ଆଜି ଉତ୍କଳ ଦିବସ : ତେୟାଅଶୀ ବର୍ଷରେ ଓଡିଶା, ରାଜ୍ୟରେ ଉତ୍ସବର ମାହୋଲ

Advertisment
ଆଜି ଉତ୍କଳ ଦିବସ : ତେୟାଅଶୀ ବର୍ଷରେ ଓଡିଶା, ରାଜ୍ୟରେ ଉତ୍ସବର ମାହୋଲ

କନକ ବ୍ୟୁରୋ: ଆଜି ହେଉଛି ଉତ୍କଳ ଦିବସ । ୧୯୩୬ ମସିହା ଆଜିରେ ଦିନରେ ଓଡିଶା ହୋଇଥିଲା ସ୍ୱତନ୍ତ୍ର ପ୍ରଦେଶ । ଏବେ ଓଡିଆକୁ ୮୨ ବର୍ଷ ପୂର୍ତି ହୋଇ ତେୟାଅଶୀ ଚାଲିଛି । ବୟସ ଦୃଷ୍ଟିରୁ ଯଦିଓ ଓଡିଶା ବରିଷ୍ଠ, କିନ୍ତୁ ଏବେ ବି ତାର ଯୌବନ ଜାଜୁଲ୍ୟମାନ । ଏହି ଅବସରରେ ସଜେଇ ହୋଇଛି ରାଜଧାନୀ । ଉତ୍କଳ ଦିବସ ପାଇଁ ରାଜ୍ୟର ବିଭିନ୍ନ କାର୍ଯ୍ୟାଳୟ ରଙ୍ଗବେରଙ୍ଗ ଆଲୋକ ମାଳାରେ ସଜାଯାଇଛି । ୧୯୩୬ ଏପ୍ରିଲ ୧ ତାରିଖରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ମିଳିଥିଲା । ଏହି ଅବସରରେ ସାରା ରାଜ୍ୟରେ ଉତ୍ସବର ମାହୋଲ ରହିଛି । ଉତ୍କଳ ଦିବସ ପାଇଁ ରାଜ୍ୟ ସଚିବାଳୟ, ବିଧାନସଭା, ରିଜର୍ଭ ବ୍ୟାଙ୍କ, ଷ୍ଟେଟ୍ବ୍ୟାଙ୍କ, ରବିନ୍ଦ୍ର ମଣ୍ଡପ, ସଙ୍ଗୀତ ମହାବିଦ୍ୟାଳୟ ଆଦି ବହୁ ଅନୁଷ୍ଠାନକୁ ରଙ୍ଗବେରଙ୍ଗ ଆଲୋକ ମାଳାରେ ସଜ୍ଜିତ କରାଯାଇଥିଲା । ହେଲେ ଏସବୁମଧ୍ୟରେ କିଛି ଏଭଳି କଥା ରହିଯାଇଛି, ଯାହା କେବଳ କଥାରେ ହିଁ ରହିଯାଇଛି ।

publive-image

ଉତ୍କଳ ଦିବସରେ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ କରି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି, ଓଡିଶା ସଂସ୍କୃତିର ମହନୀୟତା ପାଇଁ ସାରା ଦେଶ ଗର୍ବିତ । ପ୍ରଗତିର ରାସ୍ତାରେ ଅଲିଭା ଛାପ ଛାଡିଛନ୍ତି ଓଡିଶା । ଜଗନ୍ନାଥଙ୍କ ଆଶୀର୍ବାଦରେ ଓଡିଶା ବାସୀ ପ୍ରଗତିର ଶୀର୍ଷରେ ପହଂଚନ୍ତୁ । ଉତ୍କଳ  ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ଟ୍ୱିଟକରି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି, ସ୍ୱତନ୍ତ୍ର ପ୍ରଦେଶ ଗଠନର ମନିଷୀମାନଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି । ଓଡିଆ ଭାଷା, ସଂସ୍କୃତି ଓ ଐତିହ୍ୟକୁ ବିଶ୍ୱବ୍ୟାପୀ କରିବା ସହ ଓଡିଶାକୁ ଦେଶର ଶ୍ରେଷ୍ଠ ରାଜ୍ୟରେ ପରିଣତ କରିବା ସଂକଳ୍ପ ନେବା ।

