ମୋଟା କରୁଛି ପ୍ଲାଷ୍ଟିକ୍ । କ୍ରମାଗତ ବ୍ୟବହାର ସୃଷ୍ଟି କରୁଛି ଏହି ସମସ୍ୟା ।

188

କନକ ବ୍ୟୁରୋ: ବୋତଲ ପାଣି କେବଳ ପରିବେଶ ପାଇଁ ଘାତକ ନୁହେଁ ଆମ ଶରୀର ପାଇଁ ମଧ୍ୟ ବିପଜ୍ଜନକ । ଆମ ସ୍ୱାସ୍ଥ୍ୟ ଉପରେ ଏହାର ଅନେକ ନକାରାତ୍ମକ ପ୍ରଭାବ ରହିଛି । ଏକ ଗବେଷଣାରୁ ଜଣାପଡିଛି ଯେ, ପ୍ଲାଷ୍ଟିକ୍ ମେଦବହୁଳତା ପାଇଁ ଏକ ବିଶେଷ କାରଣ । ମେଟାବୋଲିଜିମ୍ ଉପରେ ଏହାର ଯୌଗିକର ବିପରୀତ ପ୍ରଭାବ ରହିଛି । ପ୍ଲାଷ୍ଟିକର ନକାରାତ୍ମକ ପ୍ରଭାବ ପୂର୍ବରୁ ଚିହ୍ନଟ ହୋଇସାରିଛି । ସେତିକି ନୁହେଁ ଆମ ଦୈନ୍ଦିନ ଜୀବନର ପ୍ରତ୍ୟେକ ବସ୍ତୁରେ ମଧ୍ୟ ‘ଥଲେଟ୍ସ’ ରୂପେ ପ୍ଲାଷ୍ଟିକ୍ ମିଳିଛି, ଯାହା ପୁରୁଷଙ୍କ ଟେଷ୍ଟୋଷ୍ଟେରୋନ୍ ହରମୋନକୁ ହ୍ରାସ କରିଥାଏ । ଏବେ ବୈଜ୍ଞାନିକ ମାନେ ଜାଣିବାକୁ ପାଇଛନ୍ତି ଯେ, ପ୍ଲାଷ୍ଟିକ ଆମକୁ ମୋଟା କରିଦେଇପାରେ ।

ନରୱେ ୟୁନିଭର୍ସିଟି ଅଫ୍ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜି ଓ ଫ୍ରାଙ୍କଫର୍ଟର ଗେଥ୍ ୟୁନିଭର୍ସିଟି ଦ୍ୱାରା ପରିଚାଳିତ ଏହି ଅଧ୍ୟୟନରେ ତଥ୍ୟ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ । ଦହି ପ୍ୟାକେଟ, ପାଣି ବୋତଲ, ରୋଷେଇ ଘରେ ବ୍ୟବହୃତ ସ୍ପଞ୍ଜ ସମେତ ଦୈନନ୍ଦିନ କାର୍ଯ୍ୟରେ ବ୍ୟବହୃତ ମୋଟ ୩୪ ପ୍ରକାର ବସ୍ତୁ ଉପରେ ଗବେଷଣା କରାଯାଇଥିଲା । ଏହି ସବୁ ଜିନିଷରେ ପ୍ରାୟ ୫୫ ହଜାର ରାସାୟନିକ ଯୌଗିକ ଚିହ୍ନଟ କରାଯାଇଥିଲା । ଏଥିମଧ୍ୟରୁ ୧୧ଟି ଯୌଗିକ ମେଟାବୋଲିଜିମ୍ ବିଗାଡୁଥିବା ରସାୟନ ଭାବେ ଚିହ୍ନଟ କରାଗଲା । ଏହି ଯୌଗିକ ଆପଣଙ୍କୁ ପୃଥୁଳ ମଧ୍ୟ କରିପାରେ । ପ୍ରତି ୩ ପ୍ଲାଷ୍ଟିକ୍ ଉତ୍ପାଦରେ ଚିହ୍ନଟ ହୋଇଥିବା ରାସାୟନିକ ତତ୍ତ୍ୱର କୋଷିକା ବିକାଶରେ ଯୋଗଦାନ ରହିଥିବା ଜଣାପଡିଥିଲା । ପ୍ଲାଷ୍ଟିକ ବୋତଲରେ ପାଣି ପିଇବା ବା ପ୍ଲାଷ୍ଟିବ ପାତ୍ରରେ ଖାଦ୍ୟ ଖାଇବା ଦ୍ୱାରା ଚର୍ବି କୋଷିକା ଗୁଡିକର ବିକାଶ ହୋଇଥାଏ, ଯାହା ବାସ୍ତବରେ ଚିନ୍ତାର ବିଷୟ । କାରଣ ପ୍ଲାଷ୍ଟିକ ବୋତଲରେ ପାଣି ପିଇବା ବା ଖାଦ୍ୟ ଖାଇବା ସମୟରେ ପ୍ଲାଷ୍ଟିକରେ ଥିବା ରାସାୟନିକ ତତ୍ତ୍ୱ ଖାଦ୍ୟରେ ମିଶିଥାଏ, ଯାହା ଶରୀର ପାଇଁ ଅନେକ ସସସ୍ୟା କରିଥାଏ । ତେଣୁ ପ୍ଲାଷ୍ଟିକ ଉପକରଣକୁ ଯଥାସାଧ୍ୟ ଦୂରେଇବାକୁ ଚେଷ୍ଟା କରନ୍ତୁ ।