ବର୍ଷା ବିତ୍ପାତ: ଲଗାଣ ବର୍ଷା ଓ ପରିବହନ ଧର୍ମଘଟ ଯୋଗୁଁ ଉତ୍କଳ ବିଶ୍ୱବିଦ୍ୟାଳୟର ସମସ୍ତ ପରୀକ୍ଷା ବାତିଲ । କଟକ ଓ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ

32

କନକ ବ୍ୟୁରୋ: ଲଗାଣ ବର୍ଷା ଓ ପରିବହନ ଧର୍ମଘଟ ଯୋଗୁଁ ଉକ୍ରଳ ବିଶ୍ୱବିଦ୍ୟାଳୟ ଅଧିନରେ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ବାତିଲା କରାଯାଇଛି । ପରୀକ୍ଷା ନିୟନ୍ତ୍ରକ ଏନେଇ ଘୋଷଣା କରିଛନ୍ତି । ପରୀକ୍ଷା ପାଇଁ ପରବର୍ତି ତାରିଖ ଧାର୍ଯ୍ୟ କରାଯାଇନି । ଦିନ ଧାର୍ଯ୍ୟ କରାଗଲେ ଏନେଇ ସୂଚନା ଦିଆଯିବ ବୋଲି ବିଶ୍ୱବିଦ୍ୟାଳୟ କର୍ତୁପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ, ଲଗାଣ ବର୍ଷା ଯୋଗୁଁ ଉବୁଟୁବୁ ହେଉଛି କଟକ ସହର । କଟକରେ ସ୍କୁଲ ଓ କଲେଜ୍ ଛୁଟି । ଆଜି ଦିନକ ପାଇଁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ସେହିପରି ଲଗାଣ ବର୍ଷା ଓ ଧର୍ମଘଟ ଯୋଗୁଁ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି ।

ବର୍ଷାରେ ଉବୁଟୁବୁ ହେଲା ସ୍ମାର୍ଟସିଟି ଭୁବନେଶ୍ୱର । ସହରର ବିଭିନ୍ନ ପ୍ରମୁଖ ଜାଗାରେ ପାଣି ଭର୍ତି । ଗତକାଲି ଠାରୁ ଲାଗି ରହିଥିବା ଜୋରଦାର ବର୍ଷା ଯୋଗୁଁ ରାଜଧାନୀରେ ଯେପରି ବନ୍ୟା ପରିସ୍ଥିତି ସୃ୍ଷ୍ଟି ହୋଇଛି । ଜୟଦେବ ବିହାର, ନୟାପଲ୍ଲୀ, ବେହେରାସାହି, ଚିନ୍ତାମଣିଶ୍ୱର, ଆଚାର୍ଯ୍ୟ ବିହାର, ବମିଖାଲ, ଭିଏସଏସ ନଗର, ବରମୁଣ୍ଡା ଆଦି ଅଂଚଳରେ ରାସ୍ତା ଉପରେ ଆଂଠୁଏ ଉଚ୍ଚର ପାଣି ଚାଲୁଥିବା ଦେଖିବାକୁ ମିଳିଥିଲା । ରାସ୍ତାରେ ପାଣି ଚାଲୁଥିବା ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି । ଏହାସହ ରାଜଧାନୀର ତଳି ଅଂଚଳରେ ପାଣି ପଶିଯାଇଛି । ରାତି ଅଧରେ ଘରେ ପାଣି ପଶିଯିବାରୁ ଲୋକେ ହନ୍ତସନ୍ତ ହୋଇଛନ୍ତି ।

ସେପଟେ ଉତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ବି ସ୍ଥିର ରହିଛି । ଏହାର ପ୍ରଭାବରେ କଟକ, ଭୁବନେଶ୍ୱର. ପୁରୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ଉପକୂଳ ଓ ଉତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ପୁରୀରେ ସର୍ବାଧିକ ୨୩୬ ମିିଲିମିଟର, ଭୂବନେଶ୍ୱରରେ ୧୬୩ ମିଲିମିଟର ବର୍ଷା ହୋଇଛି । ଲଘୁଚାପ ପ୍ରଭାବରେ ଆହୁରି ୨୪ ଘଂଟା ପର୍ଯ୍ୟନ୍ତ ଉତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏହା ସହ କିଛି ସ୍ଥାନରେ ଝଡତୋଫାନ ନେଇ ବି ଆଶଙ୍କା ରହିଛି ।

ଆଜି ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର, ମୟୁରଭଞ୍ଜ, କଟକ, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି । ଝଡ଼ ତୋଫାନ ଯୋଗୁଁ ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ, ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବା ଲାଗି ବାରଣ କରାଯାଇଛି । ଆସନ୍ତାକାଲି ଠାରୁ ବର୍ଷା କମିପାରେ ବୋଲି ଆକଳନ କରାଯାଇଛି । ତେବେ ୧୦ ତାରିଖ ବେଳକୁ ଉତର ଓଡ଼ିଶା ଓ ପଶ୍ଚିମବଂଗ ଉପରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ସେପଟେ ଓଡ଼ିଶା ସମେତ ୫ଟି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ଉତରାଖଣ୍ଡର ସ୍ଥିତି ଅତି ସଂଗୀନ ହେବ ବୋଲି ଆଇଏମଡି ସତର୍କ କରାଇଦେଇଛି । ଓଡ଼ିଶା, ପଶ୍ଚିମବଙ୍ଗ, ଝାଡଖଣ୍ଡ, ହିମାଚଳ ପ୍ରଦେଶ ଆଦି ରାଜ୍ୟର ବିଭିନ୍ନ ସ୍ଥାନରେ ଅତି ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି । ସେହିପରି ୨୦ଟି ରାଜ୍ୟରେ ବର୍ଷା ଜାରି ରହିବ ।