ଚାଷୀ ଆନ୍ଦୋଳନ ପାଇଁ ଦିଲ୍ଲୀ ସୀମା ସିଲ୍: ପଞ୍ଜାବ, ହରିୟାଣା ଓ ୟୁପି ପଟୁ ଆସୁଥିବା ଚାଷୀଙ୍କୁ ରୋକିବା ଲାଗି ଲୁହ ବୁହା ଗ୍ୟାସ ପ୍ରୟୋଗ

77

କନକ ବ୍ୟୁରୋ: ଦିଲ୍ଲୀ ସୀମାରେ ତେଜୁଛି ଚାଷୀ ଆନ୍ଦୋଳନ । ଦିଲ୍ଲୀ ଚଲୋ ଆନ୍ଦୋଳନରେ ସାମିଲ ହୋଇଛନ୍ତି ୨ଶହରୁ ଅଧିକ ଚାଷୀ ସଙ୍ଗଠନ । ହଜାର ହଜାର ଚାଷୀ ଟ୍ରାକ୍ଟର ଓ କାର ମାଧ୍ୟମରେ ଦିଲ୍ଲୀ ମୁହାଁ ହୋଇଛନ୍ତି । ସୁରକ୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସୀମା ସିଲ୍ କରିଛି ପୁଲିସ ପ୍ରଶାସନ । ପଞ୍ଜାବ, ହରିୟାଣା ଓ ୟୁପି ପଟୁ ଆସୁଥିବା ଚାଷୀଙ୍କୁ ରୋକିବା ଲାଗି ଲୁହ ବୁହା ଗ୍ୟାସ ପ୍ରୟୋଗ କରାଯାଇଛି । ବିଭିନ୍ନ ସ୍ଥାନରେ ୧୪୪ଧାରା ଜାରି କରାଯାଇଥିବା ବେଳେ ଇଂଟରନେଟ ସେବା ବି ବନ୍ଦ କରାଯାଇଛି । ସୁରକ୍ଷା ପାଇଁ ଅର୍ଦ୍ଧସାମରିକ ବଳ ମୁତୟନ କରାଯାଇଛି ।

ପଂଜାବ, ହରିୟାଣା ଓ ଉତରପ୍ରଦେଶର ୨ଶହରୁ ଅଧିକ ଚାଷୀ ସଙ୍ଗଠନ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ହରିୟାଣା ଦିଲ୍ଲୀ ଶମ୍ଭୁ, ସିଂଘୁ, ଝରୋଡ଼ା, ଟିକ୍ରି, ଗାଜିପୁର ସୀମା, ହରିୟାଣାର ବାହାଦୂରଗଡ଼ ସୀମାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ସହ ଅଧିକ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି । ସିମେଂଟ ଓ ଲୁହା ତାର ବ୍ୟାରିକେଡ ଦିଆଯାଇଛି । ଗତକାଲି ଚଣ୍ଡିଗଡରେ କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋୟଲ ଓ ଅର୍ଜୁନ ମୁଣ୍ଡାଙ୍କ ସହ ଚାଷୀ ସଂଗଠନର ବୈଠକ ବସିଥିଲା । ଫସଲର ଏମଏସପି ପ୍ରସଙ୍ଗରେ କୌଣସି ବୁଝାମଣା କରିବାକୁ ଚାଷୀ ସଂଗଠନ ରାଜି ନହେବାରୁ ବୈଠକ ଫେଲ ମାରିଥିଲା । ଫଳରେ ଆନ୍ଦୋଳନକୁ ଓହ୍ଳାଇଛନ୍ତି ଚାଷୀ । ଚାଷୀ ସଂଗଠନର ପ୍ରମୁଖ ଦାବି ଗୁଡିକ ହେଉଛି ପ୍ରତ୍ୟେକ ଫସଲର ଏମ୍ଏସ୍ପି ଉପରେ ଆଇନଗତ ଗ୍ୟାରେଂଟି, ଏମ୍ଏସ୍ ସ୍ୱାମୀନାଥନ ଆୟୋଗର ସୁପାରିଶକୁ କାର୍ଯ୍ୟକାରୀ ଏବଂ ପେନସନ୍ ବ୍ୟବସ୍ଥା, କୀଟନାଶକ ଔଷଧ କମ୍ପାନୀ ବିରୋଧରେ କଠୋର ଆଇନ୍ ଆଣିବା ।