ଓଡ଼ିଆରେ ହୋର୍ଡିଂ ଓ ନାମଫଳକ ଲାଗିପାରିଲାନି

ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଆଇନ-୧୯୫୬ ଅନୁଯାୟୀ ରାଜ୍ୟର ସମସ୍ତ ଦୋକାନ, ବାଣିଜ୍ୟିକ ପ୍ରତିଷ୍ଠାନରେ ଓଡ଼ିଆରେ ହୋର୍ଡିଂ ଓ ନାମଫଳକ ଲାଗିବ। ହେଲେ ଏହାକୁ କଡ଼ାକଡ଼ି ଲାଗୁ କରାଯାଉନି। ଏପ୍ରିଲ ୧ରୁ ସମସ୍ତ ସରକାରୀ କାର୍ଯ୍ୟ ଓଡ଼ିଆରେ କରିବାକୁ ସରକାର ଘୋଷଣା କରିଥିବାରୁ ଏହି ଦିନରୁ ସମସ୍ତ ଦୋକାନ,ବାଣିଜ୍ୟିକ ପ୍ରତିଷ୍ଠାନର ନାମଫଳକ ଓଡ଼ିଆରେ ଲେଖିବା ବାଧ୍ୟତାମୂଳକ ହେବ ବୋଲି ଆଶା କରାଯାଉଥିଲା। ଏପରିକି କ୍ୟାବିନେଟରେ ଆଇନରେ ସଂଶୋଧନ ଆଣିବା ସହ ଦଣ୍ଡବିଧାନ ବଢ଼ା ଯାଇଥିଲା। କିନ୍ତୁ ସଂଶୋଧିତ ଆଇନକୁ ବିଧାନସଭାରେ ପାରିତ କରିବା ପାଇଁ ରାଜ୍ୟ ସରକାର କହିଥିବାରୁ ଏବଂ ଏପର୍ଯ୍ୟନ୍ତ ବିଧାନସଭାରେ ଆଗତ ହୋଇନଥିବାରୁ ଏହାକୁ ଆଳ କରି ଦୋକାନ/ବାଣିଜ୍ୟିକ ପ୍ରତିଷ୍ଠାନରେ ଓଡ଼ିଆରେ ନାମଫଳକ ଲାଗିପାରିଲାନି। ଏହା କିପରି ଲାଗିବ ସେନେଇ ବି ସରକାରୀ ଅଧିକାରୀମାନେ ପଦକ୍ଷେପ ନେଉନାହାନ୍ତି ।

ରାଜ୍ୟର ସମସ୍ତ ଦୋକାନ/ବାଣିଜ୍ୟିକ ପ୍ରତିଷ୍ଠାନ ଯେପରି ଓଡ଼ିଆରେ ସେମାନଙ୍କ ନାମ ଫଳକ ଲଗାଇବେ ତାହା ନିଶ୍ଚିତ କରିବାକୁ ଶ୍ରମ କମିସନରଙ୍କୁ ଦାୟିତ୍ୱ ଦିଆଯାଇଛି। ଆସନ୍ତାକାଲି ଓଡ଼ିଶା ଦିବସ ପାଳନ ହେବାକୁ ଥିବାବେଳେ ସବୁଠି ଓଡ଼ିଆ ଲେଖା ପ୍ରଚଳନ କରିବା ନେଇ କିନ୍ତୁ ଶ୍ରମ କମିସନରଙ୍କ କାର୍ୟ୍ୟାଳୟ ଏନେଇ ତତ୍ପରତା ଦେଖାଉନି। ଏପରିକି କେବେ ସୁଦ୍ଧା ସବୁଠି ଓଡ଼ିଆରେ ନାମଫଳକ ଲେଖା ହେବ ସେନେଇ ବି ଅଧିକାରୀଙ୍କ ପାଖରେ ଉତ୍ତର ନାହିଁ ।

