁ ଆସିଥିବା ଜଣେ ବିଜେପି ସାଂସଦଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ଦେଖିବା ପରେ କୃଷକମାନେ ତାଙ୍କ ଗାଡି ନିକଟକୁ ଆସି ନାରାବାଜି କରିଥିଲେ । ଏହି ସମୟରେ ଗାଡିର ଡ୍ରାଇଭର ଗାଡି ମଡାଇ ଦେବାରୁ ୨ ଜଣ କୃଷକଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ କୃଷକ ଆହତ ହୋଇଥିବା କୁହାଯାଉଛି । ଏଭଳି ଘଟଣା ପରେ କୃଷକମାନେ ଆଶିଷ ମିଶ୍ରାଙ୍କ ଗାଡି ସହ ଅନ୍ୟ ଦୁଇଟି ଗାଡିରେ ନିଆଁ ଲଗାଇ ଦେଇଛନ୍ତି ।