ଗୋଆରେ ବିଜେପିକୁ ଝଟକା, ସ୍ୱାଧୀନ ପ୍ରାର୍ଥୀ ହେବେ ମନୋହର ପାରିକରଙ୍କ ପୁଅ

149

କନକ ବ୍ୟୁରୋ : ଗୋଆ ବିଜେପିର ଦଳୀୟ କନ୍ଦଳ ଏବେ ପଦାରେ ପଡିଛି । ଦଳୀୟ ଟିକେଟ ନମିଳିବାରୁ ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପୁଅ ଉତ୍ପଳ ପାରିକର ପାନାଜୀ ଆସନରୁ ସ୍ୱାଧୀନ ପ୍ରାର୍ଥୀଭାବେ ନିର୍ବାଚନ ଲଢିବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏନେଇ ସେ କହିଥିଲେ କି ସେ କୌଣସି ପଦ ପଦବୀ କିମ୍ବା କ୍ଷମତା ପାଇଁ ନିର୍ବାଚନ ଲଢୁ ନାହାଁନ୍ତି ବାପାଙ୍କର ଯେଉଁ ସ୍ୱପ୍ନ ଥିଲା ତାହାକୁ ପୂରଣ କରିବାକୁ ସେ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଗଣମାଧ୍ୟମକୁ କହିଛନ୍ତି ।

କହିରଖୁ କି ଉତ୍ପଳଙ୍କୁ ବିଜେପି ଟିକେଟ ଦେଇ ନଥିଲା । ଏହି ଖବର ପ୍ରଚାରିତ ହେବା ପରେ ଆମ୍ ଆଦମୀ ପାର୍ଟି ଓ ଶିବସେନା ସେମାନଙ୍କ ଦଳୀୟ ଟିକେଟରୁ ନିର୍ବାଚନ ଲଢିବାକୁ ଉତ୍ପଳଙ୍କୁ ନିମନ୍ତ୍ରଣ କରିଥିଲେ । ଉତ୍ପଳ ପାରିକର ପାନାଜୀ ବିଧାନସଭା ପାଇଁ ବିଜେପି ଟିକେଟରୁ ଲଢିବାକୁ ପ୍ରୟାସ କରିଥିଲେ । ହେଲେ ରାଜ୍ୟ କ୍ଷମତାରେ ଥିବା ବିଜେପି ଏନେଇ କୌଣସି ପ୍ରତିକ୍ରିୟା ନଦେଇ ସିଧା ଉତ୍ପଳଙ୍କୁ ଦଳୀୟ ଟିକେଟରୁ ବଞ୍ଚିତ କରିଥିଲେ । ପାନାଜୀ ଆସନରୁ ଉତ୍ପଳଙ୍କ ପିତା ତଥା ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଅନେକ ବାର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

 

ସୂଚନା ଥାଉକି ଫେବୃଆରୀ ୧୪ ତାରିଖରେ ଗୋଆରେ ଭୋଟ ଗ୍ରହଣ ହେବ । ଏହି ନିର୍ବାଚନରେ ଚିରାଚରିତ ବିଜେପି ଓ କଂଗ୍ରେସ ବ୍ୟତୀତ ଏଥର ଆମ୍ ଆଦମୀ ପାର୍ଟି ଓ ତୃଣମୂଳ କଂଗ୍ରେସ ବି ପ୍ରାର୍ଥୀ ଦେଉଛନ୍ତି । ପାନାଜୀ ବିଧାନସଭା କିଛି ଦଶନ୍ଧି ଧରି ବିଜେପି ଦଖଲରେ ରହିଛି । ମନୋହର ପାରିକରଙ୍କ ପରେ ଅତାନାସିଓ ମୋନସେରାତେ ଏବେ ସେଠାରେ ବିଜେପିରୁ ବିଧାୟକ ରହିଛନ୍ତି । କିଛିଦିନ ତଳେ ଗୋଆ ବିଜେପି ପ୍ରଭାରୀ ଦେବେନ୍ଦ୍ର ଫଡନାର୍ଭିସ ଉତ୍ପଳଙ୍କୁ ଟାର୍ଗେଟ କରି କହିଥିଲେ କି କୌଣସି ବ୍ୟକ୍ତି କେବଳ ମୁଖ୍ୟମନ୍ତ୍ରୀଙ୍କ ପୁଅ ହିସାବରେ ଟିକେଟ ପାଇବାକୁ ଯୋଗ୍ୟ ନୁହେଁ ।