କନକ ବ୍ୟୁରୋ : ଲୋକସଭା ନିର୍ବାଚନରେ ଉତ୍ତର ପ୍ରଦେଶରେ ବିଜେପିର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଦଳୀୟ କନ୍ଦଳ ଜୋର ଧରିଛି । ଏହାକୁ ନେଇ କେନ୍ଦ୍ରୀୟ ନେତା ଓ ରାଜ୍ୟ ବିଜେପି ନେତାଙ୍କ ମଧ୍ୟରେ ମଧ୍ୟ ମନୋମାଳିନ୍ୟ ଦେଖିବାକୁ ମିଳିଛି । ଏହାପରେ ମଧ୍ୟ ଏବେର ଖବର ସ୍ପଷ୍ଟ କରୁଛି କି ଉତ୍ତର ପ୍ରଦେଶରେ ବିଜେପିର ସବୁକିଛି ଠିକ୍ ଠାକ୍ ଚାଲିନାହିଁ । ଲୋକସଭା ନିର୍ବାଚନ ପରେ ଖୁବଶୀଘ୍ର ଉତ୍ତର ପ୍ରଦେଶରେ ୧୦ ଟି ବିଧାନସଭା ପାଇଁ ହେବାକୁ ଯାଉଛି ଉପ ନିର୍ବାଚନ । ଏହି ନିର୍ବାଚନକୁ ପରିଚାଳନା କରିବାକୁ ଯୋଗୀ ସରକାରର ୩୦ ଜଣ ମନ୍ତ୍ରୀଙ୍କୁ ଦାୟୀତ୍ୱ ଦିଆଯାଇଛି । ହେଲେ ସବୁଠାରୁ ବଡକଥା ହେଉଛି କି, ଏହି ୩୦ ଜଣିଆ ଟିମ୍ ଭିତରେ କିନ୍ତୁ ଯୋଗୀ ସରକାରରେ ଦୁଇ ଉପ ମୁଖ୍ୟମନ୍ତ୍ରୀ ସ୍ଥାନ ନ ପାଇବା ଦେଇ ଚର୍ଚ୍ଚା ଜୋର ଧରିଛି । ଉପ ମୁଖ୍ୟମନ୍ତ୍ରୀ ବ୍ରଜେଶ ଠାକୁର ଓ କେଶବ ପ୍ରସାଦ ମୌର୍ଯ୍ୟ ସ୍ଥାନ ପାଇନାହାଁନ୍ତି ।

Advertisment

ସୂଚନା ଥାଉ କି, ଗତ ମଙ୍ଗଳବାର ଦିନ ଭାରତୀୟ ଜନତା ପାର୍ଟିର ଉତ୍ତର ପ୍ରଦେଶ ଅଧ୍ୟକ୍ଷ ଓ ବୁଧବାର ଦିନ ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଦଳର ଶୀର୍ଷ ନେତୃତ୍ୱଙ୍କୁ ଭେଟ କରିଥିଲେ । ଏହି କ୍ରମରେ ସେମାନେ ରାଜ୍ୟର ସଂଗଠନ ବାବଦରେ ଜଣାଇଥିଲେ । କେଶବ ପ୍ରସାଦ ମୌର୍ଯ୍ୟ ଟ୍ୱିଟ ମାଧ୍ୟମରେ ଜଣାଇଥିଲେ କି ରାଜ୍ୟରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଦୁଃଖକୁ ସେ ନିଜର ଦୁଃଖ ଭାବେ ଭାବିଥାନ୍ତି । ସେପଟେ ବିଜେପିରେ ଚାଲିଥିବା ଏହି କନ୍ଦଳକୁ ନେଇ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଟ୍ୱିଟ କରି ଟାର୍ଗେଟ୍ କରିଛନ୍ତି ।