କୌଣସି ବି ଦେଶକୁ ହରାଇ ପାରିବୁ । ସୁପର-୮ରେ ପ୍ରବେଶ ପରେ ଆମେରିକା ଉପ-ଅଧିନାୟକ ଦେଲେ ବଡ ବୟାନ ।

165

କନକ ବ୍ୟୁରୋ : ଚଳିତ ଟି-୨୦ ବିଶ୍ୱକପରେ ପ୍ରଥମଥର ପାଇଁ ବିଶ୍ୱକପ ଖେଳୁଥିବା ଆମେରିକା ସୁପର-୮ରେ ପ୍ରବେଶ କରିଛି । ବର୍ଷା କାରଣରୁ ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚ ବାଧାପ୍ରାପ୍ତ ହେବାରୁ ବେଶ ସହଜରେ ସୁପର-୮ରେ ପ୍ରବେଶ କରିଛି ଆମେରିକା । ସୁପର-୮ରେ ପ୍ରବଶେ କରିବା ପରେ ଆମେରିକାର ଉପ-ଅଧିନାୟକ ଆରୋନ ଜୋନ୍ସ କହିଛନ୍ତି, ଆମେ ସୁପର-୮ ମୁକାବିଲାକୁ ନେଇ ବେଶ ଉତ୍ସାହିତ ଅଛୁ । ଗତ ୨ ସପ୍ତାହ ହେବ ଆମେ ପ୍ରଭାବୀ ଢଙ୍ଗରେ କ୍ରିକେଟ ଖେଳୁଛୁ ଏବଂ ଆଇସିସିର କୌଣସି ପୂର୍ଣ୍ଣକାଳୀନ ଟିମକୁ ହରାଇବାର କ୍ଷମତା ରଖୁଛୁ ।

ଜୋନ୍ସ କହିଛନ୍ତି, ଆମେରିକା କ୍ରିକେଟ ଟିମ ଉପରେ ବିଶେଷ କେହି ଧ୍ୟାନ ଦେଉନଥିଲେ । ବିଶ୍ୱକପ୍ ପୂର୍ବରୁ ପୂରା ବିଶ୍ୱକୁ ଜଣାନଥିଲା ଯେ ଆମେରିକା ପାଖରେ ଏଭଳି ପ୍ରତିଭା ଅଛନ୍ତି, ଯେଉଁମାନେ ବିଶ୍ୱକପରେ ଦମଦାର ପ୍ରଦର୍ଶନ କରିବାରେ ସଫଳ ହୋଇଛନ୍ତି । ଏହା ଆମ ପାଇଁ ବେଶ ଲାଭଦାୟକ ସାବ୍ୟସ୍ତ ହୋଇଛି । ଆମେ ସଠିକ୍ ଢଙ୍ଗରେ କ୍ରିକେଟ ଖେଳିଲେ ବିଶ୍ୱର ଯେ କୌଣସି ଦଳକୁ ହରାଇ ପାରିବୁ ବୋଲି ବିଶ୍ୱାସ ରହିଛି ।

ଏହାସହ ଜୋନ୍ସ କହିଛନ୍ତି, ୨ ବର୍ଷ ପୂର୍ବରୁ ଆମେ ବିଶ୍ୱକପ୍ ଖେଳିବୁ, ଆଇସିସିର ପୂର୍ଣ୍ଣକାଳୀନ ଦେଶ ସହ ଅଧିକରୁ ଅଧିକ ମ୍ୟାଚ୍ ଖେଳିବା ପ୍ରସଙ୍ଗରେ କଥା ହେଉଥିଲୁ । ଏବେ ଆମେ ଭଲ ପ୍ରଦର୍ଶନ କରିବା ସହ ବିଶ୍ୱକପର ସୁପର-୮ରେ ପ୍ରବେଶ କରିଛୁ । କେବଳ ଏତିକି ୨୦୨୬ ଟି-୨୦ ବିଶ୍ୱକପ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛୁ । ଏହା ଆମ ପାଇଁ ସବୁଠୁ ବଡ ଉପଲବ୍ଧି । କେବଳ ଆମ ଟିମ୍ ପାଇଁ ନୁହେଁ ବରଂ ଆମେରିକା କ୍ରିକେଟ ପ୍ରେମୀଙ୍କ ପାଇଁ ଏହା ବେଶ ଖୁସିର ଖବର । ଚଳିତ ବିଶ୍ୱକପରେ ସୁପର-୮ରେ ପ୍ରବେଶ ସହ ଆମେରିକା ୨୦୨୬ ଟି-୨୦ ବିଶ୍ୱକପ୍ ଖେଳିବାକୁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛି ।