ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସର ବୈଠକ । ପାର୍ଟି ବୈଠକରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପ୍ରିୟଙ୍କା

163

କନକ ବ୍ୟୁରୋ : ୟୁପି ନିର୍ବାଚନ ପୂର୍ବରୁ ରାଜନୀତି ସରଗରମ ହେବାରେ ଲାଗିଛି । ନିର୍ବାଚନକୁ ନେଇ ଆଜି ରାଜ୍ୟ କଂଗ୍ରେସର ବଡ ବଡ ନେତାଙ୍କୁ ନେଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ବୈଠକ କରିଛନ୍ତି । ଏହି ବୈଠକରେ ପରେ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି କି ଦରଦାମ ବୃଦ୍ଧି, ରାଜ୍ୟରେ ବଢୁଥିବା ବେକାରୀ ଓ ରାଜ୍ୟ ସରକାରଙ୍କ ଜଙ୍ଗଲ ରାଜ୍ ବିରୋଧରେ ଦଳ ରାଜ ରାସ୍ତାକୁ ଓହ୍ଲାଇବ ।

ଉତ୍ତରପ୍ରଦେଶ କଂଗ୍ରେସର ପରମର୍ଶଦାତା ପରିଷଦ ଓ ରଣନୀତି ଗ୍ରୁପ ସହିତ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକରେ ଯୋଗ ଦେଇଥିଲେ ପ୍ରିୟଙ୍କା ଗାନ୍ଧୀ । ଏହି ବୈଠକରେ ପ୍ରିୟଙ୍କା କହିଥିଲେ କି ପଞ୍ଚାୟତ ନିର୍ବାଚନରେ ଯୋଗୀ ସରକାର ଖୋଲା ଖୋଲି ହିଂସା କରିଛନ୍ତି । ବିଜେପିର କର୍ମକର୍ତ୍ତାମାନେ ବୋମା, ପଥର ଓ ଗୁଳି ଚଳାଇ ଭୋଟ ହାତେଇବାରେ ସକ୍ଷମ ହୋଇଛନ୍ତି ।

ଏହି ବୈଠକରେ ପ୍ରିୟଙ୍କା ଗାନ୍ଧୀ ଦରଦାମ ବୃଦ୍ଧି, କରୋନା ସଂକଟ, ପଞ୍ଚାୟତ ନିର୍ବାଚନ ଓ ଦଳର ପ୍ରଶିକ୍ଷଣ ଶିବିର ଉପରେ ଚର୍ଚ୍ଚା କରିଛନ୍ତି । କୃଷକଙ୍କ ସମସ୍ୟା ନେଇ ପ୍ରିୟଙ୍କା କହିଛନ୍ତି କି ଗୋଟେପଟେ କୃଷକମାନଙ୍କର ନିବେଶ ୨ ଗୁଣ ହୋଇଥିବା ବେଳେ ରୋଜଗାର କମିଛି । ରାଜ୍ୟ ସରକାର ସବୁ ମୁଦ୍ଦା ଉପରେ ବିଫଳ ହୋଇଥିବା ଅଭିଯୋଗ ଆଣିଛନ୍ତି କଂଗ୍ରେସ ମହାସଚିବ ।

କହିରଖୁ କି ଏହି ବୈଠକ ପୂର୍ବରୁ ଗତକାଲି (ରବିବାର) ପ୍ରିୟଙ୍କା ଗାନ୍ଧୀ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ସିଂ ବଘେଲଙ୍କ ସହ ବୈଠକ କରିଥିଲେ । ଆଗାମୀ ବର୍ଷ ଉତ୍ତରପ୍ରଦେଶରେ ହେବାକୁ ଥିବା ନିର୍ବାଚନରେ ରଣନୀତି ଓ ବୁଥ୍ ପ୍ରବନ୍ଧନ ସହ ଦଳର ସଂଗଠନ ପ୍ରସ୍ତୁତ କରିବା ନେଇ ବଘେଲଙ୍କୁ ଦଳ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇପାରେ ବୋଲି ଆଶା କରାଯାଉଛି । ଆଜି ପ୍ରିୟଙ୍କାଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ୟୁପି କଂଗ୍ରେସର ବରିଷ୍ଠ ନେତା ରାଜୀବ ଶୁକ୍ଳା,ସଲମାନ ଖୁର୍ସିଦ,ଅଜୟ କୁମାର ଲଲ୍ଲୁ, ଆରାଧନା ମିଶ୍ରାଙ୍କ ସମେତ ବହୁ ବରିଷ୍ଠ ନେତା ଯୋଗ ଦେଇଥିଲେ ।