ମାଟିରେ ମିଶିଲା କରୋନା ମାତାଙ୍କ ମନ୍ଦିର । ମନ୍ଦିର ଉପରେ ବୋଲଡୋଜର ଚଳାଇଲା ଜିଲ୍ଲା ପ୍ରଶାସନ

2,017

ଅନ୍ଧ ବିଶ୍ୱାସର ଅନ୍ଧଗଳିରେ ଏବେ ବି ଝୁଣ୍ଟୁଛି ମାନବ ସଭ୍ୟତା । ଲୋକେ ଚନ୍ଦ୍ରରେ ଜାଗା କିଣି ବସତି ସ୍ଥାପନ କରିବାକୁ ଚେଷ୍ଟା ଚଳାଉଥିବା ବେଳେ ସେହି ମଣିଷ କରୋନା ଭଳି ଭୂତାଣୁକୁ ଏକ ଦୈବଶକ୍ତି ବୋଲି ମନେ କରି ତା ନାମରେ ମନ୍ଦିର କରି ପୂଜା କରିବା ବିଶ୍ୱର ବିଜ୍ଞାନକୁ ଅପମାନିତ କରିବା ଭଳି କଥା ।

କନକ ବ୍ୟୁରୋ :ଉତ୍ତରପ୍ରଦେଶ ପ୍ରତାପଗଡର ସଂଗୀପୁର ଥାନା ଅଞ୍ଚଳ ଜୁହୀ ଶୁଫଲପୁର ଗାଁର  ନିର୍ମାଣ ହୋଇଥିବା କରୋନା ମନ୍ଦିର ଉପରେ ବୋଲଡୋଜର ଚଳାଇ ତାକୁ ମାଟିରେ ମଶାଇ ଦେଇଛି ପ୍ରଶାସନ । ଗାଁର ଲୋକମାନେ କରୋନା ସଂକ୍ରମଣରୁ ରକ୍ଷା ପାଇବାକୁ କରୋନାକୁ ଏକ ଦେବୀଭାବେ ସଜାଇ ଏକ ମନ୍ଦିର ପ୍ରତିଷ୍ଠା କରି ସେଠାରେ ପୂଜାର୍ଚ୍ଚନା କରୁଥିଲେ । ଏନେଇ ପ୍ରଶାସନ ପାଖରେ ଖବର ପହଂଚିବା ପରେ ପ୍ରଶାସନ ତତ୍ପର ହୋଇ ଉଠିଥିଲା । ମାମଲା ଅନ୍ଧବିଶ୍ୱାସ ସହ ଜଡିତ ଥିବାରୁ ଏହାକୁ ଭାଙ୍ଗିବାକୁ ପ୍ରଶାସନ ନିଷ୍ପତ୍ତି ନେଇଥିଲା । ସିଙ୍ଗୀପୁର ପୋଲିସ ଶୁକ୍ରବାର ରାତିରେ ଜେସିବି ନେଇ ମନ୍ଦିର ନିକଟରେ ପହଂଚିଥିଲା । କରୋନା ମାତାଙ୍କ ମୂର୍ତ୍ତି ଓ ମନ୍ଦିରକୁ ଜେସିବି ସହାୟତାରେ ଭାଙ୍ଗି ମାଟିରେ ମିଶାଇ ଦେଇଥିଲା । ଏହାସହ ମୂର୍ତ୍ତିକୁ ଗାଁରୁ ୫ କିଲୋମିଟର ଦୂରକୁ ନେଇ ଫିଙ୍ଗି ଦେଇଥିଲା । ଏହାସହ ମନ୍ଦିର ପ୍ରତିଷ୍ଠା କରିଥିବା ଲୋକ ଜଣଙ୍କ ଫେରାର୍ ହୋଇଯାଇଥିବା ବେଳେ ତାଙ୍କର ଆଉଜଣେ ଭାଇକୁ ଥାନାକୁ ଆଣି ପୋଲିସ ପଚରା ଉଚରା କରୁଛି । ହେଲେ ମନ୍ଦିର ଭାଙ୍ଗିବା ପରେ ଗାଁ ଲୋକ ଅସନ୍ତୁଷ୍ଟ ଥିବା ଦେଖିବାକୁ ମିଳିଛି ।

ସୂଚନା ମୁତାବକ ଜୁହୀସୁଫଲପୁର ଗାଁରେ କିଛିଦିନ ତଳେ କରୋନା ସଂକ୍ରମଣରେ ୩ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ଗ୍ରାମବାସୀଙ୍କ ମନରେ ଭୟ ଖେଳିଗଲା । ଏହା କରୋନା ମାତାଙ୍କ ପ୍ରକୋପରୁ ଘଟୁଛି ବୋଲି ପ୍ରଚାର କରି ଗାଁର ଲୋକେଶ ଶ୍ରୀବାସ୍ତବ ଜୁନ ୭ ତାରିଖରେ କରୋନା ମାତା ମନ୍ଦିର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ । ଏନେଇ ବଜାରରୁ ମୂର୍ତ୍ତି  କିଣି ଗାଁ ମୁଣ୍ଡରେ ଥିବା ଏକ ନିମ୍ବଗଛ ନିକଟରେ ଏହାକୁ ସ୍ଥାପନା କରିଥିଲେ ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ଲୋକମାନଙ୍କ ମନରେ ଏତେ ଅନ୍ଧ ବିଶ୍ୱାସ ଭରି ରହିଛି ଯେ ମନ୍ଦିର ପ୍ରତିଷ୍ଠା ହେବା ପରେ ପାଖ ଆଖ ଗାଁରୁ ଦୈନିକ ଶହ ଶହ ଲୋକ ଆସି ସେଠାରେ ପୂଜାର୍ଚ୍ଚର୍ନା କରିବାକୁ ଲାଗିଲେ । ଏହି ଖବର ଜିଲ୍ଲା ପ୍ରଶାସନ ପାଖରେ ପହଂଚିବା ପରେ ପୋଲିସ ସେଠାରେ ପହଂଚି ମନ୍ଦିରକୁ ଭାଙ୍ଗି ମାଟିରେ ମିଶାଇ ଦେଇଛି ।