publive-image

ଆଇଟି ଅଧୀନକୁ ଗଲା ଓଡ଼ିଆ ଭର୍ଚୁଆଲ୍ ଏକାଡେମି

ଓଡ଼ିଶାର ଐତିହାସିକ ଦସ୍ତାବିଜଠୁ ନେଇ ଆଦିବାସୀ ପରମ୍ପରା ପର୍ଯ୍ୟନ୍ତ। ଓଡ଼ିଶା ସମ୍ବନ୍ଧୀୟ ବହୁ ଗୁରୁତ୍ୱପୂର୍ଣ୍ଣ କଥା, କାହାଣୀ, ସାଂସ୍କୃତିକ ବିବିଧତାର ତଥ୍ୟଭିତ୍ତିକ ପ୍ରମାଣ ମାତ୍ର ଗୋଟେ କ୍ଲିକରେ ଉପଲବ୍ଧ ହେବ। ସମଗ୍ର ଓଡ଼ିଶାର ପରିଚୟ ଓ ଓଡ଼ିଶା ସମ୍ବନ୍ଧିତ ଯାବତୀୟ ତଥ୍ୟ ପଢ଼ିବା, ଜାଣିବା ଓ ଗବେଷଣାରେ ସହାୟକ ହେବ ‘ଓଡ଼ିଆ ଭର୍ଚୁଆଲ୍ ଏକାଡେମି’। ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଏ ନେଇ ମୂଳଦୁଆ ପଡ଼ିଥିବା ବେଳେ ଏହା ବୈଷୟିକ ସମ୍ବନ୍ଧୀୟ କାର୍ଯ୍ୟ ହୋଇଥିବାରୁ ସୂଚନା ଓ ପ୍ରଯୁକ୍ତି (ଆଇଟି) ବିଭାଗକୁ ଏହି ଏକାଡେମିର କାର୍ଯ୍ୟକାରିତା ଭାର ଅର୍ପଣ କରାଯାଇଛି ।

କିଛିଦିନ ପୂର୍ବେ ଆଇଟି ବିଭାଗ ଓଡ଼ିଆ ଭର୍ଚୁଆଲ୍ ଏକାଡେମିର ଦାୟିତ୍ୱ ନେବା ପରେ ଏକ ପ୍ରକଳ୍ପ ପରିଚାଳନା ୟୁନିଟ୍ (ପିଏମୟୁ) ଗଠନ କରାଯାଇଛି। ଏହି ୟୁନିଟ୍ ଜରିଆରେ ଓଡ଼ିଶା ସମ୍ପର୍କିତ ବହୁ ବିରଳ ପୁସ୍ତକ, ପୁରୁଣା ସମ୍ବାଦପତ୍ର, ପତ୍ରିକା, ତାଳପତ୍ର ପୋଥି, ପ୍ରାମାଣିକ ନଥି ଆଦିକୁ ସ୍କାନ୍ କରି ପୋର୍ଟାଲରେ ସଂପୃକ୍ତ କରାଯାଉଛି। ଆଜିର ଇଣ୍ଟରନେଟ୍ ଯୁଗରେ ଏହି ତଥ୍ୟଗୁଡ଼ିକୁ ସାଇତିବା ଦ୍ୱାରା କେବଳ ଏହା ଯୁଗ ଯୁଗ ପାଇଁ ଯେ ସଂରକ୍ଷିତ ରହିବ ତାହା ନୁହେଁ, ବରଂ ବିଶ୍ୱର ଯେକୌଣସି ବ୍ୟକ୍ତି ଯେଉଁଠି ଥାଇ ଓଡ଼ିଶାର ଇତିବୃତ୍ତ (କ୍ଲାସିକ୍) ଏବଂ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଜାଣିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe