ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ଲାଟିନମ ଜୁବୁଲି । ଆସନ୍ତା ୨୩ରୁ ୨୭ ଯାଏ ହେବ ଅନୁଷ୍ଠିତ, ଖର୍ଚ୍ଚ ହେବ ପ୍ରାୟ ଏକ କୋଟି ।

ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ଲାଟିନମ ଜୁବୁଲିର ଉଦଯାପନୀ ଉତ୍ସବ ୫ଦିନ ଧରି ପାଳନ କରାଯିବ।

251

କନକ ବ୍ୟୁରୋ: ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ଲାଟିନମ ଜୁବୁଲିର ଉଦଯାପନୀ ଉତ୍ସବ ୫ଦିନ ଧରି ପାଳନ କରାଯିବ। ଆସନ୍ତା ୨୩ରୁ ୨୭ତାରିଖ ଯାଏ ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବ ପାଇଁ ପ୍ରାୟ କୋଟିଏ ଟଙ୍କାର ବଜେଟ କରାଯାଇଛି। ଯେଉଁଥିରେ ୫ଦିନ ଧରି ସଭା ସମିତି, ବନ୍ଧୁମିଳନ, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ଆୟୋଜନ କରାଯିବ। ଏଥିପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି।
ଉତ୍ସବ ପ୍ରସ୍ତୁତି ନେଇ ଆଜି ବିଶ୍ୱବିଦ୍ୟାଳୟ ପିଜି କାଉନସିଲ ହଲରେ ଶିକ୍ଷକମାନଙ୍କ ଏକ ବୈଠକ ବସିଥିଲା। ନିଆ ଯାଇଥିବା ନିଷ୍ପତ୍ତି ଅନୁଯାୟୀ ୨୩ ତାରିଖରେ ଉତ୍ସବ ଉଦଘାଟନ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଉକ୍ତ ଦିନ ରୁଷା କୋଠା ଓ ପାଚେରୀର ପୁନରୁଦ୍ଧାର ପାଇଁ ଭିତ୍ତିପ୍ରସ୍ତର ପଡ଼ିବ। ୨୪ ତାରିଖରେ ପୁରାତନ ଛାତ୍ରଛାତ୍ରୀଙ୍କ ସମ୍ମିଳନୀ ତଥା ଆଲୁମିନି ମିଟ୍ ଅନୁଷ୍ଠିତ ହେବ। ଏଥିରେ ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ୨୫ ତାରିଖରେ ଅଭିଭାବକ, ଅବସରପ୍ରାପ୍ତ ପ୍ରଫେସର ଓ କର୍ମଚାରୀଙ୍କ ସମ୍ମିଳନୀ ହେବ। ୨୬ ତାରିଖରେ ଛାତ୍ରଛାତ୍ରୀଙ୍କ ସମ୍ମିଳନୀ ହେବ। ୨୭ରେ ପ୍ଲାଟିନମ ଜୁବୁଲିର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟ କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ଉତ୍ସବ କ୍ୟାମ୍ପସରେ ଥିବା ବିଜୁ ପଟ୍ଟନାୟକ ଷ୍ଟାଡିୟମରେ କରାଯିବାକୁ ସ୍ଥିର ହୋଇଛି। ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ। ଏଥିପାଇଁ ୧୩ତାରିଖଠାରୁ ପ୍ରସ୍ତୁତି ଆରମ୍ଭ ହେବ ବୋଲି ନିଷ୍ପତ୍ତି ନିଆଯାଇଛି।