କନକ ବ୍ୟୁରୋ : ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଅମ୍ବାନୀଙ୍କୁ ଗ୍ଲୋବାଲ ଲିଡରସିପ୍ ପୁରସ୍କାରରେ ସମ୍ମାନିତ କରାଯାଇଛି । ଦିଲ୍ଲୀରେ ଆମେରିକା ଇଣ୍ଡିଆ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ଫୋରମ୍ (ୟୁଏସଆଇଏସପିଏଫ) ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ନୀତା ଅମ୍ବାନୀଙ୍କୁ ଫୋରମ୍ ଚେୟାରମ୍ୟାନ୍ ଜନ୍ ଚେମ୍ବରସ୍ ପୁରସ୍କାର ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ବରିଷ୍ଠ ଅଧିକାରୀ ତଥା ଉଦ୍ୟୋଗ କ୍ଷେତ୍ରର ପ୍ରମୁଖ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ । ନୀତା ଅମ୍ବାନୀ କହିଛନ୍ତି, “ଏହି ସମ୍ମାନ ତଥା ପୁରସ୍କାର ପାଇ ମୁଁ ଅତ୍ୟଧିକ ଗୌରବାନ୍ୱିତ ଅନୁଭବ କରୁଛି । ମୁଁ ରିଲାଏନ୍ସ ଫାଉଣ୍ଡେସନକୁ ପ୍ରତିନିଧିତ୍ୱ କରେ, ଯାହା ମାଧ୍ୟମରେ ଆମେ ୭ କୋଟିରୁ ଅଧିକ ଲୋକଙ୍କ ଜୀବନକୁ ଛୁଇଁଛୁ । “କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ମାନଦଣ୍ଡ ହେବାର ବହୁ ପୂର୍ବରୁ ରିଲାଏନ୍ସ କର୍ପୋରେଟ୍ ନୈତିକ ଦାୟିତ୍ୱବୋଧ ପୂର୍ଣ୍ଣ କରିଆସୁଛି । ଆମେରିକା ଇଣ୍ଡିଆ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ଫୋରମ୍ (ୟୁଏସଆଇଏସପିଏଫ) ଏକ ବିବୃତ୍ତି ଜାରି କରି କହିଛି ଯେ ନୀତା ଅମ୍ବାନୀ ସାମାଜିକ କାର୍ଯ୍ୟରେ ସକ୍ରିୟ ଭାବରେ ଜଡିତ ରହିଥିବା ଜଣେ ବିଜିନେସ ଲିଡର ଯାହାର ନେତୃତ୍ୱରେ ରିଲାଏନ୍ସ ଫାଉଣ୍ଡେସନ୍ ଶିକ୍ଷା, କଳା, କ୍ରୀଡା ଏବଂ ସ୍ୱାସ୍ଥ୍ୟସେବା ମାଧ୍ୟମରେ ଲକ୍ଷ ଲକ୍ଷ ଭାରତୀୟଙ୍କ ଜୀବନକୁ ପ୍ରଭାବିତ କରିଛି । ବିଶେଷକରି ମହିଳା ସଶକ୍ତିକରଣ ଏବଂ ପିଲାମାନଙ୍କର ସ୍ୱାର୍ଥରକ୍ଷା ତଥା ହିତ ପାଇଁ ସେ କାର୍ଯ୍ୟ କରିଆସିଛନ୍ତି ।
ନୀତା ଅମ୍ବାନୀଙ୍କୁ ଗ୍ଲୋବାଲ ଲିଡରସିପ୍ ପୁରସ୍କାର । ସାମାଜିକ କାର୍ଯ୍ୟରେ ସକ୍ରିୟ ଥିବାରୁ ୟୁଏସ-ଇଣ୍ଡିଆ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ଫୋରମ ପକ୍ଷରୁ କରାଗଲା ସମ୍ମାନିତ ।
Advertisment
Follow Us