କନକ ବ୍ୟୁରୋ : କେଦାରନାଥରେ ମୋବାଇଲ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଛି । କେବଳ ଏତିକି ନୁହେଁ ମନ୍ଦିର ପରିସରରେ ଫଟୋ କିମ୍ବା ଭିଡ଼ିଓ ଉଠାଇ ପାରିବେନି ଭକ୍ତ । ଏଭଳି ନିଷ୍ପତ୍ତି ବଦ୍ରିନାଥ ଓ କେଦାରନାଥ ମନ୍ଦିର ସମିତି ନେଇଛି । ଏନେଇ ମନ୍ଦିର ସମିତି ମନ୍ଦିର ପରିସର ମଧ୍ୟରେ ସୂଚନା ଫଳକ ଲଗାଇଛି । ଯେଉଁଥିରେ ସ୍ପଷ୍ଟ ଭାବେ ଲେଖାଯାଇଛି ଯେ, ମୋବାଇଲ ସହ ମନ୍ଦିର ଭିତରକୁ ପ୍ରବେଶ ମନା । ମନ୍ଦିର ଭିତରେ ଫଟୋଗ୍ରାଫି କିମ୍ବା ଭିଡ଼ିଓଗ୍ରାଫି ସମ୍ପୂର୍ଣ୍ଣ ବ୍ୟାନ୍ । କେବଳ ଏତିକି ନୁହେଁ ସମସ୍ତ ଭକ୍ତ ସିସିଟିଭି କ୍ୟାମେରା ପରିଧି ଭିତରେ ଆସୁଛନ୍ତି ।

Advertisment

କେବଳ ଏତିକି ନୁହେଁ ମନ୍ଦିର ସମିତି ଶ୍ରଦ୍ଧାଳୁଙ୍କୁ ସଭ୍ୟ ପୋଷାକ ପରିଧାନ କରି ଆସିବାକୁ କହିବା ସହ ମନ୍ଦିର ପରିସର ମଧ୍ୟରେ ତମ୍ବୁ କିମ୍ବା ଟେଣ୍ଟ ନ ଲଗାଇବାକୁ କହିଛି । ଯଦି କୌଣସି ଭକ୍ତ ଏହି ନିୟମ ପାଳନ ନକରେ ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ବଦ୍ରିନାଥ-କେଦାରନାଥ ମନ୍ଦିର ସମିତିର ଅଧ୍ୟକ୍ଷ ଅଜେନ୍ଦ୍ର ଅଜୟ କହିଛନ୍ତି, ଏହା ଏକ ଧାର୍ମିକ ସ୍ଥାନ । ଯେଉଁଠି ଲୋକେ ଆସ୍ଥାର ସହ ଆସୁଛନ୍ତି । ତେଣୁ ଲୋକଙ୍କ ଆସ୍ଥାକୁ ସମ୍ମାନ କରିବା ଉଚିତ୍ । ଏହାପୂର୍ବରୁ ମନ୍ଦିରର ଗର୍ଭଗୃହରେ ପ୍ରବେଶ ପୂର୍ବରୁ ଯାତ୍ରୀଙ୍କୁ ମୋବାଇଲ ଫୋନ୍ ସ୍ୱିଚ୍ ଅଫ କରିବାକୁ କୁହାଯାଉଥିଲା ଏବଂ କ୍ୟାମେରା ନେବାକୁ ମନା କରାଯାଉଥିଲା । କିନ୍ତୁ ଏବେ ପୂରା ମନ୍ଦିର ପରିସରରେ ମୋବାଇଲ ଏଣ୍ଟ୍ରିକୁ ବ୍ୟାନ୍ କରି ଦିଆଯାଇଛି ।

ଏହାପୂର୍ବରୁ କେଦାରନାଥ ପୀଠରୁ ଏକ ଭିଡ଼ିଓ ଭାଇରାଲ ହୋଇଥିଲା । ଯେଉଁଥିରେ ଯୁବକ-ଯୁବତୀ ଭଗବାନଙ୍କୁ ଦର୍ଶନ କରୁଥିଲେ । ଆଉ ଅଚାନକ ଯୁବତୀ ଜଣକ ନିଜର ପୁରୁଷ ବନ୍ଧୁଙ୍କୁ ବିବାହ ପାଇଁ ପ୍ରପୋଜ କରିଥିଲେ । ଯାହାର ଭିଡ଼ିଓ ଭାଇରାଲ ହୋଇଥିଲା । ପରେ ଏହି ଭିଡ଼ିଓକୁ ନେଇ ବିବାଦ ମଧ୍ୟ ଦେଖାଦେଇଥିଲା । କିଛି ଭକ୍ତ କହିଥିଲେ, କେଦାରନାଥକୁ ପିକିନିକ୍ ସ୍ପଟ ଭଳି ବ୍ୟବହାର କରାଯାଉଛି ।