କନକ ବ୍ୟୁରୋ: କୁହାଯାଏ ଦିଲ୍ଲୀରେ ଗାଦି ହାସଲ କରିବାକୁ ହେଲେ, ପ୍ରଥମେ ୟୁପି ବିଜୟ ଆବଶ୍ୟକ । ଅର୍ଥାତ କେନ୍ଦ୍ରରେ କୌଣସି ବି ଦଳକୁ ସରକାର ଗଢିବାକୁ ହେଲେ, ଦଳକୁ ପ୍ରଥମେ ୟୁପିରେ ଅଧିକ ସିଟ୍ ଜିତିବାକୁ ହେବ । ଆଉ ବୁଥ୍ ବାହୁଡା ମଥରୁ ଯେଉଁ ରିପୋର୍ଟ ସାମ୍ନାକୁ ଆସିଛି, ସେଥିରେ ୟୁପିରେ ପୁଣିଥରେ ବିଜେପି ଦମଦାର ପ୍ରଦର୍ଶନ କରୁଥିବା ଜଣାପଡୁଛି । ଇଣ୍ଡିଆ ଟୁଡେ ଆକ୍ସିସ୍ ମାଇଁ ଇଣ୍ଡିଆର ଏକଜିଟ୍ ପୋଲ୍ ମୁତାବକ ୟୁପିର ୮୦ ସିଟରୁ ବିଜେପିକୁ ୬୭ରୁ ୭୨ଟି ଆସନ ମିଳିପାରେ ।
ସେହିପରି ବିରୋଧୀ ଇଣ୍ଡିଆ ମେଣ୍ଟକୁ ୟୁପିରେ ୮ରୁ ୧୨ ସିଟ୍ ମିଳିପାରେ ବୋଲି ଅନୁମାନ କରାଯାଉଛି । ଅନ୍ୟପଟେ ୟୁପିରେ ମାୟାବତୀଙ୍କ ବହୁଜନ ସମାଜବାଦୀ ପାର୍ଟିକୁ ୦ରୁ ୧ ସିଟ୍ ମିଳିପାରେ ବୋଲି ଏକଜିଟ୍ ପୋଲରେ ଅନୁମାନ କରାଯାଉଛି । ଅନ୍ୟପଟେ ଯଦି ଭୋଟ୍ ପ୍ରତିଶତ କଥା କହିବା, ତେବେ ୟୁପିରେ ଏନଡିଏ ମେଣ୍ଟକୁ ୪୯ ପ୍ରତିଶତ ଭୋଟ୍ ମିଳିପାରେ ବୋଲି ଅନୁମାନ କରାଯାଉଛି । ସେହିପରି ଇଣ୍ଡିଆ ମେଣ୍ଟକୁ ୩୯ ପ୍ରତିଶତ ଏବଂ ବିଏସପିକୁ ୮ ପ୍ରତିଶତ ଭୋଟ୍ ମିଳିପାରେ ।
ସୂଚନାଯୋଗ୍ୟ ଯେ, ୟୁପିରେ ସର୍ବାଧିକ ୮୦ଟି ଲୋକସଭା ଆସନ ରହିଛି । ଯେଉଁଥିରୁ ୨୦୧୯ରେ ଏନଡିଏ ମେଣ୍ଟ ୬୪ଟି ଆସନ ଜିତିଥିଲା । ଅନ୍ୟପଟେ ସମାଜବାଦୀ ପାର୍ଟି ଏବଂ ବିଏସପି ମିଶି ୧୫ଟି ସିଟ୍ ଜିତିଥିଲେ । କଂଗ୍ରେସ କେବଳ ଗୋଟିଏ ଆସନରେ ନିଜର ବିଜୟ ବାନା ଉଡେଇ ପାରିଥିଲା । ହେଲେ ଏଥର କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ଏକାଠି ଲଢୁଥିବାବେଳେ, ବିଏସପି କିନ୍ତୁ ଅଲଗା ଲଢୁଛି । ଆଉ ଏହାର ପ୍ରଭାବ ସିଟ୍ ଉପରେ ପଡିଥିବା ମଧ୍ୟ ଦେଖିବାକୁ ମିଳୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/06/U3SQL6FALII6ZFBYEVLQTNWN3Q.jpg)