ଦିଲ୍ଲୀରେ ଚାଲିଲା ଯୋଗୀଙ୍କ ବୋଲଡୋଜର । ରୋହିଙ୍ଗ୍ୟା କ୍ୟାମ୍ପ ଭାଙ୍ଗି ଖାଲି କଲେ ୧୫୦ କୋଟିର ଜମି

362

କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀର ମଦନପୁର ଅଞ୍ଚଳରେ ଯୋଗୀ ସରକାର ବଡ ଆକ୍ସନ ନେଇଛନ୍ତି । ଦିଲ୍ଲୀ ମଦନପୁର ଅଞ୍ଚଳରେ ଥିବା ୟୁପି ସରକାରଙ୍କ କିଛି ଜମି ଉପରେ ବେଆଇନ ଭାବେ ଦଖଲ କରି କ୍ୟାମ୍ପ କରିଥିବା ରୋହିଙ୍ଗ୍ୟାଙ୍କ କ୍ୟାମ୍ପଙ୍କୁ ଭାଙ୍ଗି ଦେଇଛି ୟୁପି ପୋଲିସ । ଏହି ଜମି ୟୁପି ସରକାରଙ୍କ ଜଳସେଚନ ବିଭାଗର ହୋଇଥିବାରୁ ଏହାକୁ ଖାଲି କରିଛନ୍ତି ଯୋଗୀ ସରକାର ।

ମଦନପୁର ଅଞ୍ଚଳରେ ସକାଳ ୪ ଟାରୁ ଆରମ୍ଭ ହୋଇଥିଲା ଉଚ୍ଛେଦ ପ୍ରକ୍ରିୟା । ଏଠାରେ ପୋଲିସ ତରଫରୁ ବୋଲଡୋଜର ସହାୟତାରେ ୫.୨୧ ଏକର ଜମି ଦଖଲ କରାଯାଇଛି । ଏହି ଜମିର ଆନୁମାନିକ ମୂଲ୍ୟ ୧୫୦ କୋଟି ଟଙ୍କା ହେବ ବୋଲି କୁହାଯାଇଛି ।

କହିରଖୁ କି ଉତ୍ତରପ୍ରଦେଶ ସରକାର ଦ୍ୱାରା ଏଭଳି ବେଆଇନ ଦଖଲ ଉପରୁ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି । କହିରଖୁ କି ଦିଲ୍ଲୀ ଅଞ୍ଚଳରେ ଉତ୍ତରପ୍ରଦେଶ ସରକାରଙ୍କ ଜଳସେଚନ ବିଭାଗର କିଛି ଜମି ରହିଛି । ଓଖଲା, ମଦନପୁର,ଖାଦର, ଆଲି, ଜୈତପୁର,ମୋଲରବନ୍ଦ ଅଞ୍ଚଳରେ ଏହି ଜମି ରହିଛି ।

ୟୁପି ସରକାରଙ୍କ ଜଳସେଚନ ମନ୍ତ୍ରୀ ମହେନ୍ଦ୍ର ସିଂ ଦ୍ୱାରା ବି ଏହି ଉଚ୍ଛେଦ ବେଳର ଭିଡିଓ ଟ୍ୱିଟ କରାଯାଇଛି । କହିରଖୁ କି ଦିଲ୍ଲୀର କାଳିନ୍ଦୀ କୁଞ୍ଜ ମେଟ୍ରୋ ଷ୍ଟେସନ ଅଞ୍ଚଳରେ ବହୁ ସଂଖ୍ୟାରେ ରୋହିଙ୍ଗ୍ୟା ଶରଣାର୍ଥୀମାନେ କ୍ୟାମ୍ପ କରି ରହୁଛନ୍ତି । ଅନ୍ୟପଟେ ଉତ୍ତପ୍ରଦେଶ ସରକାର କିଛି ମାଫିଆ ମାନଙ୍କ ଦଖଲରେ ଥିବା ସରକାରୀ ଜମି ବି ଦଖଲ କରିଛନ୍ତି । ଏହାସହ ବେଆଇନ ନିର୍ମାଣକୁ ନେଇ ବି ଯୋଗୀ ସରକାର ପୁରା ଆକ୍ସନ ମୋଡରେ ଅଛନ୍ତି ।

ସୂଚନା ଥାଉକି ଦେଶରେ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ନେଇ ବାରମ୍ବାର ବିବାଦ ଦେଖା ଦେଇଛି । କେନ୍ଦ୍ର ସରକାର ସେମାନଙ୍କ ଅନୁପ୍ରବେଶ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେଉ ନଥିବା ବେଳେ ସେମାନଙ୍କ କ୍ୟାମ୍ପ ଭାଙ୍ଗି ଯୋଗୀ ସରକାର ପ୍ରମାଣ କରିଛନ୍ତି କି ଭାରତରେ ଶରଣାର୍ଥୀ ମାନଙ୍କ ପାଇଁ କୌଣସି ସ୍ଥାନ ନାହିଁ ।