ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ୫ ଦିନ ବ୍ୟାଟିଂ କଲେ ଅଷ୍ଟ୍ରେଲିଆ କ୍ରିକେଟର । ଜାଣନ୍ତୁ ପୂର୍ବରୁ କେଉଁ ଭାରତୀୟ ଖେଳାଳୀଙ୍କ ନାଁରେ ରହିଛି ଏହି ରେକର୍ଡ ।

709

କନକ ବ୍ୟୁରୋ : ଆସେସ ଶୃଙ୍ଖଳାର ରୋମାଞ୍ଚକର ପ୍ରଥମ ଟେଷ୍ଟ ମ୍ୟାଚରେ ବିଜୟୀ ହୋଇଛି କଙ୍ଗାରୁ ଦଳ । ୨ ୱିକେଟରେ ଏହି ବିଜୟ ପାଇଁ କଙ୍ଗାରୁ ଦଳକୁ ଶେଷ ପର୍ଯ୍ୟନ୍ତ କସରତ କରିବାକୁ ପଡିଥିଲା । ସେହିଭଳି ଇଂଲଣ୍ଡ ଦଳ ମଧ୍ୟ ଶେଷ ପର୍ଯ୍ୟନ୍ତ ବିଜୟ ପାଇଁ ଜି ଜାନ ଲଗାଇଥିଲା । କିନ୍ତୁ ଅଷ୍ଟ୍ରେଲିଆ ଅଧିନାୟକ ପାଟ କମିନ୍ସ ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ । ତେବେ ଏହି ମ୍ୟାଚର ହିରୋ ସାଜିଥିଲେ ଉସମାନ୍ ଖୱାଜା । ଯିଏ ସହଳ ୱିକେଟ ହରାଇ ସଙ୍କଟରେ ପଡିଥିବା ଅଷ୍ଟ୍ରେଲିଆକୁ ବିଜୟ ଭେଟି ଦେଇଥିଲେ । ପ୍ରଥମ ଇନିଂସରେ ଶତକ ଓ ଦ୍ୱିତୀୟ ଇନିଂସରେ ଅର୍ଦ୍ଧଶତକ ହାସଲ କରି ଉସମାନ ଅଷ୍ଟ୍ରେଲିଆ ବିଜୟର ହିରୋ ସାଜିଥିଲେ । ତେବେ ଏହି ମ୍ୟାଚରେ ଉସମାନ ନିଜ ନାଁରେ ନୂଆ ରେକର୍ଡ କରିଛନ୍ତି ।

ସାଧାରଣତଃ ଟେଷ୍ଟ କ୍ରିକେଟରେ ୫ ଦିନ ବ୍ୟାଟିଂ କରିବା ଏତେ ସହଜ କଥା ନୁହେଁ । କିନ୍ତୁ ଉସମାନ ଏବେ ଏହି ରେକର୍ଡର ଅଧିକାରୀ ସାଜିଛନ୍ତି । ଆସେସର ପ୍ରଥମ ମ୍ୟାଚରେ ଉସମାନ ୫ ଦିନ ବ୍ୟାଟିଂ କରିଛନ୍ତି । ଅବଶ୍ୟ ପୂରା ୫ ଦିନ ଉସମାନ ବ୍ୟାଟିଂ କରିନଥିଲେ, ବରଂ ୫ ଦିନ ମଧ୍ୟରେ ପ୍ରତିଦିନ ତାଙ୍କୁ କିଛି ସମୟ ପାଇଁ ହେଉ ପଛେ ବ୍ୟାଟିଂ କରିଥିବାର ଦେଖିବାକୁ ମିଳିଥିଲା । ପ୍ରତି ଦିନ କିଛି ନା କିଛି ବଲର ସାମ୍ନା କରିଥିଲେ ଉସମାନ ଖୱାଜା । କେବଳ ଖୱାଜା ନୁହଁନ୍ତି ଏହା ପୂର୍ବରୁ କିମ୍ ହ୍ୟୁଜସ ମଧ୍ୟ ଏଭଳି ଏକ ରେକର୍ଡରେ ଲଡର୍ସ ଗ୍ରାଉଣ୍ଡରେ କରିଥିଲେ ।

ପ୍ରଥମ ଖେଳାଳୀ ଭାବେ ଭାରତୀୟ କ୍ରିକେଟର ଏମଏଲ ଜୟସିହ୍ମା ୧୯୬୦ରେ ଏହି ରେକର୍ଡ କରିଥିଲେ । ଆଉ ତାହା ବି ପୁଣି ଅଷ୍ଟ୍ରେଲିଆ ବିପକ୍ଷରେ । ଏହାପରେ ଅନ୍ୟ ଦୁଇ ଭାରତୀୟ କ୍ରିକେଟର ରବି ଶାସ୍ତ୍ରୀ ଓ ଚେତେଶ୍ୱର ପୂଜାରା ମଧ୍ୟ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି ।