କନକ ବ୍ୟୁରୋ : ଆଇପିଏଲ ମହାନିଲାମୀ ଶେଷ ହୋଇଛି । ୨ ଦିନ ଧରି ଚାଲିଥିବା ମହାନିଲାମୀରେ ଅନେକ ଅଜଣା ଚେହେରା ଅଧିକ ଦରରେ ବିକ୍ରି ହୋଇଥିବା ବେଳେ ଅନେକ ବଡ ଚେହେରାଙ୍କୁ କୌଣସି ଫ୍ରାଞ୍ଚାଇଜ କିଣିନାହାନ୍ତି । ତେବେ ମହାନିଲାମୀ ଶେଷ ହେବା ପରେ ସୋସିଆଲ ମିଡ଼ିଆରେ ଯାହାଙ୍କୁ ନେଇ ସବୁଠୁ ଅଧିକ ଚର୍ଚ୍ଚା ହେଉଛି ସେ ହେଉଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ।

Advertisment

ଅର୍ଜୁନ ତେନ୍ଦୁଲକରଙ୍କୁ ମୁମ୍ବାଇ ୩୦ ଲକ୍ଷ ଟଙ୍କାରେ କିଣିଛି । ଗତଥର ମଧ୍ୟ ଅର୍ଜୁନଙ୍କୁ ୨୦ ଲକ୍ଷ ଟଙ୍କାରେ ମୁମ୍ବାଇ କିଣିଥିଲା । ତେବେ ଗତଥର ଗୋଟିଏ ବି ମ୍ୟାଚ୍ ଖେଳିବାକୁ ସୁଯୋଗ ପାଇନଥିଲେ ଅର୍ଜୁନ । କିନ୍ତୁ ଏହାସତ୍ତେ୍ୱ ମଧ୍ୟ ଚଳିତ ମହାନିଲାମୀରେ ୧୦ ଲକ୍ଷ ଅଧିକ ଟଙ୍କାରେ କିଣିଛି ମୁମ୍ବାଇ ।

ମହାନିଲାମୀ ବେଳେ ଯେତେବେେଳେ ଅର୍ଜୁନଙ୍କ ନାଁ ଡକାଗଲା, ସେତେବେଳେ ମୁମ୍ବାଇ ୨୦ ଲକ୍ଷ ଟଙ୍କା ବେସ୍ ପ୍ରାଇସରେ ଅର୍ଜୁନ ତେନ୍ଦୁଲକରଙ୍କୁ ଟିମରେ ସାମିଲ କରିବାକୁ ଗ୍ରୀନ୍ ସିଗନାଲ ଦେଇଥିଲା । କିନ୍ତୁ ଗୁଜୁରାଟ ୨୫ ଲକ୍ଷ ଟଙ୍କାର ନିଲାମୀ ଡାକି ମୁମ୍ବାଇର ଖର୍ଚ୍ଚକୁ ବଢାଇ ଦେଇଥିଲା । ଅର୍ଜୁନଙ୍କୁ ଟିମରେ ସାମିଲ କରିବାକୁ ପୁଣିଥରେ ମୁମ୍ବାଇକୁ ନିଲାମୀକୁ ଫେରିବାକୁ ପଡିଥିଲା । ଆଉ ଶେଷରେ ୩୦ ଲକ୍ଷ ଟଙ୍କାରେ ଅର୍ଜୁନଙ୍କୁ କିଣିଥିଲା ମୁମ୍ବାଇ । ତେବେ ଅର୍ଜୁନଙ୍କୁ କିଣିବା ନେଇ ସୋସିଆଲ ମିଡ଼ିଆରେ ମୁମ୍ବାଇ ଟ୍ରୋଲ କରିଥିଲେ ୟୁଜର୍ସ । ଆଇପିଏଲର ଜଣାଶୁଣା ଚେହେରା ସୁରେଶ ରୈନା, ଷ୍ଟିଭ ସ୍ମିଥ, ଇଶାନ୍ତ ଶର୍ମା, ଇୟନ ମୋର୍ଗାନ, ଆରୋନ ଫିଞ୍ଚ ବିକ୍ରି ହୋଇନଥିବା ବେଳେ ଅର୍ଜୁନଙ୍କ ପାଇଁ ଟଙ୍କା ଖର୍ଚ୍ଚ କରିଥିବା ମୁମ୍ବାଇ ଉପରେ ବର୍ଷିଥିଲେ ୟୁଜର୍ସ ।

ଅନ୍ୟପଟେ ମୁମ୍ବାଇ ଟିମରେ ସାମିଲ ହେବା ପରେ ଅର୍ଜୁନ କହିଛନ୍ତି, ପୁଣିଥରେ ମୁମ୍ବାଇ ସହ ଯୋଡି ହୋଇଥିବାରୁ ବହୁତ ଖୁସି ଅଛି । ୨୦୦୮ରୁ ମୁଁ ଏହି ଫ୍ରାଞ୍ଚାଇଜର ଫ୍ୟାନ ରହିଛି । ମୋତେ ଦଳରେ ସାମିଲ କରିଥିବାରୁ ଟିମ ମ୍ୟାନେଜମେଣ୍ଟ ଓ ଦଳର ମାଲିକଙ୍କୁ ଧନ୍ୟବାଦ । ମୁମ୍ବାଇ ପାଇଁ ପ୍ରଭାବୀ ପ୍ରଦର୍ଶନ କରିବାକୁ ଆଉ ଅପେକ୍ଷା କରିପାରିବି ନାହିଁ । ଆଉ ଅର୍ଜୁନ ତେନ୍ଦୁଲକରଙ୍କ ଏହି ଭିଡ଼ିଓ ମୁମ୍ବାଇ ଇଣ୍ଡିଆନ୍ସ ନିଜ ସୋସିଆଲ ମିଡ଼ିଆ ପେଜରେ ସେୟାର କରିଛି । ଏପରିକି ଅର୍ଜୁନଙ୍କ ଭଉଣୀ ମଧ୍ୟ ବେଶ ପସନ୍ଦ କରିଛନ୍ତି ।