କରୋନା ଭୟ : ଭାରତ ଛାଡିବାକୁ ଅମଙ୍ଗ ହେଉଛନ୍ତି ଆମେରିକା ନାଗରିକ, ଟ୍ରମ୍ପ ସରକାରଙ୍କ ସ୍ୱତନ୍ତ୍ର ବିମାନରେ ଫେରାଇ ନେବା ପ୍ରସ୍ତାବକୁ କଲେ ପ୍ରତ୍ୟାଖାନ ।

1,966

କନକ ବ୍ୟୁରୋ : ଆମେରିକୀୟଙ୍କ ଭିତରେ କରୋନାକୁ ନେଇ ଭୟର ଏକ ସାଙ୍ଘାତିକ ଚିତ୍ର ସାମ୍ନାକୁ ଆସିଛି । ଭାରତରେ ଅଟକି ରହିଥିବା ଆମେରିକା ନାଗରିକଙ୍କୁ ଫେରାଇନେବାକୁ ଚାହୁଁଛନ୍ତି ଟ୍ରମ୍ପ ସରକାର । ହେଲେ ସେମାନେ ଭାରତ ଛାଡିବାକୁ ଅମଙ୍ଗ । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆମେରିକା ଫେରିବା ପାଇଁ ୮୦୦ଜଣଙ୍କୁ ଫୋନ୍ କରାଯାଇଥିଲା, ହେଲେ ଫେରିବାକୁ ରାଜି ହେଲେ ମାତ୍ର ୧୦ ଜଣ । ଭାରତରେ କରୋନା ସଂକ୍ରମଣର ହାର କମ ଥିବାରୁ ଏଠାରେ ରହିବାକୁ ଅଧିକ ସୁରକ୍ଷିତ ମନେ କରୁଛନ୍ତି ଆମେରିକାବାସୀ ।

ମହାମାରୀ କରୋନା ସଂକ୍ରମଣରେ ବିଶ୍ୱର ଏକ ନମ୍ବର ଦେଶ ପାଲଟି ଯାଇଛି ଆମେରିକା । ପରିସ୍ଥିତି ଏଭଳି ହୋଇଛି ଯେ, ଭାରତରେ ଅଟକି ରହିଥିବା ଆମେରିକା ନାଗରିକ ଆଉ ଫେରିବାକୁ ଚାହୁଁ ନାହାନ୍ତି । ସୋମବାର ଅପରାହ୍ନ ସୁଦ୍ଧା ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୬୦ ହଜାର ଟପିଯାଇଛି । ସେହିପରି କରୋନା ଜନିତ ମୃତ୍ୟୁ ୩୨ ହଜାର ଉପରେ ରହିଛି । ତେଣୁ ଆମେରିକା ଫେରିଲେ କରୋନା ସଂକ୍ରମଣର ଆଶଙ୍କା ରହିଥିବାରୁ ଏମାନେ ଫେରୁ ନାହାନ୍ତି । ଆମେରିକା ବୈଦେଶିକ ବ୍ୟାପାର ବିଭାଗର ଅଧିକାରୀ ଇଆନ ବ୍ରାଉନଲି କହିଛନ୍ତି- ‘ଭାରତରେ ଅନେକ ଆମେରିକୀୟ ଫସି ରହିଛନ୍ତି । ଭାରତରେ ଥିବା ଅଧିକାରୀ ଏମାନଙ୍କୁ ଯୋଗାଯୋଗ କରିଥିଲେ । ପ୍ରାୟ ୮୦୦ ଲୋକଙ୍କୁ ଫୋନ କରି ସେମାନେ ଫେରିବାକୁ ଚାହୁଁଛନ୍ତି କି ବୋଲି ପଚରା ଯାଇଥିଲା । ହେଲେ ମାତ୍ର ୧୦ ଜଣ ଏଥିପାଇଁ ଇଚ୍ଛା ପ୍ରକାଶ କରିଥିଲେ । ଭାରତରେ ପ୍ରାୟ ୨୪ ହଜାର ଆମେରିକା ନାଗରିକ ଫସି ରହିଛନ୍ତି ।’

ଭାରତରେ ଅଟକି ରହିଥିବା ଅଷ୍ଟ୍ରେଲିଆର ୪୪୪ ଜଣ ନାଗରିକଙ୍କୁ ଶନିବାର ସୁଦ୍ଧା ସ୍ୱତନ୍ତ୍ର ବିମାନରେ ମେଲବୋର୍ଣ୍ଣ ଫେରାଇ ନିଆଯାଇଛି । ଅନ୍ୟ ଦେଶର ନାଗରିକ ମଧ୍ୟ ଏହିଭଳି ସ୍ୱତନ୍ତ୍ର ବିମାନରେ ନିଜ ନିଜ ଦେଶକୁ ଫେରୁଛନ୍ତି । ହେଲେ ଆମେରିକା ନାଗରିକ ଫେରିବାକୁ ଅମଙ୍ଗ ହେଉଛନ୍ତି ।

ଭାରତରେ ତାଲାବନ୍ଦ ଓ ବିମାନ ଚଳାତଳ ବାତିଲ ହେବା ପରେ ପ୍ରାୟ ୩୫ ହଜାର ବ୍ରିଟିସ ନାଗରିକ ଅଟକି ରହିଛନ୍ତି । ଏମାନଙ୍କ ମଧ୍ୟରୁ ୨୦ ହଜାର ଲୋକ ଫେରିଯିବାକୁ ଚାହୁଁଥିବାରୁ, ଚଳିତ ସପ୍ତାହରେ ୧୨ଟି ଚାର୍ଟର ଫ୍ଲାଇଟରେ ଫେରାଇ ନେବାକୁ ଯୋଜନା କରୁଛନ୍ତି ବ୍ରିଟେନ ସରକାର । ରାଜଧାନୀ ଦିଲ୍ଲୀ ସମେତ ଅମୃତସର, ମୁମ୍ବାଇ, ଗୋଆ, ଚେନ୍ନାଇ, ହାଇଦ୍ରାବାଦ, କୋଚି, ବେଙ୍ଗାଳୁରୁ, ଅହମ୍ମଦାବାଦ ଓ କୋଲକତାରୁ ଏହିସବୁ ଚାର୍ଟର ଫ୍ଲାଇଟ ଉଡିବ । ଭାରତୀୟ ବୈଦେଶିକ ମନ୍ତ୍ରାଳୟର ସ୍ୱତନ୍ତ୍ର ସଚିବ ଡି ରବି ସୂଚନା ଦେଇଛନ୍ତି ଯେ, ୨୦ ହଜାର ୪୭୩ ଜଣ ବିଦେଶୀ ନାଗରିକଙ୍କୁ ସେମାନଙ୍କ ଦେଶରେ ପହଂଚାଇବା ପାଇଁ ବ୍ୟବସ୍ଥା କରିଛନ୍ତି ଭାରତ ସରକାର ।