କରୋନା ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲ୍ ବନ୍ଦ: ୨୪ ଘଣ୍ଟା ଭିତରେ ହଷ୍ଟେଲ୍ ଖାଲି ନିର୍ଦ୍ଦେଶ; ଯେଉଁ ବିଭାଗର ମିଡ୍ ସେମିଷ୍ଟାର୍ ରହିଛି ମାର୍ଚ୍ଚ ୩୧ରେ ନିଆଯିବ ନିଷ୍ପତ୍ତି

409

କନକ ବ୍ୟୁରୋ: କରୋନା ସତର୍କତା ପାଇଁ ଆଜି ଠାରୁ ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲ ବନ୍ଦ ରଖିବାକୁ ଦିଆଯାଇଛି ନିର୍ଦ୍ଦେଶ । ୨୪ ଘଂଟା ମଧ୍ୟରେ ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପିଜି କାଉନସିଲ୍ ଅଧ୍ୟକ୍ଷା । କରୋନା ଭୂତାଣୁ ସଂକ୍ରମଣକୁ ନଜରରେ ରଖି ଉତ୍କଳ ବିଶ୍ୱବିଦ୍ୟାଳୟର ହଷ୍ଟେଲ ଓ ମେସ୍ ଗୁଡିକୁ ବନ୍ଦ କରିବା ନେଇ ରେସିଡେଂଟସ କମିଟି ବୈଠକରେ ନିଷ୍ପତି ପରେ ଏପରି ଘୋଷଣା ହୋଇଛି । ଆଗରୁ ୧୪ ତାରିଖରୁ ଯେଉଁ ଛାତ୍ରଛାତ୍ରୀ ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲ ଛାଡିବାକୁ ଚାହୁଁଛନ୍ତି ନୋଟିସ୍ ଜାରି କରାଯାଇଥିଲା । ଯେଉଁ ବିଭାଗ ଗୁଡିକର ମିଡ୍ ସେମିଷ୍ଟର ପରୀକ୍ଷା ରହିଛି ସେଗୁଡିକୁ ନେଇ ମାର୍ଚ ୩୧ ତାରିଖ ପରେ ନିଷ୍ପତି ନିଆଯିବ ବୋଲି କୁହାଯାଇଛି ।

ଅନ୍ୟପଟେ, ଆଜି ଠାରୁ କଟକ-ଭୁବନେଶ୍ୱର ଟ୍ୱିନସିଟିରେ ବନ୍ଦ ରହିବ ସମସ୍ତ ସପିଂ ମଲ । ଓଡିଶା ସହରାଂଚଳ ପୋଲିସ ଆଇନର ଧାରା ୩୫ ଅନୁସାରେ ଆଗାମୀ ମାର୍ଚ୍ଚ ୩୧ ତାରିଖ ଯାଏଁ ସମସ୍ତ ମଲ ବନ୍ଦ ରହିବ ବୋଲି ଟ୍ୱିଟ କରି ସୂଚନା ଦେଇଛି କମିଶନରେଟ ପୋଲିସ । ଏଥିପାଇଁ ପୋଲିସ କମିଶନର ଡକ୍ଟର ସୁଧାଂଶୁ ଷଡଙ୍ଗୀ ନିର୍ଦ୍ଦେଶ ଦେଇଥିବା ଟ୍ୱିଟରରେ କୁହାଯାଇଛି । ଏପରିକି କମିଶନରେଟ ପୋଲିସ ଅଂଚଳରେ ଯେଭଳି କୌଣସିି ମଲ ଖୋଲାନରୁହେ ସେଥିପାଇଁ ପଦକ୍ଷେପ ନେବାକୁ ଉଭୟ କଟକ ଓ ଭୁବନେଶ୍ୱର ଡିସିପିଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

କରୋନା ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଅନେକ ମୁକାବିଲା ମୂଳକ ପଦକ୍ଷେପ ନେଇଛନ୍ତି । ମାର୍ଚ୍ଚ ୩୧ ଯାଏଁ ସିନେମା ହଲ, ସୁଇମିଂ ପୁଲ ଓ ଜିମ୍ ବନ୍ଦ ରଖିବାକୁ କୁହାଯାଇଥିଲା । ଏବେ କଟକ-ଭୁବନେଶ୍ୱର ଦୈତନଗରୀରେ ସପିଂ ମଲ ବନ୍ଦ କରିବାକୁ ନିଷ୍ପତି କରି କମିଶନରେଟ ପୋଲିସ ଏଥିରେ ଆଉ ଗୋଟିଏ ପଦକ୍ଷେପ ଯୋଡିଛି । ମାର୍ଚ୍ଚ ୩୧ ତାରିଖ ଯାଏଁ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା ହୋଇଛିି । ସେମିନାର, ୱାର୍କସପ୍, କନଫରେନ୍ସ ଉପରେ କଟକଣା ଲଗାଯାଇଛି । ଧର୍ମୀୟ ଉତ୍ସବ ଓ ବିବାହ ଭୋଜି ଭଳି ସାମାଜିକ କାର୍ଯ୍ୟକ୍ରମ ଗୁଡିକୁ ନିୟନ୍ତ୍ରିତ କରାଯାଉଛି ।