ଉତ୍କଳ ବିଶ୍ୱବିଦ୍ୟାଳୟ ସାମ୍ବାଦିକତା ବିଭାଗର ବନ୍ଧୁମିଳନ । ଏକାଠି ହେଲେ ବିଭାଗର ବହୁ ପୁରାତନ ଛାତ୍ରଛାତ୍ରୀ । ବାଣ୍ଟିଲେ କଲେଜ ଦିନର ଅନୁଭୂତି…

289

କନକ ବ୍ୟୁରୋ: ଉତ୍କଳ ବିଶ୍ୱବିଦ୍ୟାଳୟ ‘ସାମ୍ବାଦିକତା ଓ ଗଣ ଯୋଗାଯୋଗ’ ବିଭାଗର ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ । ରବିବାର ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ସାମ୍ବାଦିକତା ବିଭାଗର ପୁରାତନ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ବିଭାଗର ବହୁ ପୁରାତନ ଛାତ୍ରଛାତ୍ରୀମାନେ ଯୋଗ ଦେଇ ଏ ବନ୍ଧୁମିଳନ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

‘ଜର୍ଣ୍ଣାଲିଜିମ୍ ଆଲୁମିନି ଆସୋସିଏସନ୍’ ପକ୍ଷରୁ ‘ଆମ ପରିବାର’ ନାମରେ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜିତ ହେଇଥିଲା । କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ପୁରାତନ ଛାତ୍ରଛାତ୍ରୀମାନେ ପ୍ରଥମେ ନିଜ ପୁରୁଣା କଲେଜ ଦିନର ଅନୁଭୂତି ଅନ୍ୟ ସାଥୀମାନଙ୍କ ଆଗରେ ବାଣ୍ଟିଥିଲେ । ଏହାପରେ ପୁରାତନ ଛାତ୍ରଛାତ୍ରୀମାନେ ସାମ୍ବାଦିକତା ବିଭାଗର ବର୍ତ୍ତମାନ କିପରି ବିକାଶ କରାଯିବ ସେନେଇ ଆଲୋଚନା କରିଥିଲେ । ଖାଲି ସେତିକି ନୁହେଁ, ଏହାସହ ନୂଆକରି ସାମ୍ବାଦିକତା ବିଭାଗକୁ ଆସିଥିବା ଛାତ୍ରଛାତ୍ରୀମାନେ ଥିଓରୀ ସହ ଅଧିକରୁ ଅଧିକ କିପରି ପ୍ରାକ୍ଟିକାଲ ଶିକ୍ଷା ପାଇପାରିବେ, ସେନେଇ ବ୍ୟବସ୍ଥା କରିବାକୁ ବିଭାଗୀୟ କର୍ତ୍ତୁପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ପୁରାତନ ଛାତ୍ରଛାତ୍ରୀ ।

ସାମ୍ବାଦିକତା ବିଭାଗର ପୂର୍ବତନ ବିଭାଗୀୟ ମୁଖ୍ୟ ସ୍ୱର୍ଣ୍ଣମୟୀ ତ୍ରିପାଠୀ ବନ୍ଧୁମିଳନ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଥିଲେ ଯେ, ଏହିଭଳି ବନ୍ଧୁମିଳନ କାର୍ଯ୍ୟକ୍ରମ ପ୍ରତିବର୍ଷ ଆୟୋଜିତ ହେଉ । ଏହାଦ୍ୱାରା ବିଭାଗ ଓ ପୁରାତନ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କ ଗଢି ଉଠିବ । ଏପରି ବନ୍ଧୁମିଳନ କାର୍ଯ୍ୟକ୍ରମ ନୂତନ ଛାତ୍ରଛାତ୍ରୀଙ୍କ ଉପରେ ମଧ୍ୟ ପ୍ରଭାବ ପକାଇଥାଏ ବୋଲି ସେ କହିଥିଲେ । ପରିଶେଷରେ ବିଭାଗର ପୁରାତନ ଛାତ୍ରଛାତ୍ରୀମାନେ ସାମ୍ବାଦିକତା ଜଗତରେ ଉକ୍ରଳ ବିଶ୍ୱବିଦ୍ୟାଳୟ ଏବଂ ସାମ୍ବାଦିକତା ବିଭାଗର ଗୁରୁତ୍ୱ କେତେ ସେ ନେଇ ଆଲୋଚନା କରିଥିଲେ ।