କନକ ବ୍ୟୁରୋ : ଚଳିତମାସ ଉତ୍ତର ପ୍ରଦେଶ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି କ୍ରମରେ ସେଠାରେ ଶାସକ ବିଜେପି ରାଜ୍ୟକୁ ବିକାଶର ଶିଖରରେ ପହଂଚାଇଥିବା ନେଇ ଡେଙ୍ଗୁୂରା ପିଟୁଥିବା ବେଳେ ଅନ୍ୟ ରାଜନୈତିକ ଦଳମାନେ କ୍ଷମତାକୁ ଆସିଲେ ରାଜ୍ୟର ପୂର୍ଣ୍ଣ ବିକାଶ କରିବାକୁ ପ୍ରତିଶ୍ରୁତି ଦେଉଛନ୍ତି । ହେଲେ ଏବେ ଉତ୍ତର ପଦେଶରୁ ଆସିଥିବା ଏକ ଚିତ୍ର କିନ୍ତୁ ଅଲଗା କଥା କହୁଛି । ଏ ଚିତ୍ର ସ୍ପଷ୍ଟ କରୁଛି ଯେ ରାଜ୍ୟର ବିକାଶ ବିଜ୍ଞାପନରେ ଝଟକୁଛି, ରାଜ୍ୟର ବିକାଶ ନେତା ମନ୍ତ୍ରୀଙ୍କ ମୁହଁରେ ଝଟକୁଛି । ମାତ୍ର ତାହା ସାଧାରଣ ଲୋକଙ୍କ ବାସ୍ତବ ଜୀବନରେ କିଭଳି ଅନ୍ଧାର ଖେଳାଇଦେଇଛି ଏଚିତ୍ର ସମସ୍ତ ବାସ୍ତବତାକୁ ସ୍ପଷ୍ଟ କରିବାରେ ଲାଗିଛି ।
ଉତ୍ତର ପ୍ରଦେଶର ଜଣେ ଜୋତା ବ୍ୟବସାୟୀ ନିଜ ସ୍ତ୍ରୀଙ୍କ ସହ ବିଷପାନ କରିଛନ୍ତି । ଏହି ବିଷପାନ ବେଳର ଭିଡିଓ ସେ ଫେସବୁକରେ ଲାଇଭ କରିଛନ୍ତି । ଏହି ଲାଇଭ ଭିଡିଓ ଦେଖିବା ପରେ ପଡୋଶୀମାନେ ତୁରନ୍ତ ସ୍ୱାମୀ ସ୍ତ୍ରୀଙ୍କୁ ମେଡିକାଲ ନେଇଥିଲେ ବି ସେଠାରେ ମହିଳା ଜଣଙ୍କର ମୃତ୍ୟୁ ହୋଇଛି ଓ ପୁରୁଷ ଜଣଙ୍କ ଗୁରୁତର ଅବସ୍ଥାରେ ଏବେ ଆଇସିୟୁରେ ରହି ଚିକିତ୍ସିତ ହେଉଛନ୍ତି ।
୨ ମିନିଟର ଏହି ଭିଡିଓରେ ଦେଖିବାକୁ ମିଳିଛି କି ୪୦ ବର୍ଷିୟ ରାଜୀବ ତୋମର କହୁଛନ୍ତି କି, ଜିଏସଟି କାରଣରୁ ତାଙ୍କ ଜୋତା ବ୍ୟବସାୟ ବରବାଦ ହୋଇଗଲା । ଏହା କହିବା ପରେ ସେ ଏକ ପାଉଛ ଖୋଲି ତା ଭିତରେ ଥିବା ପାଉଡରକୁ ପାଟିରେ ପକାଉଛନ୍ତି । ଏହି ସମୟରେ ପାଖରେ ଥିବା ତାଙ୍କ ସ୍ତ୍ରୀ ତାଙ୍କୁ ଅଟକାଇବାକୁ ଚେଷ୍ଟା କରି ବିଫଳ ହେଉଛନ୍ତି । ଏହାପରେ ତାଙ୍କ ସ୍ତ୍ରୀ ପୁନମ ବି ସେହି ପାଉଚଟିକୁ ପାଟିରେ ଢାଳି ଦେଉଛନ୍ତି ।
ଏହି କ୍ରମରେ ରାଜୀବ ତୋମର କାନ୍ଦି କାନ୍ଦି କହୁଛନ୍ତି କି “ମୋତେ ଲାଗୁଛି ମୋର କହିବାର ଅଧିକାର ରହିଛି, ମୁଁ ଅନେକ ଟଙ୍କା ଋଣ କରିସାରିଛି, ମୁଁ ଏହି ଋଣକୁ ସୁଝିବାକୁ ଚାହୁଁଛି, ମୁଁ ମରିଗଲେ ବି ମୋର ଋଣ ସୁଝିବାକୁ ମୁଁ ପ୍ରତିଶ୍ରୁତି ଦେଉଛି । ଲୋକମାନଙ୍କୁ ଅନୁରୋଧ କରୁଛି କି ଅଧିକରୁ ଅଧିକ ଏହି ଭିଡିଓକୁ ସେୟାର କରନ୍ତୁ । ମୁଁ ଦେଶଦ୍ରୋହୀ ନୁହେଁ, ମୋତେ ମୋ ଦେଶ ଉପରେ ଭରଶା ରହିଛି । ମାତ୍ର ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କହିବାକୁ ଚାହୁଁଛି କି ସେ ଛୋଟ ବ୍ୟବସାୟୀ ଓ କୃଷକଙ୍କ ହିତରେ କାମ କରନ୍ତୁ ଓ ନିଜର ନୀତି ଗୁଡିକୁ ବଦଳାଇବାକୁ ଚେଷ୍ଟା କରନ୍ତୁ ”
Follow Us