ରାଜନୀତିରେ ଉତ୍କଳ ଦିବସ : ପତିଆରାର ଲଢେଇରେ ନବୀନ ବନାମ ଧର୍ମେନ୍ଦ୍ର

35

କନକ ବ୍ୟୁରୋ : ରାଜନୀତିରେ ଉତ୍କଳ ଦିବସ । ଗୋଟିଏ ପଟେ ଶାସନରେ ଥିବା ବିଜେଡି, ଆଉ ଅନ୍ୟପଟେ ଶାସନ ହାସଲ କରିବାକୁ ଲକ୍ଷ ରଖିଥିବା ବିଜେପି । ସ୍ୱତନ୍ତ୍ର ଓଡିଶା ରାଜ୍ୟ ଗଠନର ୮୧ ବର୍ଷ ପୂର୍ତ୍ତି ଅବସରରେ ରାଜନୈତିକ ପତିଆରା ପ୍ରଦର୍ଶନ । ନବୀନ ବନାମ ଧର୍ମେନ୍ଦ୍ର । ମାରାଥନ କାର୍ଯ୍ୟକ୍ରମ । ଓଡିଆଙ୍କ ଭାବନା ସହ ଜଡିତ ଏହି ଦିନକୁ କେହି ହାତଛଡା କରିବାକୁ ଚାହୁଁନାହାନ୍ତି ।

କୁହାଯାଉଛି, ପରସ୍ପରକୁ ଚେକ୍ ଦେବାକୁ ମାଧ୍ୟମ ସାଜିଛି ଉତ୍କଳ ଦିବସ । କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ଏକାଧିକ କାର୍ଯ୍ୟକ୍ରମକୁ ନେଇ ବିଜେପି ଉତ୍ସାହିତ ଥିବା ବେଳେ ପ୍ରଥମ ଥର ପାଇଁ ସାରା ରାଜ୍ୟରେ ମନ୍ତ୍ରୀ, ବିଧାୟକ ଓ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କୁ ନେଇ ବିଜେଡି ପାଳୁଛି ଉତ୍କଳ ଦିବସ ।

ଖାଲି କାର୍ଯ୍ୟକ୍ରମ ଭିତରେ ବିଜେପି ନିଜକୁ ସୀମିତ ରଖିନାହିଁ । ବରଂ ବିଏସ-ଫୋର୍ ଇନ୍ଧନର ରାଷ୍ଟ୍ରୀୟ ଉଦଘାଟନ ପାଇଁ ଓଡିଶାକୁ ବଛାଯାଇଛି । ୫ କୃଷି ବିଜ୍ଞାନ କେନ୍ଦ୍ରର ଭିତିପ୍ରସ୍ତର ସ୍ଥାପନ କରିବେ ରାଧାମୋହନ ସିଂ । କେନ୍ଦ୍ରର ଫୋକସରେ ଯେ ଓଡିଶା ରହିଛି, ଦିଲ୍ଲୀରୁ ଏହି ମେସେଜ ଦେବାକୁ ଚାହୁଁଛନ୍ତି ମୋଦି । ସେପଟେ ରାଜ୍ୟ ସରକାର କେବଳ କାର୍ଯ୍ୟକ୍ରମ ଭିତରେ ନିଜକୁ ସୀମିତ ରଖୁଛନ୍ତି ନା ନୂଆ କିଛି ଘୋଷଣା ସାମ୍ନାକୁ ଆଣୁଛନ୍ତି ତା ଉପରେ ନଜର । କାରଣ ସ୍ୱତନ୍ତ ଓଡିଶା ଗଠନର ୧୦୦ ବର୍ଷ ପୂର୍ତି ପୂର୍ବରୁ ସୁନାର ଓଡିଶା ତିଆରି ପାଇଁ ଖାଲି ରାଜନୀତିର ମୈଦାନରେ କଥା ସୀମିତ ନୁହେଁ ।

ସଂଗୀତ ଜରିଆରେ ଶକ୍ତି ଦେଖାଇବା ପାଇଁ ହୋଇଛି ରଣନୀତି । ଜନତା ମୈଦାନରେ ବଲିଉଡ ଷ୍ଟାର ଉଦିତ ନାରାୟଣ ଆଉ ଏପଟେ ଓଡିଆ ପୁଅ ଋତୁରାଜ ମହାନ୍ତି । କର୍ମୀ ସମାଗମ ହେବ, ଶ୍ରୋତା ଆସିବେ, ଝୁମିବେ । ହେଲେ ଏହାରି ଭିତରୁ ଫାଇଦା ନେବାକୁ କିନ୍ତୁ ଅଙ୍କ କଷା ହୋଇଛି ।

ଗତ କିଛି ଦିନ ଧରି ଛକାପଂଝା ରାଜନୀତିରେ ମୁହାଁମୁହିଁ ହୋଇଛନ୍ତି ବିଜେପି ଆଉ ବିଜେଡି । ପ୍ରସଙ୍ଗ ଭିତିରେ ପରସ୍ପରକୁ ଟାର୍ଗେଟ କରିଛନ୍ତି । ହେଲେ ରାଜ୍ୟର ଗଠନ ଦିନରେ ପତିଆରା ପ୍ରଦର୍ଶନକୁ ନେଇ ଏବେ ଚର୍ଚ୍ଚା ଜୋର ।